• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭଦ୍ରକ ଧାମନଗରର ବିଦ୍ୟାଧରଙ୍କ ପକ୍ଷୀପ୍ରେମ

  • ଆଉ ଜଣେ ପଶୁପ୍ରେମୀ ଗଞ୍ଜାମ ଧରାକୋଟର ମୋଚିରାମ ନାୟକ

  • ନିଜେ ନଖାଇ ମଧ୍ୟ ବୁଲା କୁକୁରଙ୍କୁ ଦିଅନ୍ତି ଖାଇବାକୁ

ଭଦ୍ରକ(ପାର୍ଥ ସାରଥୀ ନାୟକ) : ପକ୍ଷୀ ପ୍ରେମରେ ପଡିଛନ୍ତି ଡାକ ସେବକ । ବିଭିନ୍ନ ପ୍ରଜାତିର ପାରା ପେଳିଛନ୍ତି । ଭଦ୍ରକ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗାଁର ବିଦ୍ୟାଧର ସାହୁ ପାରା ମାନଙ୍କୁ ତାଙ୍କର ପରିବାରର ସଦସ୍ୟ ଭାବନ୍ତି । ସେହିପରି ଗଂଜାମ ଧରାକୋଟ ହରିଜନ ସାହିର ମୋଚିରାମ ନାୟକ କୁକୁରଙ୍କ ସେବାରେ ଲାଗିଛନ୍ତି । ସକାଳ ହେଲେ ଦଳ ଦଳ ହୋଇ କୁକୁର ତାଙ୍କ ପାଖରେ ରୁଣ୍ଡ ହୁଅନ୍ତି, ଆଉ ସେ କୁକୁରଙ୍କୁ ଖାଇବାକୁ ଦିଅନ୍ତି । ନିଜର ଏହି ନିଶା ଓ ସେବା ମନୋଭାବ ପାଇଁ ମୋଚିରାମ ଏବଂ ବିଦ୍ୟାଧର ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚିତ ଚେହରା ପାଲଟି ଯାଇଛନ୍ତି ।

ଭଦ୍ରକ ଧାମନଗର ବ୍ଲକ ଅସୁରାଳି ଡାକଘରେ କାର୍ଯ୍ୟରତ ଗ୍ରାମୀଣ ଡାକ ସେବକ ବିଦ୍ୟାଧର ସାହୁ ଏବେ ପକ୍ଷୀଙ୍କ ପ୍ରେମରେ । ପାରାମାନଙ୍କୁ ନିଜ ପରିବାରର ଏକ ପ୍ରକାର ସଦସ୍ୟ କରିସାରିଛନ୍ତି । ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆସ୍ଥିତ ବିଦ୍ୟାଧରଙ୍କ ଘରେ ଏବେ ଶହ ଶହ ପାରା । ଏହି ପକ୍ଷୀଙ୍କ ସହ ଅତି ନିବିଡ ସଂପର୍କରେ ବନ୍ଧା ବିଦ୍ୟାଧର । ଅଗୋଟିଏ ଡାକରେ ବିଦ୍ୟାଧରଙ୍କ ପାଖକୁ ଛୁଟି ଆସନ୍ତି ପାରା । ସେ ୨୦୦ରୁ ଅଧିକ ପ୍ରଜାତିର ପାରାଙ୍କୁ ଆଣି ନିଜ ଘରର ଛାତ ଉପରେ ପାଳିଛନ୍ତି । ବିଦ୍ୟାଧର ପ୍ରତିଦିନ ଡାକଘରେ ନିଜ କାମ ସୁଚାରୁ ରୂପେ ସମ୍ପାଦନ କରି ବାକି ସମୟ ପାରାଙ୍କ ସହ ବିତାନ୍ତି । ପାରାଙ୍କ ରହିବା ଖାଇବା ପାଇଁ ଦୈନିକ ପ୍ରାୟ ଦୁଇ ଶହ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାଏ । ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପ୍ରଜାତିର ପାରା ଆଣି ସେ ପାଳିଛନ୍ତି ଏଥିପାଇଁ ସେ ତାଙ୍କ ଅଞ୍ଚଳରେ ବେଶ ପରିଚିତ ।

ସେପଟେ ଆଉ ଜଣେ ପଶୁପ୍ରେମୀ ହେଉଛନ୍ତି ଗଞ୍ଜାମ ଧରାକୋଟ ହରିଜନ ସାହିର ମୋଚିରାମ ନାୟକ । ନିଜେ ନଖାଇଲେ ନାହିଁ, ହେଲେ ବୁଲା କୁକୁରଙ୍କ ପାଇଁ ଖାଦ୍ୟ ଯୋଗାଡ କରନ୍ତି । ପ୍ରତିଦିନ ବୁଲା କୁକୁର ରାସ୍ତା କଡରେ ମୋଚିରାମଙ୍କ ବାଟ ଚାହିଁ ବସିଥାନ୍ତି । ସବୁ ଛକରେ କୁକୁର ଦଳ ଦଳ ହୋଇ ଗୋଡାନ୍ତି ମୋଚିରାମଙ୍କ ପଛରେ । କେତେବେଳେ ତାଙ୍କ ଗାଡିକୁ ଅଟକାନ୍ତି, ଆଉ କେତେବେଳେ ତାଙ୍କ ଉପରେ ଚଢିଯାନ୍ତି । ମୋଚିରାମ କୁକୁରଙ୍କୁ ବିସ୍କୁଟ ଖାଇବାକୁ ଦେବା ସହ ପିଠି ଥାପୁଡାଇ ଦିଅନ୍ତି । ସେ ମୂଲ ଲାଗିଲେ ଚଳନ୍ତି, ହେଲେ କୁକୁରଙ୍କ ପ୍ରତି ଏପରି ଭଲ ପାଇବାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ ଖୁବ୍ ତାରିଫ କରନ୍ତି । ‌ଆଜିର ଦୁନିଆରେ ଯେତେବେଳେ ମଣିଷ ମଣିଷକୁ ପର କରିଦେଉଛି, ସେତେବେଳେ ପଶୁ ପକ୍ଷୀଙ୍କ ପ୍ରତି ଏଭଳି ଭଲପାଇବା ବେଶ୍ ପ୍ରେରଣାଦାୟୀ ।