• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭତ୍ତା ପାଇଁ ହିତାଧିକାରୀ ହଟହଟା । କେଉଁଠି ୯୦ ବର୍ଷ ବୟସରେ ବୃଦ୍ଧ-ବୃଦ୍ଧାଙ୍କୁ ୧୫ କିଲୋମିଟର ଯିବାକୁ ପଡୁଛି ତ ଆଉ କେଉଁଠି ପଞ୍ଚାୟତ ଅଧିକାରୀ ଆସୁନଥିବାରୁ ହିତାଧିକାରୀ ନିରାଶ ହୋଇ ଫେରୁଛନ୍ତି । କେଉଁଠି ଟଙ୍କା ବଦଳରେ ଚାଉଳ ଦେଇ ବିଦା କଲାଣି ତ ଡିଲର ଆଉ କେଉଁଠି ୮୦ରୁ ୯୦ ବର୍ଷ ବୟସର ଲୋକଙ୍କ ନାଁ ବି ସରକାରୀ ବ୍ୟବସ୍ଥାରେ ସାମିଲ ହୋଇପାରୁନି ।

ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା । ବୟସ 90 ଉପରେ । ଏ ବୟସ ଆଉ ଏଭଳି ସ୍ଥିତିରେ ଅସହାୟ କାଳୀଙ୍କୁ ଭତ୍ତା ପାଇଁ ଚାଲି ଚାଲି ଯିବାକୁ ପଡୁଛି ଘରଠୁ ଦୁଇ କିଲୋମିଟର ଦୂର । ଯାହା ତାଙ୍କ ପକ୍ଷେ ନିହାତି ଅସମ୍ଭବ । ଏହା ସତ୍ତ୍ୱେ ପ୍ରଶାସନ ତାଙ୍କ ପାଖରେ ପହଞ୍ଚିବାରୁ କୌଣସି ବ୍ୟବସ୍ଥା ନାହିଁ । ସେ ଦୃଷ୍ଟିରୁ ନିକଟରେ ଡିଲର ତାଙ୍କୁ ଚାଉଳ ବଦଳରେ ଟଙ୍କା ଦେଇ ବିଦା କରିବାରୁ ଏହାକୁ ନେଇ ବିବାଦ ପରେ ଘଟଣା ଜିଲ୍ଲା ପ୍ରଶାସନର ନଜରକୁ ଆଛି ।

ଗଞ୍ଜାମ ବୁଗୁଡ଼ାରେ ବି ଦେଖିବାକୁ ମିଳିଛି ଭତ୍ତାକୁ ନେଇ ହୀନସ୍ଥାର ସମାନ ଚିତ୍ର । ଗାନ୍ଧିନଗର ଗାଁର ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧାଙ୍କ ପକ୍ଷରେ ଆଉ ବ୍ୟାଙ୍କ ଯିବା ସମ୍ଭବ ହେଉନି । ତଥାପି ଭତ୍ତା ସଂଗ୍ରହ ପାଇଁ ପ୍ରତି ମାସରେ ଯିବାକୁ ପଡୁଛି ୧୫ କିଲୋମିଟର ରାସ୍ତା । ଯାହା ତାଙ୍କ ଭଳି ଆହୁରି ଅନେକ ହିତାଧିକାରୀଙ୍କ ପକ୍ଷେ ନିହାତି ଅସମ୍ଭବ । ଆଗରୁ ମାସର ୧୫ ତାରିଖରେ ପଂଚାୟତ କାର୍ଯ୍ୟାଳୟରେ ଭତ୍ତା ମିଳିଯାଉଥିଲା । ଏବେ କିନ୍ତୁ ବ୍ୟାଙ୍କରେ ବ୍ୟବସ୍ଥା ହୋଇଥିବାରୁ, ଯାହାକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବହୁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ।

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଯୁବାଗୁଡ଼ା ପଞ୍ଚାୟତର ବହୁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ନିଇତି ପଂଚାୟତ କାର୍ଯ୍ୟାଳୟକୁ ଆସି ଫେରିଯାଉଥିଲେ ବି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦେଖାମିଳୁନି । ତେଣୁ ମାସ ଧରି ଭତ୍ତା ପାଉନଥିବାରୁ ସେମାନଙ୍କ ଦୁଃଖ କିଏ ବୁଝିବ ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ଭତ୍ତା ବ୍ୟବସ୍ଥାରେ ନିଜକୁ ସାମିଲ କରି ନପାରି ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଏମାନେ ହେଲେ ଗଞ୍ଜାମ ଖଲ୍ଲିକୋଟ ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ । ତେବେ ଏ ବୟସରେ ସେମାନେ ଭତ୍ତା ନପାଇବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି । ଏମାନଙ୍କ ଭିତରୁ ଅନେକଙ୍କ ବୟସ ୮୦ରୁ ୯୦ପାର କଲାଣି । ହେଲେ ବର୍ଷ ବର୍ଷ ଧରି ଆବେଦନ କରୁଥିଲେ ବି ସେମାନଙ୍କ ନାଁ ଯୋଜନାରେ କାହିଁକି ସାମିଲ ହୋଇପାରୁନି, ତା’ର କାରଣ ଖୋଜି ପାଉନାହାନ୍ତି ୟା’ଙ୍କ ଭଳି ବହୁ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ।

  • Reported by:
  • Pitabasa Das , Silu Biswal , Ajit Kumar Nayak , Sanjeeb Nayak