• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚମଡ଼ା ଧୁଡ଼ୁ ଧୁଡ଼ୁ ହୋଇ ଗଲାଣି । ହାତରେ ବଳ ନାହିଁ କି ପାଦରେ ଶକ୍ତି ନାହିଁ । ତଥାପି ଶରୀରର ସବୁ ବଳ ଲଗାଇ ପଥର ଭାଙ୍ଗୁଛନ୍ତି ବୃଦ୍ଧା ମହିଳା ଜଣକ । ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଙ୍ଘର୍ଷ । ପଥର ବୋଝ ତଳେ ନଇଁ ଗଲାଣି ଅଣ୍ଟା । ପିଢ଼ି ପରେ ପିଢ଼ି ଧରି ଏମାନଙ୍କର ବେଉସା ଏହି ପଥର କଟା ରହି ଆସିଛି ।

ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲାକାନଗିରି ଜିଲ୍ଲା ଚିତ୍ରକୋଣ୍ତା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ଦୋରାଗୁଡ଼ା, ମାଲିଗୁଡ଼ା, ବିଶୋଇଗୁଡ଼ା ଓ ସ୍ପିଲବାଇ ଗ୍ରାମର । ପଥର ଭାଙ୍ଗିଲେ ହିଁ ଏମାନଙ୍କର ଚୁଲି ଜଳେ । ପଥର ହିଁ ଏମାନଙ୍କୁ ରୋଜଗାର ଦିଏ । କିନ୍ତୁ ବର୍ତ୍ତମାନ ଏମାନଙ୍କର ପେଟକୁ ଲାତ ମାରିବାକୁ ବସିଛି ଠିକାଦାରଙ୍କ କ୍ରସର ।

ଜଙ୍ଗଲରେ ପଥର ଦେଖିଲେ ନିଆଁ ଲଗେଇ ଛୋଟ ଛୋଟ ଆକାରରେ ଭାଙ୍ଗି ଦିଅନ୍ତି । ପରେ ସେହି ଛୋଟ ଛୋଟ ପଥର ଆଣି ମେଟାଲ, ଚିପ୍ସ ବା ଗୋଡ଼ି ରୂପେ ବିକ୍ରି କରନ୍ତି । ପଥର ବିକ୍ରିରେ ଭଲ ରୋଜଗାର ମଧ୍ୟ ହୁଏ । କିନ୍ତୁ ଗତବର୍ଷ ଠିକାଦାର କୋଲନୀରେ କ୍ରସର ଆରମ୍ଭ ହୋଇଥିବାରୁ ବୁଡ଼ି ଯିବାକୁ ବସିଛି ଏମାନଙ୍କର ପଥର ବେଉସା ।

ଗରିବଙ୍କ ପାଇଁ ସରକାରଙ୍କ ଯୋଜନା ପରେ ଯୋଜନା । କିନ୍ତୁ ଏହାର ଲାଭ ହିତାଧିକାରୀମାନେ ପାଉଛନ୍ତି ତ? ଚାଷ ଜମି ନାହିଁ, ଜମି ଥିଲେ ଜଳ ସେଚନ ସୁବିଧା ନାହିଁ, ଏମାନେ ବଞ୍ଚିବେ କେମିତି .. ଖାଇବେ କଣ .. । ସରକାର ଯଦିଓ ଜବକାର୍ଡ ଯୋଗାଇ ଦେଇଛନ୍ତି, କିନ୍ତୁ କାମ ଦେଉ ନାହାନ୍ତି । ରୋଜଗାର ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।

ଯୋଜନା ନାଁରେ ଟଙ୍କା ହରିଲୁଟ ହେଉଛି । ପ୍ରକୃତ ଲାଭ ହିତାଧିକାରୀ ପାଉନି । କେବଳ କାଗଜ କଲମରେ ସୀମିତ ରହି ଯାଉଛି ଯୋଜନା । କେବେ ମିଳିବ ପଥର କଟାଳିଙ୍କୁ ନ୍ୟାୟ, ତାହା କେବଳ ଦେଖିବାକୁ ବାକି ରହିଲା ।