• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାରୁଦ ଗଦାରୁ ୟୁକ୍ରେନ୍‌ ଖୋଜୁଛି ତା ସୌନ୍ଦର୍ଯ୍ୟକୁ...

ଆଜି ବାରୁଦ ଗଦାରେ ପୋତି ହୋଇ ପଡିଛି ୟୁକ୍ରେନ୍ । ଋଷିଆର ଘମା ଘୋଟ୍ ମିଶାଇଲ୍ ମାଡରେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡିଛି ୟୁକ୍ରେନ୍‌ର ଅନେକ ସହର। ନିଜ ଦେଶର ଲୋକବି ଦେଶ ଛାଡି ପଳାୟନ କଲେଣି। ରୁଷ୍‌ର ଆକ୍ରମଣରେ ଧ୍ୱଂସ ପାଇବାକୁ ବସିଛି ପୃଥିବୀର ସବୁଠାରୁ ସୁନ୍ଦର ଦେଶ ଭିତରୁ ଗୋଟିଏ ୟୁକ୍ରେନ୍।

ସାରା ପୃଥିବୀରେ ଅନେକ ସୁନ୍ଦର ଦେଶ ରହିଛି ତା ଭିତରୁ ୟୁକ୍ରେନ୍‌ ଥିଲା ଗୋଟିଏ ସୁନ୍ଦର ଦେଶ। ଆଗରୁ ଯିଏ ଯାଇଛି ସେହିଁ ପାଖରୁ ଦେଖିଛି ୟୁକ୍ରେନ୍‌ର ସୌନ୍ଦର୍ଯ୍ୟକୁ । ହେଲେ କାହିଁଙ୍କି ୟୁକ୍ରେନ୍‌କୁ କୁହାଯାଏ ୟୁରୋପ୍ ମହାଦେଶର ଭୂସ୍ୱର୍ଗ ବୋଲି। କଣ ଥିଲା ଏମିତି ୟୁକ୍ରେନ୍ ପାଖରେ ଯାହାକୁ ଦେଖିବାକୁ ପ୍ରତିବର୍ଷ ଲକ୍ଷ୍ୟ ଲକ୍ଷ୍ୟ ପର୍ଯ୍ୟଟକ ୟୁକ୍ରେନ୍ ବୁଲିବାକୁ ଆସୁଥିଲେ ,ତେବେ ନଜର ପକାଇବା ସେହି ସବୁ କିଛି ଉପରେ ଯାହା ପାଇଁ ୟୁକ୍ରେନ୍ ସାଜିଥିଲା ବିଶ୍ୱ ଆକର୍ଷର କେନ୍ଦ୍ରବିନ୍ଦୁ।

+ୟୁରୋପର ସବୁଠାରୁ ବଡ ଦେଶ ୟୁକ୍ରେନ୍

ଯଦି ରୁଷ୍‌କୁ ଛଡା ଯାଏ ତେବେ ୟୁରୋପ୍‌ର ସବୁଠାରୁ ବଡଦେଶ ହେଉଛି ୟୁକ୍ରେନ୍‌ । ଏହାର ‍କ୍ଷେତ୍ରଫଳ ୬୦୩.୫୫ ସ୍କୋୟାର କି.ମି। ଅନେକ ଦେଶ ତୁଳନାରେ ୟୁକ୍ରେନ୍‌ର ଜନ ସଂଖ୍ୟା କିନ୍ତୁ ବେଶି ନୁହେଁ ମାତ୍ର ୪୩ ମିଲିୟନ୍। ଯାହାକି ଜର୍ମାନୀ ଏବଂ ଫ୍ରାନ୍ସ ଠାରୁ ବହୁ କମ୍।

