/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708772459.jpg)
new Commissioner Rajesh Patil
ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର । ନୂଆ କମିଶନର ହୋଇଛନ୍ତି ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ୍ । ନୂଆ ବିଏମ୍ସି କମିଶନର ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପଟେ ମାସେ ଛୁଟିରେ ଯାଉଛନ୍ତି ବର୍ତ୍ତମାନ ଥିବା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ। ତାଙ୍କ ଆବେଦନ ଅନୁସାରେ ମାସେ ଛୁଟିରେ ଯାଉଥିବା ସୂଚନା ଦେଇଛି ଜିଏ । ଛୁଟିରୁ ଫେରିଲା ପରେ କୁଲାଙ୍ଗେଙ୍କୁ ନୂଆ ନିଯୁକ୍ତି ମିଳିବ ବୋଲି ଜଣାପଡିଛି ।
ନିଜେ ନିଜେ ନିଷ୍ପତ୍ତି ଘୋଷଣା କରିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଲା କି ? ବିଏମ୍ସି ମେୟର ଓ କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ପାଇଁ ସେ ଘୋଷଣା କରିଥିଲେ । କର୍ପୋରେସନର ବୈଠକରେ ଯୋଗ ଦେଲେ କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା, ମେୟରଙ୍କୁ ୫୦ ହଜାର ଓ ଡେପୁଟି ମେୟରଙ୍କୁ ୨୫ ହଜାର ଟଙ୍କା ଭତ୍ତା ଦେବାକୁ ସେ ଘୋଷଣା କରିଥିଲେ । ମିଡିଆ ସାମ୍ନାକୁ ଆସି ନିଜେ ଏହା ଘୋଷଣା କରିଥିଲେ କୁଲାଙ୍ଗେ । ଏକବିଂଶ ସାଧାରଣ ପରିଷଦ ବୈଠକ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲ।
ପରେ କିନ୍ତୁ ଡେପୁଟି କମିଶନର ସ୍ପଷ୍ଟୀକରଣ ଦେଇଥିଲେ, ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ନିଷ୍ପତ୍ତି ନିଆଯାଇନାହିଁ। ବିଏମ୍ସିର ବିବୃତିରେ ତ୍ରୁଟି ଥିଲା । ଭତ୍ତା ବୃଦ୍ଧି ପାଇଁ ବିଏମ୍ସି ତରଫରୁ ରାଜ୍ୟ ସରକାରଙ୍କୁ କେବଳ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାର ଅନୁମୋଦନ କଲେ, ତାହା ଲାଗୁ ହେବ । ଏହାର ପର ଦିନ ହିଁ ବିଜୟ ଅମୃତା କୁଲାଙ୍ଗେକୁ ବିଏମ୍ସି କମିଶନର ପଦରୁ ଅବ୍ୟାହତି ଦିଆଯାଇଛି। ସେ ମାସେ ଛୁଟିରେ ଯାଇଛନ୍ତି । ଛୁଟିରୁ ଫେରିବା ପରେ ତାଙ୍କୁ ନୂଆ ପଦରେ ନିଯୁକ୍ତ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି । କୁଲାଙ୍ଗେଙ୍କ ସ୍ଥାନରେ ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ ବିଏମ୍ସି କମିଶନର ପଦରେ ନିଯୁକ୍ତି କରାଯାଇଛି । ଚର୍ଚ୍ଚା ହେଉଛି, ଗତକାଲିର ଘଟଣା ଆଜିର ନିଯୁକ୍ତି ସହିତ କିଛି ସଂପର୍କ ନାହିଁ ତ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)