• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଲ୍ ପ୍ରୁଫ୍ ପ୍ଲାନ୍ ଥିଲା ଘଟଣାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ । ସବୁକିଛି ଯୋଜନା ମୁତାବକ ବି ହୋଇଥିଲା । କିନ୍ତୁ ସତ ଧରାଇଦେଲା ସିସିଟିଭି ଫୁଟେଜ୍ । ବଲାଙ୍ଗିର ଆର୍ଟିଓ ଛକରେ ଗତକାଲି ବାଇକ୍-ମିନିଟ୍ରକ୍ ଧକ୍କା କୌଣସି ଅଚାନକ ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ଥିଲା ବୋଲି ଆଶଙ୍କା କରୁଛି ପୋଲିସ । ଓଟିଭି ହାତରେ ଲାଗିଥିବା ତଥ୍ୟ, ଦୃଶ୍ୟ ଓ ବୟାନ୍ ବି ସେଇ ଆଡ଼କୁ ଇସାରା କରୁଛି ।

ବଲାଙ୍ଗିର ଆରଟିଓ ଛକରେ ଗତକାଲିର ଦୁର୍ଘଟଣା ଆଖିକୁ ଅଚାନକ୍ ଲାଗୁଥିଲେ ବି, ୟା ପଛର ଅସଲ ଗୁମର ଖୋଲିଦେଇଛି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା । ରାସ୍ତା ପୂରା ଫାଙ୍କା, ତଥାପି ବାଇକ ପଛେ ପଛେ ମିନିଟ୍ରକ୍ । ଓଭରଟେକ୍ କରୁନି କି ସ୍ଲୋ ବି ହେଉନି। ଆଉ ତା’ପରେ ହୋଇଛି ଦୁର୍ଘଟଣା ।

ସିସିଟିଭି ଫୁଟେଜରୁ ସନ୍ଦେହ ଉପୁଜିଛି, ଦୁର୍ଘଟଣା ଜମାରୁ ଅଚାନକ ନଥିଲା । ଏଥିରେ ଗୁରୁତର ଆହତ ହୋଇଥିବା ସାନୁ ନାଏକ ବି ସମାନ ଅଭିଯୋଗ କରିଛନ୍ତି । କହିଛନ୍ତି ଚିତ୍ତରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତି ତାଙ୍କୁ ପୂର୍ବରୁ ହତ୍ୟା ଧମକ ଦେଇଥିଲେ । ସେ ହିଁ ମିନିଟ୍ରକ୍ ମଡ଼ାଇ ଦେଇଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ଚିତ୍ତରଞ୍ଜନ ନିଜେ ଗୋଡ଼ ଭାଙ୍ଗିଯାଇଥିବାରୁ ଚିକିତ୍ସିତ ହେଉଛନ୍ତି । ପଚାରିବାରୁ କହିଛନ୍ତି, ଦୁର୍ଘଟଣା ବେଳେ ସେ ଛକରେ ଠିଆ ହୋଇଥିଲେ ଏବଂ ତାଙ୍କୁ ବି ଗାଡ଼ି ଧକ୍କା ଦେଇଥିଲା ।.

ତେବେ କାହିଁକି ତିଆରି ହୋଇଥିଲା ଏଭଳି ମର୍ଡର୍ ପ୍ଲଟ୍? ଗୁରୁତର ସାନୁ ନାଏକଙ୍କ ବାପା ରବି ନାଏକ କହିଛନ୍ତି, ଚିତ୍ତରଞ୍ଜନ ତାଙ୍କର ଏକ ଜାଗା ଉପରେ ଦୀର୍ଘ ଦିନ ଧରି ଆଖି ପକାଇଥିଲା ଏବଂ ଜମି ନଦେଲେ ପୂରା ପରିବାରକୁ ସଫା କରିଦେବ ବୋଲି ଧମକ ଦେଇଥିଲା । ସତକୁ ସତ ୭ ଦିନ ତଳେ ରବିଙ୍କ ବଡ଼ ପୁଅ ଭୁବନଙ୍କୁ ସମାନ ଜାଗାରେ, ସମାନ ଷ୍ଟାଇଲରେ ଧକ୍କା ଦେଇଥିଲା ମିନିଟ୍ରକ୍ ।

ସେ ଏବେବି ଚିକିତ୍ସାଧୀନ ଥିବା ବେଳେ, ଗତକାଲି ସକାଳୁ ପୁଣି ଫୋନରେ ରବି ଓ ଚିତ୍ତଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଦିନ ୧୨ଟା ବେଳକୁ ମଝିଆ ପୁଅ ସାନୁ ଉପରେ ଗାଡ଼ି ଚଢ଼ିଗଲା । ସୌଭାଗ୍ୟବଶତଃ ସାନୁ ବଞ୍ଚିଯାଇଥିଲେ ବି, ତାଙ୍କ ସହ ବାଇକ୍ରେ ଯାଉଥିବା ଅନ୍ଯ ଜଣେ ଯୁବକ ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ଘଟିଛି । ବରଗଡ଼ର କିଛି ଯୁବକ ଗତରାତିରେ ଟାଉନଥାନା ଆଗରେ ଶ୍ରୀକାନ୍ତଙ୍କ ମୃତଦେହ ରଖି ବିକ୍ଷୋଭ କରିବା ସହ, ଚିତ୍ତ ମହାନ୍ତି ବିରୋଧରେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ଚିତ୍ତରଞ୍ଜନ ସମେତ ୩ଜଣଙ୍କୁ ଅଟକ ରଖି ଆଇପିସି ଧାରା ୩୦୨, ୩୦୭ ଓ ୧୨୦-ବିରେ ମାମଲାର ତଦନ୍ତ କରୁଥିବା ବେଳେ, ବଲାଙ୍ଗିର ଏସଡିପିଓ କହିଛନ୍ତି ମିନିଟ୍ରକ୍ ଭିତରେ ଚିତ୍ତଙ୍କ ସମେତ ୨ଜଣ ଥିଲେ । ଏହି ଦୁର୍ଘଟଣା ଯୋଜନାବଦ୍ଧ ବୋଲି ଜଣାପଡ଼ୁଛି ।

ଖାଲି ସିସିଟିଭି ଫୁଟେଜ୍ ନୁହେଁ, ମିନିଟ୍ରକର ରଙ୍ଗବୋଳା ନମ୍ବରପ୍ଲେଟ୍ ମଡରର୍ପ୍ଲଟ୍ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଥିବା ବେଳେ, ଏହି ଗାଡ଼ିର ଫିଟନେସ୍ ନଥିଲା ବୋଲି ମଧ୍ୟ ପରିବହନ ଆପରୁ ଜଣାପଡ଼ିଛି ।.