• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା । ଉଭୟଙ୍କୁ ଜୋରଜବରଦସ୍ତି ବିଷ୍ଠା ଖୁଆଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ କଲୋନୀ ସାହିର ଜଣେ ବୃଦ୍ଧ ବ୍ୟକ୍ତି ଗୁଣି ଗାରେଡି କରୁଥିବା ସନ୍ଦେହରେ ସାହିବାସିନ୍ଦା ମିଳିତ ଭାବେ ବୃଦ୍ଧଙ୍କୁ ମାଡ଼ ମାରିବା ସହିତ ବୃଦ୍ଧ ଦମ୍ପତିଙ୍କୁ ବିଷ୍ଠା ଖୁଆଇଛନ୍ତି । ମାଡ଼ ଖାଇ ଲହୁଲୁହାଣ ହୋଇଯାଇଥିବା ବୃଦ୍ଧଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ବେଳେ ତାଙ୍କ ଦେହର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି । ତାଙ୍କୁ ବର୍ତ୍ତମାନ ଫୁଲବାଣୀ ସ୍ଥିତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହତ ବୃଦ୍ଧ ଦମ୍ପତି ହେଲେ ମେରସନ ଦିଗାଲ ଏବଂ ପେଟି ଦିଗାଲ । ଗତକାଲି ସନ୍ଧ୍ୟାରେ ମେରସନ ଦିଗାଲ ସାରଙ୍ଗଡ଼ ବଜାରରୁ ଦୁଇଟି ରୁଟି କିଣି ନିଜ ଘରକୁ ଫେରୁଥିବା ବେଳେ ହଠାତ ବିଦ୍ୟୁତ ଚାଲିଯାଇଥିଲା । ଫଳରେ ସେ ଭୁଲବଶତଃ ଜଣେ ବ୍ୟକ୍ତିଙ୍କ ଘରକୁ ପଶିଯାଇଥିଲେ । ତାପରେ ସେହି ଘରର ମହିଳାଙ୍କ ସମେତ ସାହିର ସମସ୍ତ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ତୁ କୁଆଡ଼େ ଆସିଛୁ ଆଜି ତତେ ଛାଡ଼ିବୁନି ବୋଲି କହିଥିଲେ ।

ତାପରେ ମେରସନ ଦିଗାଲଙ୍କୁ ସମସ୍ତେ ମିଳିତ ଭାବେ ମାଡ଼ ମାରିଥିଲେ । ଫଳରେ ଘଟଣା ସ୍ଥଳରେ ସେ ମୂର୍ଚ୍ଛା ହୋଇ ପଡ଼ିଯାଇଥିଲେ । ଏହି ଖବର ପାଇ ବୃଦ୍ଧଙ୍କ ପତ୍ନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ତାଙ୍କୁ ଦେଖିବା ପରେ ଉଭୟଙ୍କୁ ଧରିନେଇ ସାହିବାସିନ୍ଦା ଜୋରଜବରଦସ୍ତ ବିଷ୍ଠା ଖୁଆଇଥିଲେ ।

ତେବେ ମାଡ଼ ଖାଇ ଗୁରୁତର ଥିବା ବୃଦ୍ଧ ଦମ୍ପତି ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ଏବଂ ଘଟଣା ବାବଦରେ ସାରଙ୍ଗଡ଼ ଥାନାରେ ମାମଲା ଅଭିଯୋଗ କରିଛନ୍ତି । ତେବେ ଘଟଣାରେ ସାରଙ୍ଗଡ଼ ଥାନା ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏ ନେଇ ଥାନାଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଲିପାରିନାହିଁ ।

ଫୁଲବାଣୀ, ତ୍ରିନାଥ ସାହୁ