• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ଯୋଗୁଁ ରୁଚିକାଙ୍କ ମୃତୁ୍ୟ ହୋଇଥିବା ରିପୋର୍ଟରେ ସୂଚନା ମିଳିଛି। ବେକରେ ଫାଶି ଦେବାରୁ ଶ୍ୱାସରୁଦ୍ଧ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିବାର କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛିା ତେବେ ଅଧିକ ତଥ୍ୟ ପାଇଁ ଭିସେରା ନମୁନା ଲ୍ୟାବକୁ ପଠା ଯାଇଛି ।

ସେପଟେ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ୪ ଦିନ ବିତିଛି । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ରୁଚିକା? ରାଗିଂ ଅଭିଯୋଗର ସତ୍ୟାସତ୍ୟ କେତେ? ରାଗିଂ ପଛରେ କିଏ ସାମିଲ? କିଏ ସେହି ତିନି ଜଣ ସିନିୟର? ଏସବୁ ପ୍ରଶ୍ନକୁ ନେଇ ଏବେ ଚାଲିଛି ଖୋଳତାଡ଼ । ରୁଚିକାଙ୍କ ସ୍କୁଲ, କଲେଜ ସାଙ୍ଗ, କଲେଜ୍ କତ୍ତୃପକ୍ଷଙ୍କ ସମେତ ଏଯାବତ ଶହେରୁ ଅଧିକ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ପୋଲିସ୍ ଟିମ୍ ରୁଚିକାଙ୍କ ଗାଁକୁ ଯାଇ ତଦନ୍ତ କରିଛି ।

ଅନ୍ୟପକ୍ଷେ, ଝିଅକୁ ନ୍ୟାୟ ଦାବିରେ ଏବେ ବି ରୁଚିକାଙ୍କ ବାପା ମାଆ କଲେଜ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ରୁଚିକାଙ୍କ ବାପା, ମାଆ ଓ ଭାଇ ବି ଛାତ୍ରଛାତ୍ରୀଙ୍କ ସହ ଧାରଣା ଦେଇଛନ୍ତି । ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ, ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ରାଗିଂ ବନ୍ଦ ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ଗଣଧାରଣା ଜାରି ରହିଛି ।

ଏହାସହ ରାଗିଂ ପାଇଁ ମେଧାବୀ ଛାତ୍ରୀ ରୁଚିକାଙ୍କ ମୃତ୍ୟୁର ପ୍ରତିବାଦ ଓ ତାଙ୍କ ପରିବାରକୁ ନ୍ୟାୟ ଦାବି କରି ରାଜଧାନୀ, ତାଙ୍କ ଜନ୍ମମାଟି ଆଠଗଡ଼ର କଖଡ଼ି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ରାଲି କରାଯାଇଛି । ସେହିପରି ରୁଚିକା ଆତ୍ମହତ୍ୟା ଘଟଣା ନେଇ ହୁଲୁସ୍ତୁଲ ବିଧାନସଭା । ଗତକାଲି ପ୍ରଶ୍ନକାଳରେ ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରବଳ ହୋହଲ୍ଲା କରିଥିଲେ ।

ସେପଟେଏହି ଘଟଣାରେ ବିଜେପି ଯୁବମୋର୍ଚ୍ଚା ସିବଆଇ ତଦନ୍ତ ଦାବି କରିଛି । ଆଜି ସମ୍ବଲପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଶ ଆଚାର୍ଯ୍ୟ କହିଛନ୍ତି ଯେ, ‘ତଦନ୍ତ ଯେମିତି ହେବା କଥା ହେଉନି । ଛାତ୍ରୀ ମୃତ୍ୟୁ ଘଟଣାକୁ ଖୁବ ନିନ୍ଦନୀୟ ।’

ଏହାସହ ସେ ରାଜ୍ୟରେ ରାଗିଂ ରୋକିବାକୁ ଆଇନ କରିବାକୁ ଦାବି କରିଛନ୍ତି । ଆଣ୍ଟି ରାଗିଂ ନମ୍ବର ବ୍ୟବସ୍ଥା କରିବାକୁମ ମଧ୍ୟ ଇରାଶିଶ ଦାବି କରିଛନ୍ତି । ଏକ ଟାସ୍କ ଫୋର୍ସ ଗଠନ ମାଧ୍ୟମରେ ରାଗିଂ ଘଟଣାର ତଦନ୍ତ ପାଇଁ ମତ ରଖିଛନ୍ତି । ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଓ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଈରାଶିଷ ।