Advertisment

ସାରା ଭୁବନେଶ୍ୱର ଭୋଗିବ କି ମାର୍କେଟ୍ ବିଲ୍ଡିଂ କଳିର ପ୍ରଭାବ? ସରକାରଙ୍କୁ ବ୍ୟବସାୟୀ ମହାସଂଘର ଦିନିକିଆ ଅଲ୍ଡିମେଟମ୍

ସମସ୍ୟାର ସମାଧାନ ନକଲେ ବନ୍ଦ ଡାକରା ଦେବାକୁ ଚେତାବନୀ

author-image
Prangyan Parimita
ଅଦ୍ୟତନ ହୋଇଛି
Market Building

Market Building

ଥମିବାର ନାଁ ଧରୁନି ମାର୍କେଟ୍ ବିଲ୍ଡିଂ କଳି । ସ୍ଥାୟୀ ବ୍ୟବସାୟୀ କିମ୍ବା ଉଠା ଦୋକାନୀ, କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି । ସପ୍ତାହେ ହେଲାଣି ଉଭୟ ସଂଘ ଧାରଣାରେ ବସିଥିବା ବେଳେ, ଭୁବନେଶ୍ୱରର ଏହି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବି ବନ୍ଦ ରହିଛି । ଉଠା ଦୋକାନୀଙ୍କୁ ହଟାଇବା ଜିଦରେ ଅଡ଼ିବସିଥିବା ସ୍ଥାୟୀ ବ୍ୟବସାୟୀମାନେ ଆଜି ଭୁବନେଶ୍ୱରର ଅନ୍ୟ ୫୦ଟି ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଛନ୍ତି ଏବଂ ଆସନ୍ତାକାଲି ଭିତରେ ସମସ୍ୟାର ସମାଧାନ କରିବାକୁ ସରକାରଙ୍କୁ ମହଲତ ଦେଇଛନ୍ତି।...

Advertisment

ରବିବାରରେ ଯେଉଁଠି ପାଦ ପକାଇବାକୁ ବି ଜାଗା ମିଳେନି, ସେଠି ଆଜି ପୂରା ଖାଁ ଖାଁ ପରିବେଶ । ସପ୍ତାହେ ହେଲା ମାର୍କେଟ ବିଲ୍ଡିଂର ଫାଟକ ବନ୍ଦ ଥିବା ବେଳେ, ଭିତରେ କାଳେ କେଉଁ ଦୋକାନ ଖୋଲାଥିବ ଭାବି ଯଦିବା କିଏ ଗଳିପଶି ଆସୁଛି; ନିରାଶ ହେଉଛି ଧାଡ଼ିଧାଡ଼ି ବନ୍ଦ ସଟର ଓ ସେଥିରେ ଝୁଲୁଥିବା ତାଲାକୁ ଦେଖି।...

