• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚିନ୍ତା ବଢ଼ାଇଲା ଦୀପାବଳିରେ ମନଇଛା ବାଣଫୁଟା । ରାଜ୍ୟର ବହୁ ସହରରେ ସର୍ବୋଚ୍ଚ ସୀମା ଛୁଇଁଛି ପ୍ରଦୂଷଣ ମାତ୍ରା । ଦୀପାବଳି ବାଣ ଫୁଟା ଯୋଗୁ ରବିବାର ରାତି ଗୋଟାଏରେ ତାଳଚେର, ଭୁବନେଶ୍ୱର, କଟକ, ବାଲେଶ୍ୱରରେ ଏୟାର କ୍ବାଲିଟି ଇଣ୍ଡେକ୍ସ-AQI ୫୦୦ ଛୁଇଁଥିଲା । ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୩୩୫ ଥିଲା ବେଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୩୩୨, ବାଲେଶ୍ୱରରେ ୩୨୪ ବା ଅତି ଖରାପ ସ୍ଥିତିକୁ ପହଞ୍ଚି ଯାଇଥିଲା । କଟକରେ AQI ୨୯୪ ଓ ଭୁବନେଶ୍ବର ପଟିଆ ଅଞ୍ଚଳରେ ୨୯୦ ରହିଥିଲା ।

ତେବେ ଆଶ୍ଚର୍ଯ୍ୟର କଥା ଦୀପାବଳି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା । ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି, ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପ୍ରଶାସନକୁ ବି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏକ ସମୟରେ ବାଣ ଫୁଟା ଯୋଗୁ ରାଜ୍ୟରେ ପ୍ରଦୂଷଣ ମାତ୍ରା ଏମିତି ବଢ଼ିଛି ।

ପ୍ରଦୂଷଣ କମାଇବା ଉଦ୍ଦେଶ୍ୟରେ ଦୀପାବଳିରେ ଗ୍ରୀନ କ୍ରାକର ବ୍ୟବହାର ସହ ରାତି ୧୦ରୁ ସକାଳ ୬ ଯାଏଁ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦେଇଥିଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ହେଲେ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟରେ ଅନେକ ସ୍ଥାନରେ ନିୟମର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଥିଲା । ଏମିତିକି ପ୍ରଶାସନ ଓ ପୋଲିସ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିନଥିଲା । ଏଣୁ ରାଜ୍ୟରେ ପ୍ରଦୂଷଣ ମାତ୍ରା ବୃଦ୍ଧି ନେଇ ପ୍ରଶାସନର ଉଦାସୀନତା ଓ ଜନସାଧାରଣଙ୍କ ବେଖାତିରକୁ ଦାୟୀ କରିଛନ୍ତି ପରିବେଶବିତ୍ ।

ଅପରପକ୍ଷରେ ବାଣ ବ୍ୟାନ ସତ୍ତ୍ୱେ ଦିଲ୍ଲୀରେ ଗତକାଲି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଆତସବାଜି ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବରେ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି । ପୂରା ଦିଲ୍ଲୀ ପ୍ରଦୂଷଣ ଚାଦରରେ ଘୋଡ଼ାଇ ହୋଇ ରହିଛି । ଏମିତିକି ସ୍ଥିତିରେ ସୁଧାର ଆଣିବାକୁ ବିଭିନ୍ନ ସ୍ଥାନରେ ସ୍ମଗ୍ ଗନ୍ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଦୂଷଣ ଯୋଗୁ ଦିଲ୍ଲୀ ଯମୁନା ନଦୀରେ ଖରାପ ଫେଣର ଆସ୍ତରଣ ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କୁ ଚିନ୍ତିତ କରିଛି ।

  • Reported by:
  • DEBASHISH MOHANTY , KAPILENDRA PRADHAN , BIBARTAN PANDA