+ୟୁକ୍ରେନ୍‌ରେ ଅଛି ସାତଟି ବିଶ୍ୱ ଐତିହ ସ୍ମାରକୀ

ୟୁକ୍ରେନ୍‌କୁ ବିଶ୍ୱ ଐତିହର ଘର ବୋଲି କୁହାଯାଏ। ୟୁକ୍ରେନ୍‌ରେ ୟୁନେସ୍କୋର ୭ଟି ବିଶ୍ୱ ଐତିହ ସ୍ମାରକୀ ରହିଛି । ଯାହାକୁ ଦେଖିବା ପାଇଁ ବିଶ୍ୱର ଅନେକ ସ୍ଥାନରୁ ଲୋକେ ୟୁକ୍ରେନ୍‌ ଆସନ୍ତି। ୟୁକ୍ରେନ୍‌ର ସବୁଠାରୁ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସହର କିଭ୍‌ରେ ଥିବା ସେଣ୍ଟ ସୋଫିଆ କାଥାଡ୍ରେଲ୍‌ ,ଏଲ୍‌ଭିଭ୍‌ ଐତିହ ସ୍ଥଳ, ଷ୍ଟୃଭ୍‌ ଗୋଡେଟିକ୍‌ ଆର୍କ, ଭର୍ଜିନ୍‌ ବିଚ୍‌ ଫରେଷ୍ଟ୍‌, ବୁକୋଭିନିଆନ୍‌ ଏବଂ ଡାଲ୍‌ମେସନ୍‌ ମେଟ୍ରୋ ପଲିଟିସିଆନ୍‌ଙ୍କ ବାସଗୃହ, ଉଡେନ୍‌ ଚର୍ଚ୍ଚ, ଚେର୍‌ସୋନିସ୍‌। ଏସବୁ ହେଉଠି ୟୁନେସ୍କୋ ଦ୍ୱାରା ଘୋଷିତ ବିଶ୍ୱ ଐତହ ସ୍ମାରକୀ। ଯାହାସବୁ ୟୁକ୍ରେନ୍‌ ସୌନ୍ଦର୍ଯ୍ୟର ପରିଚୟ।

+ୟୁକ୍ରେନ୍‌ର ଜାତୀୟ ପୋଷାକ ଭୈଶ୍ୟବାଙ୍କ

ପୃଥିବୀରେ ଅନେକ ଦେଶର ସ୍ୱତନ୍ତ୍ର ହସ୍ତ ତନ୍ତ ରହିଛି ହେଲେ ୟୁକ୍ରେନିଆନ୍ ହ୍ୟାଣ୍ଡଲୁମ୍‌ର ଏକ ସ୍ୱତନ୍ତ୍ରତା ରହିଛି । ବିଶେଷ ଭାବେ ହାତ ତିଆରି ଏମ୍ରଡୋରୀ କାମ ପାଇଁ ତାର ବହୁତ ଚାହିଦା । ଭୈଶ୍ୟବାଙ୍କ ହେଉଛି ସେମିତି ଏକ ସ୍ୱତନ୍ତ୍ର ଏମ୍ରଡୋରୀ କାମ ଯାହା ଧଳା କପଡା ଉପରେ ରଙ୍ଗ ବେରଙ୍ଗର ସୂତା କାମର ଏକ ଅଦ୍ଭୁତ ନମୁନା । ଉଭୟ ପୁରୁଷ ଓ ମହିଳା ଏହାକୁ ପିନ୍ଧି ପାରିବେ।

