• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଧପନ୍ତରିଆ ହୋଇପଡ଼ି ରହିଛି ବିଜୁ ସେତୁ । ଦୀର୍ଘ ଦିନର ଦାବି ପରେ ଟେଣ୍ଡର ପଡ଼ି ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା, ହେଲେ ପୋଲ ସମ୍ପୂର୍ଣ୍ଣ ହୋଇପାରୁନି । ସେତୁ ନିର୍ମାଣ ହେଲେ ସହଜରେ ଯାତାୟତ କରିବେ ବୋଲି ଚାହିଁ ରହିଛନ୍ତି ଲୋକେ । ହେଲେ ନିର୍ମାଣରେ ତ୍ରୁଟି ଏବଂ ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ବୈତରଣୀ ନଦୀରେ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ-ବାତୋ ବୈତରଣୀ ନଦୀ ଉପରେ ପୋଲ । ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନ ଧରି ଦାବି ପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୬ ମସିହାରେ ବିଜୁ ସେତୁ ଯୋଜନାରେ ଏଠାରେ ସେତୁ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ଟେଣ୍ଡର କରାଯାଇଥିଲା । ସେତୁ ନିର୍ମାଣ ପାଇଁ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଠିକା ସଂସ୍ଥା ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ।

ନଦୀର ଦୁଇ ପାର୍ଶ୍ୱର କିଛି ଅଂଶ ପୋଲ କାମ ସରିଥିବା ବେଳେ ମଝି ଅଂଶ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ଏପରିକି ପୋଲର ସମସ୍ତ ଖମ୍ବ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ପୋଲ ନିର୍ମାଣ କରୁଥିବା ଠିକା ସଂସ୍ଥା କାମ ଅସମ୍ପୂର୍ଣ୍ଣ ରଖି ପଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୋଲ ସମ୍ପୂର୍ଣ୍ଣ ନହେବାରୁ ପୂର୍ବ ଭଳି ଅସୁରକ୍ଷିତ ଭାବେ ଡଙ୍ଗାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ ।

ଏହି ପୋଲ ସମ୍ପୂର୍ଣ୍ଣ ହେଲେ ଯାଜପୁର,କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ପାଖାପାଖି ୩୦ଟି ପଞ୍ଚାୟତର ଲୋକେ ଉପକୃତ ହେବେ । ଏଥିସହ ବର୍ଷା ଦିନେ ଜଳବନ୍ଦୀ ହେଉଥିବା ଆମ୍ବୋ ପଞ୍ଚାୟତର ଲୋକଙ୍କ ପାଇଁ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନର ନୂତନ ଅଧ୍ୟାୟ ସୃଷ୍ଟି ହେବ ।

ବୈତରଣୀ ନଦୀର ବାମ ପାର୍ଶ୍ୱରେ ଥିବା ହାଟଡିହି ବ୍ଲକର ଆମ୍ବୋ ସମେତ ଇଞ୍ଚୋଳ, ରମ୍ପାସ ଆଦି ପାଖାପାଖି ୫ ଟି ପଞ୍ଚାୟତର ଛାତ୍ରଛାତ୍ରୀ ସ୍କୁଲ କଲେଜ ଏବଂ ଚିକିତ୍ସା ପାଇଁ ବୈତରଣୀ ନଦୀର ଅପର ପାର୍ଶ୍ଵ ବାତୋ ଉପରେ ନିର୍ଭର କରିଥାନ୍ତି । ସେହି ନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ବାତୋ ସମେତ ସାଇଁକୁଳ, ପଣ୍ଡୁଆ, ଜଳସୁଆଁ ଆଦି ପଞ୍ଚାୟତର ଲୋକେ ବ୍ୟବସାୟ ପାଇଁ ନଦୀର ଅପର ପାର୍ଶ୍ଵ ନିକଟରେ ଥିବା ଭଦ୍ରକ ବଜାର ଉପରେ ନିର୍ଭର କରିଥାନ୍ତି ।

ତେଣୁ ତୁରନ୍ତ ସେତୁ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଠିକା ସଂସ୍ଥା କାମ ଛାଡି ପଳାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପୁଣି ଟେଣ୍ଡର କରିଛି । ଅତି ଶୀଘ୍ର ସେତୁ କାମ ଆରମ୍ଭ ହୋଇ ସମ୍ପୁର୍ଣ୍ଣ କରାଯିବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର କହିଛନ୍ତି ।

ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