ଦୀର୍ଘ ଦିନର ଦାବି ପରେ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ପୋଲ ସମ୍ପୂର୍ଣ୍ଣ ହେବା ନେଇ ଏବେ ଆଶଙ୍କା ଦେଖାଦେଇଛି । ନିର୍ମାଣରେ ତ୍ରୁଟି ଏବଂ ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ବୈତରଣୀ ନଦୀରେ ଏବେ ବି ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକେ ଦାବି ପରେ ଦାବି କରୁଛନ୍ତି, ହେଲେ କର୍ଣ୍ଣପାତ କରୁନି ପ୍ରଶାସନ ଦେଖିବା ।
ଲାଗିଛି ସୁନ୍ଦର ଫଳକ, ହେଲେ ଏହା ଆଜିକାର ନୁହଁ । ୫-୨-୨୦୧୬ ମସିହାରେ ବୈଚରଣୀ ନଦୀରେ ପୋଲ ନିର୍ମାଣ ଲାଗି ଲାଗିଥିଲା ଏହି ଫଳକ । ୨୦୨୨ ମସିହା ହେଲାଣି, ଅର୍ଥାତ ୭ ବର୍ଷ ବିତିଥିଲେ ବି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ-ବାତୋ ବୈତରଣୀ ନଦୀ ଉପରେ ସେତୁ କାମ ସରିବାର ନାଁ ଧରିନି । ଏହି ସେତୁ ନିର୍ମାଣ ଲାଗି ୩୫ କୋଟି ଟଙ୍କା ଟେଣ୍ଡର କରାଯାଇଥିଲା । ନଦୀର ଦୁଇ ପାର୍ଶ୍ୱରେ କିଛି ଅଂଶ ପୋଲ କାମ ସରିଥିବା ବେଳେ ମଝି ଅଂଶ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି । ପୋଲ ର୍ନିମାଣ କରୁଥିବା ଠିକା ସଂସ୍ଥା କାମ ଅସମ୍ପୁର୍ଣ୍ଣ ରଖି ପଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ନିର୍ମାଣ ହୋଇନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧା ଭୋଗୁଥିବା କହିଛନ୍ତି ।
ଏହି ସେତୁ ନିର୍ମାଣ ହେଲେ ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ୩୦ଟି ପଞ୍ଚାୟତର ଲୋକେ ଉପକୃତ ହେବେ । ଏହାସହ ବର୍ଷା ଦିନେ ଜଳବନ୍ଦୀ ହେଉଥିବା ଆମ୍ବୋ ପଞ୍ଚାୟତର ଲୋକ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ପାଇପାରିବେ । ସେପଟେ ବୈତରଣୀ ନଦୀର ବାମ ପାଶର୍ବରେ ଥିବା ହାଟଡିହି ବ୍ଲକର ଆମ୍ବୋ ସମେତ ଇଞ୍ଚୋଳ , ରମ୍ପାସ ଆଦି ପାଖାପାଖି ୫ ଟି ପଞ୍ଚାୟତ ଲୋକ ବି ସୁବିଧା ପାଇପାରିବେ । ସେପଟେ ଠିକା ସଂସ୍ଥା କାମ ଛାଡିବା ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପୁଣି ଥରେ ଟେଣ୍ଡର କରିଛି, ତେଣୁ ଶୀଘ୍ର କାମ ଆରମ୍ଭ କରି ସାରିବା ଲାଗି ୟୋଜନା ରହିଥିବା କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।
ଶିଳାନ୍ୟାସ ଠାରୁ କାମ ସାରିବାର ଅବଧି ସରିଲାଣି ହେଲେ କାମ ରହିଛି ଅଧପନ୍ତରିଆ ବର୍ଷା ପୂର୍ବରୁ ଯଦି ଏହାର ନିର୍ମାଣ ସରେ ତେବେ ଲୋକେ ବହୁ ଅସୁବିଧାରୁ ମୁକ୍ତ ପାଇପାରିବେ ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଲୋକନାଥ ସିଂଙ୍କ ରିପୋର୍ଟ