+ଅନେକ ଭୂତ ସହରର ଘର ୟୁକ୍ରେନ୍

ୟୁକ୍ରେନ୍‌ର କିଛି ସ୍ଥାନରୁ କୁହାଯାଏ ଭୂତର ସହର। କାରଣ ୧୯୮୬ ମସିହାରେ ୟୁକ୍ରେନ୍‌ର ଉତ୍ତର ପଟେ ଏକ ଆଣବିକ ଦୁର୍ଘଟଣା ହୋଇଥିଲା ଯାହାକୁ କୁହାଗଲା ଚେର୍ନୋବ୍ଲେ ଦୁର୍ଘଟଣା। ସେ ସମୟରେ ଆଣବିକ ଦୁର୍ଘଟଣାରେ ହଠାତ୍ ବହୁଲୋକଙ୍କ ପ୍ରାଣହାନୀ ହେଲା ଯାହା ଦ୍ୱାରା ସେ ସ୍ଥାନ ଛାଡି ବହୁଲୋକ ଚାଲିଗଲେ । ଏବେ ସେସବୁ ସ୍ଥାନରେ ଏମିତି ଅନେକ ସହର ଅଛି ଯେଉଁଠି ଖାଲି ଘର ପଡିଛି ହେଲେ ଜଣେ ହେଲେ ଲୋକ ଆପଣ ଦେଖିବେନି।

+ୟୁକ୍ରେନ୍‌ରେ ଅଛି ପ୍ରେମର ସୁଡଙ୍ଗ

କୁହାଯାଏ ପ୍ରେମର ରଙ୍ଗ ଗୋଲାପୀ ହେଲେ ୟୁକ୍ରେନ୍‌ରେ ପ୍ରେମର ରଙ୍ଗ ସବୁଜ। ଏଠି ଅଛି ଗୋଟେ ଅଚଳ ରେଲ୍‌ୱେ ଟନେଲ୍‌ ଯାହାର ସୌନ୍ଦର୍ଯ୍ୟ କୌଣସି ସ୍ୱର୍ଗଠାରୁ କମ୍‌ ନୁହେଁ । ପୂରା ଟନେଲ୍‌ ପ୍ରାକୃତିକ ସବୁଜ ଲଟାରେ ଏମିତି ସଜେଇ ହୋଇଛି। ବର୍ଷ ତମାମ ଅନେକ ପ୍ରେମୀ ଯୁଗଳ ତଥା ଦମ୍ପତି ସେ ଯାଗାକୁ ଆସନ୍ତି ସାଥୀସହ ଫଟୋ ନେବା ପାଇଁ ଜୀବନର କିଛି ମୂହୁର୍ତ୍ତ କଟେଇବା ପାଇଁ।

+ପୃଥିବୀର ସବୁଠାରୁ ଗଭୀରତମ ମେଟ୍ରୋ ଷ୍ଟେସନ୍

ଯେଉଁ ସହରରେ ମେଟ୍ରୋ ଗଡୁଛି ଆମ ଧାରଣାରେ ସେ ସହରର ପ୍ରଗତି ହୋଲାଣି, ସେ ସହର ବିକାଶକରୁଛି, ହେଲେ ୟୁକ୍ରେନ୍‌ରେ ୧୯୬୦ରୁ ଗଡୁଛି ମେଟ୍ରୋ। ୟୁକ୍ରେନ୍‌ରେ ଅଛି ପୃଥିବୀର ସବୁଠାରୁ ଗଭୀର ତମ ମେଟ୍ରୋ ଷ୍ଟେସନ୍‌, ରାଜଧାନୀ କିଭ୍‌ରେ ଥିବା ଆର୍ସେଲିନା ଷ୍ଟେସନ୍‌ । ଯାହା ୬ ନଭେମ୍ୱର ୧୯୬୦ରେ ନିର୍ମିତ ହୋଇଥିଲା ସୋଭିଏତ୍ ୟୁନିୟନ୍‌ ଦ୍ୱାରା ଏହାର ଗଭୀରତା ହେଉଛି ୧୦୫.୫ ମିଟର ବା ୩୪୬ଫୁଟ୍‌।

