• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଉଁଶ ବନ୍ଧା ଯାଇଛି, ଅସ୍ଥାୟୀ ପୋଲ ନିର୍ମାଣ ହୋଇଛି । ଆଉ ତା’ରି ଉପରେ ଅତି ବିପଦ ସଂକୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ । ଟିକିଏ ଅନ୍ୟମନସ୍କ ହେଲେ ନଈରେ ପଡିବା ଥୟ । ଭିତ୍ତିପ୍ରସ୍ତର ହେବାର ୫ ବର୍ଷ ହେଲାଣି କିନ୍ତୁ ପୋଲ କାମ ସରିଲାନି । ତେଣୁ ବାଧ୍ୟ ହୋଇ ୭ ମାସ ବାଉଁଶ ପୋଲରେ ଲୋକମାନେ ଯିବାଆସିବା କରୁଥିବା ବେଳେ ଅନ୍ୟ ୫ ମାସ ବୋଟ୍‌ରେ ଯାଉଛନ୍ତି । ୨୦୧୯ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ସେତୁର ଶିଳାନ୍ୟାସ କରିଦେଲେ ହେଲେ ଏଯାଏଁ ହୋଇପାରିଲାନି ତାହାର ଉଦଘାଟନ ।

ସେତୁ ଆରମ୍ଭ ହୋଇଛି, ସରିବ କେବେ ? ଏମିତି ପ୍ରଶ୍ନ କରୁଛନ୍ତି ଯାଜପୁର ଦଶରଥପୁର ବ୍ଲକ ତଥା ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦତ୍ତପୁର ଗାଁ ଲୋକେ । ଏହି ପଂଚାୟତ ଓ ଏହାର ପଡୋଶୀ ଗାଁ ଲୋକେ ଯାଜପୁର ଜିଲ୍ଲାର ସୀମାନ୍ତରେ ରହିଥିବାରୁ ଭଦ୍ରକ ଜିଲ୍ଲା ବେତାଳିରେ ଥିବା ସ୍କୁଲ, କଲେଜ ଓ ମେଡିକାଲ ସହ ବଜାର ଘାଟ ଆଦି ଉପରେ ନିର୍ଭର କରନ୍ତି । ତେଣୁ ସକାଳ ହେବା ମାତ୍ରେ ଏମାନେ ଭଦ୍ରକକୁ ଯିବାକୁ ବାଧ୍ୟ । ହେଲେ ସେତୁଟିଏ ନଥିବା କାରଣରୁ ନାହିଁନଥିବା ଅସୁବିଧାର ସାମ୍ନା କରନ୍ତି । ବିଶେଷ କରି ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ନାହିଁନଥିବାର ଅସୁବିଧାର ସାମ୍ନା କରନ୍ତି ସ୍ଥାନୀୟ ଲୋକେ ।

ବର୍ଷବର୍ଷ ଧରି ସ୍ଥାୟୀ ପୋଲ ଲାଗି ଗାଁ ଲୋକ ଦାବି କରିବା ପରେ ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ଫେବୃଆରୀ ୧୯ ତାରିଖରେ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ସେତୁ ଶିଳାନ୍ୟାସକୁ ଏହାରି ମଧ୍ୟରେ ୫ ବର୍ଷ ପୂରିବ । କିନ୍ତୁ କାର୍ଯ୍ୟ ସରୁନଥିବାରୁ ପ୍ରଶାସନ ଓ ରାଜନେତାଙ୍କ ଅବହେଳାକୁ ହିଁ ଦାୟୀ କରିଛନ୍ତି ଗ୍ରାମବାସୀ । କେବଳ ଗୋଟିଏ ନୁହେଁ ବରଂ ସିଦ୍ଧେଶ୍ୱର ନିକଟରେ ଭଦ୍ରକ ଓ ଯାଜପୁରକୁ ସଂଯୋଗ ଲାଗି ବୈତରଣୀ ନଦୀରେ ସେତୁ ନିର୍ମାଣ ସରିଛି । କିନ୍ତୁ ଯାଜପୁର ସୁନ୍ଦୁରେଇ ମୁହଁଠାରୁ ସିଦ୍ଧେଶ୍ୱର ନଦୀ ବନ୍ଧ କାର୍ଯ୍ୟ ଶେଷ ନହୋଇପାରିବାରୁ ସେତୁରେ ଯିବାଆସିବା କରିପାରୁନାହାନ୍ତି ଲୋକେ ।

ସେପଟେ ଦତ୍ତପୁର ପୋଲ ନିର୍ମାଣକୁ ନେଇ ଯାଜପୁର ଜିଲ୍ଲାପାଳ କହିଛନ୍ତି, ସେତୁର ଜମି ଅଧିଗ୍ରହଣ ପ୍ରକ୍ରିୟା ଓ ପ୍ଲାନ ପରିବର୍ତ୍ତନ କାରଣରୁ ବିଳମ୍ବ ହୋଇଛି । ଖୁବଶୀଘ୍ର କାମ ସରିବ । ୧୯ ନିର୍ବାଚନରେ କାମ ଆରମ୍ଭ ହୋଇଥିଲା, ୨୪ ନିର୍ବାଚନ ପାଖେଇ ଆସିଲାଣି । ହେଲେ ପୋଲ କାମ ସରିଲାନି । ତେବେ କେବେ ପୋଲ କାମ ସରିବ ତାହା ସମୟ କହିବ ।

 

  • Reported by:
  • Sanjeeb Nayak