• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବ । ଏହାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ । ସ୍ୱଳ୍ପ ଅଧିବେଶନରେ ନୂଆ ଓ ପୁରୁଣା ପ୍ରସଙ୍ଗକୁ ନେଇ ଗୃହ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ଗୃହକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରି ଉଭୟ ବିରୋଧୀ ଓ ଶାସକଙ୍କ ସହଯୋଗ ଲୋଡ଼ିଛନ୍ତି ।

ସେପଟେ ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବିଜେପି ବିଧାୟକ ଦଳ ବୈଠକ ବସିବ । ସକାଳ ସାଢେ ୯ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ଅର୍ପଣ ରଥ, ଓଡ଼ିଆ ଭାଷା ପ୍ରଚାର ନାଁରେ ମହାମନିଷୀଙ୍କୁ ଅପମାନ, ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ଚାଷୀ ମୃତ୍ୟୁ ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି ।

କଂଗ୍ରେସ ହାତରେ ବି ରହିଛି ପ୍ରସଙ୍ଗର ଲମ୍ବା ତାଲିକା । ଧର୍ମକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାର ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ ଆଣିବା ସହ ଏକଥା ଗୃହରେ ଉଠିବ ବୋଲି କହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୧୫ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ଦଳ କହିଛି, ବିରୋଧୀ ଯେଉଁସବୁ ପ୍ରସଙ୍ଗ ଉଠାଇବେ ତାକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

  • Reported by:
  • JAGDISH DAS