ଭୁବନେଶ୍ୱର ୟୁନିଟ-ଟୁ 'ମାର୍କେଟ ବିଲ୍ଡିଂ'ରେ ୧୬୫ ସ୍ଥାୟୀ ଦୋକାନ ଥିବା ବେଳେ, ଶତାଧିକ ଉଠାଦୋକାନୀଙ୍କ ପେଟପାଟଣା ବି ନିର୍ଭର କରେ ଏହାରି ଉପରେ । ଆଗରୁ ବି ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ବହୁବାର ଦେଖିବାକୁ ମିଳିଛି ସ୍ଥାୟୀ ବ୍ୟବସାୟୀଙ୍କର ଧାରଣା ଓ ବନ୍ଦ ଡାକରା । ହେଲେ ଏଥର ପୂରା ଆର୍-ପାର୍ ଲଢ଼େଇ। ଫାଟକ ଭିତରେ ସ୍ଥାୟୀ ବ୍ୟବସାୟୀଙ୍କ ଧାରଣା, ବାହାରେ ବି ଧାରଣାରେ ବସିଛନ୍ତି ଉଠା ଦୋକାନୀ । ଆଜି ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ବି ହୋଇଛି ଉଠାଦୋକାନୀଙ୍କ ଯୋଗୁଁ ମାର୍କେଟ ବିଲ୍ଡିଂରେ ଗଣ୍ଡଗୋଳ, ଅସ୍ୱାସ୍ଥ୍ୟକର ପରିବେଶ ଓ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ କରିଛି ୟୁନିଟ-୨ର ସେଣ୍ଟ୍ରାଲ ମାର୍କେଟ୍ ବ୍ୟବସାୟୀ ସଂଘ। ଆଜି ଏହି ସଂଘ ଭୁବନେଶ୍ୱରର ଅନ୍ୟ ୫୦ଟି ବ୍ୟବସାୟୀ ସଂଘ ସହ ଆଲୋଚନା କରି ସମର୍ଥନ ଲୋଡ଼ିବା ସହିତ, ସମସ୍ୟାର ସମାଧାନ କରିବାକୁ ବିଏମସିକୁ ଆସନ୍ତାକାଲି ଯାଏଁ ମହଲତ ଦେଇଛି । ଯଦି ସମାଧାନର ବାଟ ନବାହାରେ, ଆବଶ୍ୟକ ହେଲେ ଗୋଟିଏ ଦିନ ଭୁବନେଶ୍ୱରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Advertisment

ଅନ୍ୟପକ୍ଷରେ ଉଠା ଦୋକାନୀଙ୍କ ଯୁକ୍ତି ଯେ, ସେମାନେ ବର୍ଷ ବର୍ଷ ଧରି ସେଠାରେ ବ୍ୟବସାୟ କରିଆସୁଥିବା ବେଳେ, ଅନ୍ୟତ୍ର ଥଇଥାନ ନହେବା ଯାଏଁ ମାର୍କେଟ୍ ବିଲ୍ଡିଂ ନଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ତୁରନ୍ତ ସେମାନଙ୍କ ଲାଗି ମାର୍କେଟ୍ ବିଲ୍ଡିଂ ଗେଟ୍ ଖୋଲାଯାଉ।

ଗୋଟିଏ ପଟେ ତୀବ୍ର ହେଉଛି ମାର୍କେଟ୍ ବିଲ୍ଡିଂ କଳି, ଅନ୍ୟପଟେ ଆଶ୍ଚର୍ଯ୍ୟ ବଢ଼ାଇଛି ବିଏମସିର ନିଷ୍କ୍ରିୟତା । ଏହି ପ୍ରସଙ୍ଗରେ ଆଇନଗତ ଜଟିଳତା ଥିବା ସପ୍ତାହେ ତଳେ କହିଥିଲେ ବିଏମ୍ସି କମିଶନର। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚାଲିଛି ବୋଲି ଜଣାଇଥିଲେ । ହେଲେ ଏପର୍ଯ୍ୟନ୍ତ ସେଭଳି କୌଣସି ହସ୍ତକ୍ଷେପ ଦୃଷ୍ଟିଗୋଚର ହୋଇନି।

ପ୍ରଶ୍ନ ଉଠୁଛି, ବିଏମ୍ସି କର୍ତ୍ତୃପକ୍ଷ ସତରେ ନିରୁପାୟ ନା ଜାଣିଶୁଣି ନିଦାବିଷ୍ଣୁ? ତେଣେ ଉଠାଦୋକାନୀଙ୍କୁ ସହରର ମେରୁଦଣ୍ଡ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସହିଦ ନଗର ରମାଦେବୀ କଲେଜ ସାମ୍ନା ଫ୍ୟାନ୍ସି ମାର୍କେଟର ସଦସ୍ୟ ତାଙ୍କୁ ସାକ୍ଷାତ କରିବା ପରେ, ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ଅପରାଜିତା।

Market Building
Advertisment
Advertisment