• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୁସ୍ଥ ହୋଇ ଘରକୁ ଫେରିଲା ଛତିଶଗଡ଼ର ମୃତ୍ୟୁଜୟୀ ବାଳକ ରାହୁଲ । ଏହି ଅବସରରେ ବିଳାସପୁରରେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲ୍‌ଠାରୁ ଆରମ୍ଭ କରି ନିଜ ଗାଁ ପିହରିଡ୍ ପର୍ଯ୍ୟନ୍ତ ସବୁଠି ଖୁସିର ପରିବେଶ ଖେଳିଯାଇଥିଲା । ସଂକୀର୍ତ୍ତନ ମଣ୍ଡଳି ସହ ଗାଁ ପରିକ୍ରମା ପରେ ନିଜ ଘରକୁ ପ୍ରବେଶ କରିଥିଲା ରାହୁଲ ।

ରାହୁଲଙ୍କ ହସ ଟିକକକୁ ଯେମିତି ସାରା ଦେଶ ଅପେକ୍ଷା କରିଥିଲା । ବୋରୱେଲରେ ୫ ଦିନ କାଳ ସଂଘର୍ଷ ପରେ ମୃତ୍ୟୁକୁ ମାତ୍ ଦେଇ ୧୦ ଦିନର ଚିକିତ୍ସା ପରେ, ଆଜି ରାହୁଲ୍ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି । ଆପୋଲୋ ହସ୍ପିଟାଲ୍ ସାମ୍ନାରେ ରାହୁଲ୍ ପାଇଁ କାହା ହାତରେ ଗିଫ୍ଟ ତ କାହା ହାତରେ ମିଠା, କିଏ ଭେଟି ଦେଇଥିଲେ ସାଇକେଲ୍...ରାହୁଲ ଘରକୁ ଫେରୁଥିଲା ତ ସବୁରି ମୁହଁରେ ଖୁସି ଖେଳୁଥିଲା । ଏମିତିକି ଦୁଇ ଦୁଇଟି ଜିଲ୍ଲା ଜାଞ୍ଜଗିରୀ ଚାମ୍ପା, ବିଳାସପୁରର ଜିଲ୍ଲାପାଳ ଓ ଏସ୍ପି ବାଟୋଇ ଦେବାକୁ ସମସ୍ତେ ଥିଲେ, ସମସ୍ତଙ୍କ ଶୁଭକାମନା ଥିଲା । ରାହୁଲ ବି ପ୍ରଥମ ଥର ପାଇଁ କ୍ୟାମେରା ଆଗରେ ହାତ ହଲେଇ ହାଏ କହିଥିଲା ।

ଏହାପରେ ବିଳାସପୁରରୁ ୧୨୦ କିଲୋମିଟର ଦୂର ଗାଁ ପିହରିଡ୍ ଅଭିମୁଖେ ରାହୁଲ୍‌ର ଗାଡ଼ି ଛୁଟିଥିଲା । ତାଙ୍କ ସାଙ୍ଗରେ ପୋଲିସ୍ ଗାଡ଼ି ଡାକ୍ତରୀ ଟିମ୍ ମଧ୍ୟ ଥିଲେ । ରାହୁଲ ଫେରିବା ଖୁସିରେ ସାରା ଗାଁରେ ଉତ୍ସବ ଖେଳିଯାଇଥିଲା । ରଥ ପ୍ରସ୍ତୁତ ଥିବା ସତ୍ତ୍ୱେ ରାହୁଲ୍‌ର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସଂକୀର୍ତ୍ତନ ମଣ୍ଡଳି ସହ ସେଇ କାର୍‌ରେ ଗାଁ ପରିକ୍ରମା ପରେ ଘରକୁ ଫେରିଥିଲା ରାହୁଲ୍ ।

ସୂଚନା ଅନୁସାରେ, ଛତିଶଗଡ଼ ଜାଞ୍ଜଗିରପି ଚାମ୍ପା ଜିଲ୍ଲାର ପିରହିଡ୍‌ରେ ଖେଳୁ ଖେଳୁ ୮୦ ଫୁଟ୍‌ର ବୋରେଓ୍ୱଲ୍ ଭିତରେ ରାହୁଲ୍ ଖସି ପଡ଼ିଥିଲା । ଏନ୍‌ଡିଆର୍‌ଏଫ୍, ଏଡିଆର୍‌ଏଫ୍‌ ସହାୟତାରେ ଦୀର୍ଘ ୧୦୮ ଘଣ୍ଟାର ଅପରେସନ୍ ପରେ ଗତ ୧୪ ତାରିଖରେ ରାହୁଲ୍‌କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ଟୁ ଅଣାଯାଇଥିଲା । ଏହାପରେ ଟିକେ ସୁସ୍ଥ ହେବା ପରଠୁ ହସ୍ପିଟାଲ୍‌ରୁ ନିୟମିତ ରାହୁଲ୍‌ର ମୋବାଇଲ୍ ସହ ଖେଳିବା, ଖାଇବା, ଚାଲିବା ଓ ଫିଜିଓ ଥେରାପି ବେଳର କିଛି କିଛି ଭିଡିଓ ସାମ୍ନାକୁ ଆସୁଥିଲା । ଆଉ ଆଜି ରାହୁଲ୍ ଖୁସି ଖୁସି ଘରକୁ ଫେରିବା ସହ ଶେଷ ହୋଇଛି ସବୁ ପ୍ରତୀକ୍ଷା ।