• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପକ୍ଷୀ ଆମର ବନ୍ଧୁ

  • ଚର୍ଚ୍ଚାରେ କୁଆଁର ଗାଁ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): କଥାରେ ଅଛି ଗାଁ ପରିବେଶ ଗାଁ ମୁଣ୍ଡରୁ। ଏହାର ଅର୍ଥ ହେଉଛି ଗାଁର ସୌନ୍ଦର୍ଯ୍ୟ ଗାଁ ଆରମ୍ଭରୁ ହିଁ ବାରି ହୋଇ ପଡ଼େ। ଆଉ ଟିଟିଲାଗଡ଼ର ସଇଁତଳାର କୁଆଁର ଗାଁରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଲେଖାରେ ବର୍ଣ୍ଣନା କରିବା ବୋଧହୁଏ ସମ୍ଭବ ନୁହେଁ। କାରଣ ଗାଁର ନଈ ପଠାରୁ ଆରମ୍ଭ କରି ଗାଁରେ ଥିବା ବଡ଼ ବଡ଼ ଗଛ, ଯେଉଁଠିକୁ ଦେଖିବେ କେବଳ ପକ୍ଷୀଙ୍କର ମାଳ ମାଳ ବସା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ପକ୍ଷୀଙ୍କ ସହ ଗାଁ ଲୋକେ କୁଆଡ଼େ ବନ୍ଧୁ ବାନ୍ଧିଛନ୍ତି। କାରଣ ଏମାନେ ଜମି ବାଡ଼ିରେ ବୁଲୁଥିବା ପୋକତୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି। ତେଣୁ ଚାଷୀ ଭାଇର ଫସଲ ବି ଭଲରେ ହୁଏ। ତେଣୁ ପକ୍ଷୀ ଗୁଡ଼ିକକୁ ସୁରକ୍ଷା ଦେବାରେ ଏବେ ବ୍ୟସ୍ତ ଗ୍ରାମବାସୀ। ଆଉ ଏମାନଙ୍କର କୋଳାହାଳରେ ପୂରି ଉଠୁଛି ପୂରା ଗାଁ ପରିବେଶ। କାହିଁ କେବେଠୁ ଏଠିକି ପକ୍ଷୀମାନେ ଆସୁଛନ୍ତି ତାହା କେହି କହିପାରୁନାହାନ୍ତି। କିନ୍ତୁ ଏ ପକ୍ଷୀମାନେ କୁଆଡ଼େ ଏମାନଙ୍କ ବନ୍ଧୁ ହୋଇଛନ୍ତି।

 

ଟିଟିଲାଗଡ଼ର ସଇଁତଳାର କୁଆଁର ଗାଁ। ଏହି ଗାଁକୁ ଛୁଟି ଆସନ୍ତି ଶହଶହ ପକ୍ଷୀ। ପକ୍ଷୀ ମାନେ ଠିକ ବର୍ଷା ଋତୁ ଆସିବା ସମୟରେ ଗାଁ ରେ ଥିବା ଗଛ ଗୁଡିକୁ ବସା ବାନ୍ଧି ରହିଥାନ୍ତି ଓ ଏହି ସ୍ଥାନରେ ଅଣ୍ଡା ବି ଦିଅନ୍ତି। ଆଉ ଶାବକ ଜନ୍ମ ହେବା ପରେ ପୁଣି ନିଜ ସ୍ଥାନକୁ ଫେରି ଯାଇଥାନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପକ୍ଷୀମାନଙ୍କୁ ନିଜସ୍ୱ ଉଦ୍ୟମ କରି ସୁରକ୍ଷା ଯୋଗାଇ ଥାଆନ୍ତି ଗାଁ ଲୋକେ।

ତେବେ ଉଚ୍ଚ ଆକାଶରେ ଉଡୁଥିଲେ ବି ନିଜ ଛୁଆଙ୍କ ଉପରେ ନଜର ରଖନ୍ତି ଏହି ପକ୍ଷୀ। ଗାଁ ଲୋକେ ଏହି ପକ୍ଷୀ ଗୁଡ଼ିକୁ ଗେଣ୍ଡାଳିଆ କୁହନ୍ତି। କିଛି ଗେଣ୍ଡାଳିଆ ଉଚ୍ଚ ଆକାଶରେ ଉଡି ନିଜ ବସା ଉପରେ ନଜର ରଖିଛନ୍ତି ତ କିଏ ନବଜାତ ଛୁଆଙ୍କ ପାଇଁ ପାଖ ଚାଷ ଜମି ଓ ନଦୀକୁ ଯାଇ ଖାଦ୍ୟ ଖୋଜୁଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ସଇଁତଳା ଗାଁରେ। ଗାଁର ଏଇ ବଡ଼ ବଡ଼ ଗଛ ଏମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ। ଏମିତିକି ଗାଁରେ ଥିବା ବିଲରେ ଏହି ପକ୍ଷୀ ଗୁଡ଼ିକ କୀଟପତଙ୍ଗକୁ ଖାଉଥିବାରୁ ଏମାନଙ୍କୁ ପାଳି କରି ସୁରକ୍ଷା ଦିଅନ୍ତି ଗାଁ ଲୋକେ। ଆଉ ବନ ବିଭାଗ ସୁରକ୍ଷା ଦେବାକୁ ଦାବି ବି କରିଛନ୍ତି।

ତେବେ ପକ୍ଷୀ ମାନଙ୍କୁ ଗ୍ରାମବାସୀ ପାଳି କରି କରି ଜଗୁଛନ୍ତି ଓ ଶିକାରୀ ମାନଙ୍କୁ ବାରଣ କରୁଛନ୍ତି। ହେଲେ ରାତିର ଅନ୍ଧାର ସୁଯୋଗ ନେଇ ଶିକାରୀ ମାନେ ପକ୍ଷୀ ଶିକାର କରୁଛନ୍ତି, ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ। ଶିକାରୀ ମାନଙ୍କୁ ଆୟତ୍ତ କରିବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ଅଭିଯୋଗ କରିଥିଲେ, ହେଲେ ବନ ବିଭାଗ କେବଳ ଜନ ସଚେତନତା ପାଇଁ ଏକ ମିଟିଂ କରି ନିଜ ଦାୟିତ୍ଵ ସରାଇ ଦେଇଥିବା ଅଭିଯୋଗ ହୋଇଛି।