/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653961855.jpg)
Brajarajnagar By-Poll
ବ୍ରଜରାଜନଗର ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ଭୋଟ୍ ଦେବା ପାଇଁ ନିଜ ନିଜ ବୁଥରେ ଆସି ସକାଳୁ ସକାଳୁ ଭିଡ଼ ଲଗାଇଛନ୍ତି ଭୋଟର । ଉପନିର୍ବାଚନରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ । ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି ।
ଭୋଟ୍ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ଆଇନଶୃଙ୍ଖଳା ପାଇଁ ୧ ହଜାର ପୋଲିସ ଅଧିକାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହୋଇଛନ୍ତି । ୨୭୯ ବୁଥରେ ମତଦାନ ହେଉଛି, ସେଥିମଧ୍ୟରୁ ୬୦ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ୫୦ ପ୍ରତିଶତ ବୁଥରେ ୱେବ୍ କାଷ୍ଟିଂ କରାଯିବ, ୫ଟି ପିଙ୍କ୍ ବୁଥ ପାଇଁ କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ବ୍ରଜରାଜନଗର ଆସନ ପୂର୍ବରୁ କଂଗ୍ରେସର ଗଡ଼ ରୂପେ ପରିଚିତ ଥିଲା । ନବୀନ ପଟ୍ଟନାୟକଙ୍କ ସରକାର ଗଠନ ପରେ ମଧ୍ୟ କ୍ରମାଗତ ଭାବେ ୩ ଥର କଂଗ୍ରେସ ଏଠାରେ ବିଜୟୀ ହୋଇଥିଲା । ତେବେ ୨୦୧୪ରେ ବଦଳିଥିଲା ଏଠିକାର ରାଜନୈତିକ ଚିତ୍ର । ଏଠାରୁ ବିଧାୟିକା ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ତେବେ ୨୦୧୯ରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ରାଧାରାଣୀଙ୍କୁ ୧୧ହଜାରୁ ଅଧିକ ଭୋଟରେ ହରାଇ ଥିଲେ । ତେଣୁ ଏହି ଆସନରେ ତିନି ଦଳଙ୍କ ଭୋଟ୍ ବ୍ୟାଙ୍କ ରହିଛି ।
ବିଜେପି ଓ ବିଜେଡି ମଧ୍ୟରେ ଏଠାରେ ମୁଖ୍ୟତଃ ଲଢେଇ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏଠାରେ କଂଗ୍ରେସର ଦବଦବା ମଧ୍ୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)