• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚର୍ଚ୍ଚାରେ ଭୀମସେନଙ୍କ କାର୍ଯ୍ୟ

  • ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି

ନୟାଗଡ଼(ଆର୍ତ୍ତତ୍ରାଣ): କାଠରେ ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ନୟାଗଡ଼ ଭାପୁରର ଭୀମସେନ ଖୁଣ୍ଟିଆ l ନିଜର କାଉଁରୀ ଛୁଆଁରେ ନିର୍ଜୀବ କାଠରେ ଏମିତି ରୂପ ଆଙ୍କୁଛନ୍ତି, ଯାହାକୁ ଦେଖିଲେ ପୂରାପୂରି ଜୀବନ୍ତ ଲାଗୁଛି। ଦିନେ ନିଜର କାମ ପାଇଁ ରାଜ୍ୟ ସରକାର ପ୍ରଶଂସା ମଧ୍ୟ କରିଥିଲେ।

ଭୀମସେନ ଖୁଣ୍ଟିଆ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ର ଯୁବ ଶିଳ୍ପୀ ଭୀମସେନ ଖୁଣ୍ଟିଆ l ତାଙ୍କ ନିହଣର ମୁନ ବାଜିଲେ ଜୀବନ୍ତ ହୋଇଉଠେ ସବୁ ନିର୍ଜୀବ କାଠ l କାଠରେ ଏମିତି ମୂର୍ତ୍ତି କରିଦିଅନ୍ତି ଯେ ସତେ ଯେମିତି କାଠ ବି ଜୀବନ୍ତ ଜୀବନ୍ତ ଲାଗି ଉଠେ l ଇଚ୍ଛା ହୁଏ ଘଡ଼ିଏ ମନ ଭରି ଦେଖିବା ପାଇଁ l ତାଙ୍କ କାମକୁ ଦେଖିଲେ ଆଉ ଫେରିବା ପାଇଁ ଇଚ୍ଛାହୁଏ ନାହିଁ। ଲିଙ୍ଗରାଜ ମନ୍ଦିରକୁ ସେ ଏମିତି ଭାବରେ ନିର୍ମାଣ କରିଛନ୍ତି ଯାହାକୁ ଦେଖିଲେ ଆପଣ ବି ଘଡ଼ିଏ ଚାହିଁରହିବେ। କାଠରେ ତିଆରି ହୋଇଥିବା ଏହି ଲିଙ୍ଗରାଜ ମନ୍ଦିରକୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରେ ହେବାକୁ ଥିବା ମ୍ୟୁଜିୟମରେ ସ୍ଥାନ ଦିଆଯିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ ବଳାଇଛି l କେବଳ ଲିଙ୍ଗରାଜ ମନ୍ଦିର ନୁହେଁ ଅନେକ ଦେବାଦେବୀ ମନ୍ଦିର ଓ ମୂର୍ତ୍ତି ନିର୍ମାଣ କରିଛନ୍ତି ଭୀମସେନ।

ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତିକୁ ସେ କାଠରେ ବେଶ୍ ଭଲଭାବରେ ତିଆରି କରିପାରନ୍ତି l ଏମିତି ସୁନ୍ଦର ଏବଂ ଆକର୍ଷିଣୀୟ ମୂର୍ତ୍ତି କରି ସଫଳତା ସାଉଁଟି ପାରିଛନ୍ତି ଭୀମସେନ l ଜଣେ ଯୁବ କାଠ ଶିଳ୍ପୀ ଭାବେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି l ପିଲାବେଳୁ ଭୀମସେନ କିଛି ନିଆରା କରିବାର ନିଶା ତାଙ୍କୁ ଆଜି ସଫଳତାର ଶିଖରରେ ପହଞ୍ଚାଇଛି l କେବଳ କାଠରେ ନୁହେଁ ବରଂ ପଥରରେ ବି ଏମିତି କିଛି ନିଆରା କାରନାମା ଓ ଖୋଦେଇ କରନ୍ତି । ପଥରର ମୂର୍ତ୍ତୀ ଦେଖିଲେ ମନଭରି ଯାଏ l ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ମନ୍ଦିରର ମଡେଲ ଏବଂ ପ୍ରତି ମୂର୍ତ୍ତି ଆଦି କରିବାରେ ସେ ସିଦ୍ଧହସ୍ତ lପିଲାବେଳୁ ହିଁ ଜଣେ ପ୍ରତିଷ୍ଠିତ ଶିଳ୍ପୀ ହେବାର ସ୍ୱପ୍ନ ଦେଖିଥିବା ଭୀମସେନ ଅଭାବ ଅନଟନ ଭିତରେ ରହି ମଧ୍ୟ ନିଜର କାରିଗରୀ ଜୀବନ ର ଜୟ ଯାତ୍ରାରୁ କେବେହେଲେ ପଥଚ୍ୟୁତ ହୋଇ ନାହାନ୍ତି l ତୁଳସୀ ଦୁଇ ପତ୍ରରୁ ବସିଲା ପରି ପରି ପିଲାବେଳୁ ହିଁ ତାଙ୍କ ପ୍ରତିଭା ବାରୀ ହୋଇଯାଉଥିଲା l କାନ୍ଥବାଡ଼ରେ ଏଣୁ ତେଣୁ କରି ଗାରାଉଥିବା ପିଲାଟିଏ ଯେ ଦିନେ ଲିଙ୍ଗରାଜ ମନ୍ଦିରର ଅବିକଳ ନକଲ କରିବ ତାହା ଘର ଲୋକ ଵି ବିଶ୍ୱାସ କରିନଥିଲେ l କାଠରେ ନିଖୁଣ କଳା ପ୍ରଦର୍ଶନୀ ପାଇଁ ୨୦୧୫ ରେ ସେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି l ଅନେକ ଅନୁଷ୍ଠାନ ତରଫରୁ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି । ନିଜ ଶିଖିଥିବା କଳାକୁ ଅନ୍ୟକୁ ବାଣ୍ଟି ନୂଆ କଳାକାର ସୃଷ୍ଟି ପାଇଁ ପ୍ରୟାସ କରୁଛନ୍ତି ଭୀମସେନ l

ଆମ ରାଜ୍ୟର ନିଖୁଣ କାରିଗରୀ କୀର୍ତ୍ତିର କୋଣାର୍କର ବିଚିତ୍ର ବିନ୍ଧାଣି ଆଜି ଯେ ଏକ ନୂଆ ଇତିହାସ ଲେଖିବାକୁ ଅପେକ୍ଷାରେ ରହିଛନ୍ତି ତାହା ବୟାନ କରୁଛି ଭୀମସେନଙ୍କ ଏହି କଳା ନୈପୁଣ୍ୟତା l