• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏବେ ଦେଖିବା ବନବିଭାଗର ଜଣେ ବାହାଦୂର ଫରେଷ୍ଟ ଗାର୍ଡଙ୍କ ଚମତ୍କାର କାହାଣୀ । ହାତୀ-ମଣିଷର ଲଢ଼େଇକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଭିତରେ ନିନ୍ଦିତ ହେଉଥିବା ବନ ବିଭାଗର ସେ ଜଣେ ଦୁଃସାହସିକ କର୍ମଚାରୀ, ଯିଏ ଦନ୍ତାହାତୀକୁ ନିର୍ଭୟରେ ସାମ୍ନା କରନ୍ତି । ଅଦମ୍ୟ ସାହସ ଓ କୌଶଳ ପ୍ରୟୋଗ କରି ଯେତେବଡ଼ ହାତୀକୁ ମଧ୍ୟ ଘଉଡ଼ାଇ ଦେଇପାରନ୍ତି । ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିବା ପରେ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟୁଛି ।

ବିରାଟକାୟ ଦନ୍ତା ହାତୀ ଏମୁଣ୍ଡରୁ ସେ ମୁଣ୍ଡକୁ ଖେଦିଯାଉଥିବାର ଦେଖିବାକୁ ମିଳିଛି । ଭୟ ରହୁଛି କାଳେ କାହା କ୍ଷେତ ଉଜାଡ଼ିଦେବ, କାହା ଘର ଭାଙ୍ଗିଦେବ । ସେଥିପାଇଁ ବନ ବିଭାଗ ପକ୍ଷରୁ ମାଇକ୍‌ରେ ସତର୍କ କରିଦିଆଯାଉଛି । ଜଙ୍ଗଲ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକଙ୍କୁ ବଣୁଆ ହାତୀ ଘୁରୁବୁଲୁଥିବା ନେଇ ଚେତାଇ ଦେଉଛନ୍ତି ଫରେଷ୍ଟର ଜଣକ ।

ଯେଉଁ ଅଞ୍ଚଳରେ ଏହି ବିରାଟକାୟ ଦନ୍ତା ଚଳପ୍ରଚଳ କରୁଛି, ସେହି ଇଲାକାରେ ଜୀବନକୁ ପାଣି ଛଡ଼ାଇ ଡ୍ୟୁଟି କରୁଛନ୍ତି ଏହି ବନକର୍ମଚାରୀ । ଯିଏ ଏବେ ବେସ୍ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ନାଁ ଚିତ୍ତରଂଜନ ମିରି, ନାକଟିଦେଉଳ ରେଞ୍ଜର ଫରେଷ୍ଟ ଗାର୍ଡ । ଜନବସତି ମୁହାଁ ବିରାଟକାୟ ଦନ୍ତା ସହ ମୁହାଁମୁହିଁ ହୋଇଛନ୍ତି ଏହି ନିର୍ଭୟ ଫରେଷ୍ଟ ଗାର୍ଡ । ହାତରେ ଖଣ୍ଡେ ନିଆଁ ହୁଳା, ସାଙ୍ଗରେ କେବଳ ଦି ଚାରି ଜଣଙ୍କୁ ନେଇ ହାତୀ ଏଡାଇବାରେ ଲାଗି ପଡିଛନ୍ତି ।

 

ହାତୀ ମାଡି ଆସୁଥିବା ଦେଖି ଲମ୍ଫ ମାରି ଗଜସାଥୀ ଜଣକ ସୀମା ପାର୍ ହୋଇଗଲେଣି ତ ଆଉ କିଏ ନିରାପଦ ଦୂରତାରେ ଥାଇ ବି ଭୟରେ ଥରହର ହେଉଛନ୍ତି । ଏଭଳି ଦୃଶ୍ୟ ଦେଖି ଚିତ୍ତରଞ୍ଜନ କିନ୍ତୁ ବିଚଳିତ ନୁହଁନ୍ତି । ନିଆଁ ହୁଳା ଧରି ଉଗ୍ରରୂପ ଧାରଣ କରିଥିବା ହାତୀ ସାମ୍ନାରେ ସେମିତି ଛିଡ଼ା ହୋଇଛନ୍ତି । ହାତୀ ବି ରାଗରେ ଗରଗର ହେଉଥିବାର ଦେଖିବାକୁ ମିଳିଛି । କିଛି ସମୟ ଧରି ହାତୀ ଓ ଚିତ୍ତରଂଜନ ନିଜ ନିଜ ସ୍ଥାନରେ ଏଭଳି ଛିଡ଼ା ହେବା ପରେ ଶେଷରେ ହାତୀଟି ପଛଘୁଞ୍ଚା ଦେଇଥିଲା । ଚିତ୍ତରଂଜନଙ୍କ କହିବା କଥା, ପାଖରେ ଘରଦ୍ୱାର ଥିବାରୁ ସେସବୁର ସୁରକ୍ଷା ପାଇଁ ଏଭଳି ବିପଦଜନକ ପଦକ୍ଷେପ ନେବାକୁ ପଡ଼ିଥିଲା ।

ଗତ କିଛିଦିନ ହେଲାଣି, ରେଢାଖୋଲ ବନଖଣ୍ଡ, ନାକଟିଦେଉଳ ରେଂଜ, ଚଡ଼ଚଡି ଗାଁ ନିକଟ ଜଙ୍ଗଲରେ ଏହି ଦନ୍ତାହାତୀଟି ଚଳପ୍ରଚଳ କରୁଥିଲା । ତାସହ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଥିଲା । ଏହି ହାତୀକୁ ଘଉଡ଼ାଇବା ପାଇଁ ସାହସର ସହ ଅପରେସନ୍ ଆରମ୍ଭ କରିଥିଲେ ବୋଲି ଚିତ୍ତରଞ୍ଜନ କହିଛନ୍ତି । ରେଢ଼ାଖୋଲର ଚିତ୍ତରଞ୍ଜନ ୨୦୦୯ରୁ ଚାକିରୀ ଆରମ୍ଭ କରିଥିଲେ । ୨୦୧୨ରେ ଏକ ବିରାଟକାୟ ଅଜଗରର ଅଣ୍ଡା ଗୁଡ଼ିକୁ ସୁରକ୍ଷା ଦେବା ସହ କେୟାରଟେକର ସାଜି ଚର୍ଚ୍ଚାକୁ ଆସିଥିଲେ ଚିତ୍ତରଞ୍ଜନ । ଏବେ ଅଦମ୍ୟ ସାହସ ଦେଖାଇ ହାତୀକୁ ଘଉଡ଼ାଇବାର ଚମତ୍କାର କୌଶଳ ଆପଣାଇ ସବୁରି ମୁହଁରେ ପ୍ରଶଂସିତ ହେଉଛନ୍ତି । କୌଣସି ସାଧାରଣ ଲୋକ ଏମିତି ଉଦ୍ୟମ ନକରିବାକୁ ନିବେଦନ ବି କରିଛନ୍ତି ।

ହାତୀ ମଣିଷର ଲଢ଼େଇକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଭିତରେ ଅନେକ ଥର ବିବାଦୀୟ ହୋଇଛି ବନବିଭାଗ । ଏହି ସ୍ଥିତିରେ ଚିତ୍ତରଞ୍ଜନଙ୍କ ଭଳି ବାହାଦୂର ବନ କର୍ମଚାରୀଙ୍କ ବୁଦ୍ଧିମତା ଏବଂ ସାହସ ନିଶ୍ଚିତ ପ୍ରଶଂସାଯୋଗ୍ୟ ।

ରିପୋର୍ଟର- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