• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାମାକ୍ଷାନଗର(ବିଦ୍ୟାଧର ବରାଳ ) : ଭଗବାନଙ୍କ ସୃଷ୍ଟି ଭାରି ବିଚିତ୍ର । ଅଳ୍ପ ବୟସରୁ କାହିଁକି ଯେ ଏତେ କଷ୍ଟ ଦିଅନ୍ତି । ନିରୀହ, ନିଷ୍ପାପ, ଦୃଷ୍ଟିବାଧିକ ଶିଶୁଟି ଜୀବନର ସ୍ୱାଦ କଣ ଜାଣିବା ପୂର୍ବରୁ ସତେ ଯେପରି ଜୀବନର ଖୁସି ସବୁ ଲିଭି ଯାଇଛି । ଜୀବନ ସିନା ଅଛି ହେଲେ ଜୀବନ ରୂପୀ ଆଗ୍ନେୟଗିରିର ଜ୍ୱଳନ୍ତ ସ୍ରୋତ ଭିତରେ ଶିଶୁର ଭବିଷ୍ୟତ ହଜିଯିବାକୁ ବସିଲାଣି । ୭ ବର୍ଷର ଦୃଷ୍ଟିବାଧିତ ଶିଶୁ ଆଜି ବଞ୍ଚିବା ପାଇଁ ରାହା ଖୋଜୁଛି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବପଳାଶ ଗାଁର ବାଲିଜୁରୀ ସାହି । ସାହିର ଲାଲମୋହନ କୁଲଡି ଓ ଶୁଶିଳା କୁଲଡିଙ୍କ ୭ ବର୍ଷର ସାନପୁଅ ଶରତ କୁଲଡି । ଜନ୍ମରୁ ଦୃଷ୍ଟିବାଧିତ । ଶରତ ମାଆର ସ୍ନେହ ଓ ମମତା କଣ ଜାଣିନି । ଦେଖିନାହିଁ ପୃଥିବୀର ବାସ୍ତବ ଚିତ୍ରକୁ । ଏକ ବର୍ଷ ବୟସରେ ମାଆ ଶୁଶୀଳାଙ୍କୁ ହରେଇଛି ଶରତ । ବାପା ଲାଲମୋହନ କୁଲଡି ପୁଅକୁ ଉଭୟ ମାଆ ଓ ବାପାର ଖୁସି ଦେବାକୁ ଚେଷ୍ଟା କରନ୍ତି । ହେଲେ ଗରିବୀର କୋଠରାଘାତରେ ଛୁଆଙ୍କୁ ଭଲ କରି ମୁଠେ ଖାଇବାକୁ ଦେଇ ପାରିନ୍ତି ନାହିଁ ।

ଜନ୍ମରୁ ଦୃଷ୍ଟିବାଧିତ ୭ ବର୍ଷୀୟ ଶିଶୁପୁତ୍ର ଶରତ ଦୁନିଆ କଣ ଜାଣିନାହିଁ । ଏ ପୃଥିବୀର ସୌନ୍ଦର୍ଯ୍ୟକୁ ଦେଖିନାହିଁ । ସବୁ ପିଲାଙ୍କ ପରି ପାଠ ପଢିବାରେ ଇଛା ଥିଲେ ମଧ୍ୟ ପରିବାରର ଆର୍ଥିକ ସମସ୍ୟା ସାଜିଛି ବାଧକ । ଭଲରେ ଖାଇବାକୁ ପାଉ ନଥିବା ଶରତ ଭଗବାନଙ୍କ ଭରଷାରେ ଜୀବନ କାଟୁଛନ୍ତି । ମୁହଁର ମଳିନତା ପ୍ରକାଶ କରୁଛି ଜୀବନର ଦାରୁଣ ଦୁଃଖକୁ । ହେଲେ ତାଙ୍କ ଦୁଃଖ ପ୍ରତି ପ୍ରଶାସନ କର୍ଣ୍ଣପାତ କରୁଛି ,ନା ସ୍ଥାନୀୟ ସରପଞ୍ଚ କଷ୍ଟକୁ ବୁଝି ପାରୁଛନ୍ତି । ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । କେବଳ ମିଥ୍ୟା ପ୍ରତିଶ୍ରୁତି ମିଳୁଛି ।

ବଂଚିବା ପାଇଁ ବାପା ଲାଲମୋହନ ଦିନ ମଜୁରୀ କାମକୁ ଆପଣେଇ ନେଇଛନ୍ତି । ହେଲେ ଦୃଷ୍ଟିବାଧିତ ପୁଅକୁ ଛାଡିକି ବା କେଉଁଆଡ଼େ ଯିବେ । ନିଜ ସାହି ପଡିଶାଙ୍କ ପାଖରେ ଛାଡି ମୂଲ ଲାଗିବାକୁ ଯାଆନ୍ତି ଲାଲମୋହନ । ନିଜର ଦାରୁଣ କଷ୍ଟକୁ ପ୍ରଶାସନଙ୍କୁ ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ବାଧ୍ୟ ହୋଇ ଭଗବାନଙ୍କ ଭରଷାରେ ଜୀବନ ବିତାଉଛନ୍ତି ଏହି ଦୁଃଖୀ ପରିବାର । ତୁରନ୍ତ ଦୃଷ୍ଟିବାଧିତ ପିଲାଟିକୁ ସରକାରୀ ସହାୟତା ସହ ପାଠ ପଢିବା ପାଇଁ କିଛି ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି ।

ମୌଳିକ ସୁବିଧା ଓ ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ୭ ବର୍ଷର ଜଣେ ଦୃଷ୍ଟିବାଧିତ ଶିଶୁ ଏଥିରୁ ବାଦ ପଡିବା ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ସ୍ଥାନୀୟ ବିଡ଼ିଓ ବିନୋଦ ବିହାରୀ ବେହେରାଙ୍କୁ ଶରତ ଓ ତାଙ୍କ ପରିବାର ସମ୍ପର୍କରେ ଅବଗତ କରାଯାଇଛି । ତେବେ ତୁରନ୍ତ ଶରତଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତଃ ଭତ୍ତା ସହ ପାଠ ପଢିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ବଂଚିବା ପାଇଁ ରାହା ଖୋଜୁଥିବା କୋମଳମତି ଦୃଷ୍ଟିବାଧିକ ଶିଶୁ ଓ ତାଙ୍କ ପରିବାର ପ୍ରତି ସରକାରଙ୍କ ସାହାଯ୍ୟ ଓ ସହଯୋଗ ନିହାତି ଲୋଡ଼ା ହୋଇ ପଡିଛି । ଏଥିପ୍ରତି ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ଦେଖିବାକୁ ବାକି ରହିଲା ।