• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଗକୁ ଲିଜ୍ ହୋଲ୍ଡ ରୁ ଫ୍ରି ହୋଲ୍ଡ ହେବ ସିଡିଏ, ବିଡିଏ ଓ ହାଉସିଂବୋର୍ଡ ଭଳି ରାଜ୍ୟର ପ୍ରାୟ ସବୁ କର୍ତ୍ତୃପକ୍ଷଙ୍କ ଅଧିନରେ ଆସୁଥିବା ସମସ୍ତ ଜମି । ଦୀର୍ଘ ବର୍ଷ ଧରି ଜମି, ଘର କିଣିବା ପରେ ବି ଲିଜ୍‌ରେ ସମ୍ପତ୍ତି ରହୁଥିଲା । ବର୍ତ୍ତମାନ ଏହି ନୂଆ ନିୟମରେ ଲୋକେ ନିଜେ ମାଲିକାନା ପାଇପାରିବେ । ଯାହା ଫଳରେ ଋ଼ଣଠୁ ଆାରମ୍ଭ କରି ଜମି ହସ୍ତାନ୍ତର ଯାଏଁ ସବୁ କିଛି ସହଜରେ ହୋଇପାରିବ । ତାସହ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ ଲୋକେ ।

ଏଣିକି ଟ୍ବିନ୍ ସିଟିରେ ଜମି ଓ ଘର କିଣାବିକା ସହଜ ହେବ । ଆଉ ଲିଜ୍ ନୁହେଁ ନିଜ ନାଁରେ ଜମି ମାଲିକାନା ହେବ । ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ୫ଟି ସହରରେ ଜମି କିଣାବିକା ସହଜ ହେବ । ଦୀର୍ଘ ବର୍ଷ ଧରି ଲିଜ୍ ହୋଲ୍ଡରେ ଥିବା ହାଉସ୍ ହୋଲ୍ଡ ଗୁଡିକ ଏଣିକି ଲିଜ୍ ହୋଲ୍ଡ-ଫ୍ରି କରାଯିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ରଖାଯାଇଛି ।

ବିଡିଏ, ସିଡିଏ, ରାଜସ୍ୱ ବିଭାଗ, ହାଉସିଂ ବୋର୍ଡର ଥିବା ଜମିକୁ ଅନୁଧ୍ୟାନ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି ନିୟମ ପରିବର୍ତ୍ତନ ହେବା ଦ୍ୱାରା ଘର ଓ ଜମି କିଣା ବିକା ସରଳୀକରଣ ହୋଇପାରିବ । ପ୍ରୋସିଂ ଚାର୍ଜ ଦେବା ପରେ ବିନା କୌଣସି ଦ୍ୱନ୍ଦ୍ୱରେ ଏହା ତୃତୀୟ ପକ୍ଷକୁ ବି ହସ୍ତାନ୍ତର କରାଯାଇପାରିବ । ଯାହା ଦ୍ୱାରା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ଏବଂ ପରେ ଏହାକୁ ଲାଗୁ କରାଯିବ ।

ଦୀର୍ଘ ବର୍ଷ ଧରି ବିଡିଏ, ସିଡିଏ ସମେତ ଅନ୍ୟ ଯୋଜନାରେ ସରକାରଙ୍କ ପାଖରୁ ଜମି ଓ ଘର ଲୋକେ କିଣିଛନ୍ତି । ଏହା କେବଳ ନିଜ ନାଁରେ ହୋଇଥିବା ବେଳେ ଏହାକୁ ଅନ୍ୟକୁ ହସ୍ତାନ୍ତର ଓ କିଣିବା ଉପରେ କଟକଣା ରହିଥିଲା । ବ୍ୟାଙ୍କ ଋ଼ଣ, ତୃତୀୟ ପକ୍ଷକୁ ବିକ୍ରି, ଏଥିପାଇଁ ଲାଗୁଥିବା ପ୍ରୋସେସିଂ ଫି ଏସବୁକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ ଲୋକେ । ହେଲେ ଏହି ବ୍ୟବସ୍ଥା ହଟିଲେ ଏସବୁ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଦୂର ହେବ ବୋଲି ଲୋକେ ଆଶା ରଖିଛନ୍ତି । ହେଲେ ଏଥିପାଇଁ କଣ ସର୍ତ୍ତାବଳୀ ରହିଛି ତା ଉପରେ ସମସ୍ତଙ୍କ ନଜର ରହିଛି ।