+ଗ୍ୟାସ୍‌ ଲ୍ୟାମ୍ପ୍ ଏଠାରେ ଉଦ୍ଭାବନ କରାଯାଇଥିଲା

ଗ୍ୟାସ୍‌ ଲାଇଟ୍ ବା ଗ୍ୟାସ୍‌ ଲ୍ୟାମ୍ପ୍‌ ଆମେ ମାନେ ତାକୁ ଜାଣୁ ପେଟ୍ରୋମାକ୍ସ ଲାଇଟ୍ ଭାବେ । ଆଜି ଅବଶ୍ୟ ସେ ଲାଇଟ୍‌ର ପ୍ରଚଳନ ବେଶି ନାହିଁ ତଥାପି ଏହାକୁ ଗୋଟେ ସମୟରେ ସାରା ପୃଥିବୀରେ ବିପୂଳ ମାତ୍ରାରେ ବ୍ୟବହାର କରାଯାଉଥିଲା। ଆଉ ଏହି ଉଦ୍ଭାବନ ଜନ୍ମ ଦେଇଥିଲା ଅନେକ ଉଦ୍ଭାବନକୁ ଏହାକୁ ଉଦ୍ଭାବନ କରିଥିଲେ, ୟୁକ୍ରେନ୍‌ ଲାଭିଭ୍‌ର ଦୁଇଜଣ ଫାର୍ମାସିଷ୍ଟ୍‌ ଜାନ୍‌ଝେ ଏବଂ ଲାଙ୍ଗ୍‌ ସି ଲୁକାସୁଇଜ୍‌ ୧୮୫୩ ମସିହାରେ । ଯେଉଁ ସ୍ଥାନରେ ଏହାକୁ ତିଆରି କରିଥିଲେ ତା ନାମ ଦେଇଥିଲେ ଦ ଗୋଲ୍ଡେନ୍‌ ଷ୍ଟାର୍‌। ଆଜି ସେ ସ୍ଥାନରେ ଏକ କାଫେ ଅଛି ଯାହା ସେ ଦିନର ସ୍ମୃତିକୁ ଧରି ରଖିଛି।

+ପୃଥିବୀର ଶ୍ରେଷ୍ଠ ସୂର୍ଯ୍ୟମୂଖି ଉତ୍ପାଦନ କେନ୍ଦ୍ର

ୟୁକ୍ରେନ୍‌ ହେଉଛି ସୂର୍ଯ୍ୟମୂଖି ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ରସ୍ଥଳ। ପୃଥିବୀର ସବୁଠାରୁ ଅଧିକ ସୂର୍ଯ୍ୟମୂଖି ମଞ୍ଜି ଉତ୍ପାଦନ ଏହିଠାରୁ ହିଁ କରାଯାଏ। ଏହାର ଉପଯୁକ୍ତ ଅନୁକୁଳ ପାଣିପାଗରେ ବର୍ଷତମାମ ସୂର୍ଯ୍ୟମୂଖି ଫସଲ କରାଯାଇଥାଏ। ସାରା ବିଶ୍ୱକୁ ସୂର୍ଯ୍ୟମୁଖି ଖାଇବା ତେଲ ଏଠାରୁହିଁ ରପ୍ତାନୀ କରାଯାଇଥାଏ।

+ବ୍ରେକ୍‌ ଫାଷ୍ଟ୍‌ ଅଫ୍ ୟୁରୋପ୍‌

ୟୁକ୍ରେନ୍‌ରେ ସବୁଠାରୁ ଅଧିକ ଗହମ ଉତ୍ପାଦନ କରାଯାଏ। ଏହାର ଉର୍ବର କଳାରଙ୍ଗର ଜମିହିଁ ଗହମ ଉତ୍ପାଦନ ପାଇଁ ଉପଯୁକ୍ତ। ବିଶ୍ୱର ସବୁଠାରୁ ଅଧିକ ଗହମ ବିଭିନ୍ନ ଦେଶକୁ ରପ୍ତାନୀ କରିଥାଏ ୟୁକ୍ରେନ୍‌। ଏହାକୁ ମଧ୍ୟ ୟୁରୋପ୍‌ର ବ୍ରେକ୍‌ଫାଷ୍ଟ୍‌ କୁହାଯାଏ।

+ପୃଥିବୀର ବିଶାଳ ବିମାନ

ୟୁକ୍ରେନ୍‌ ପାଖରେ ଥିଲା ପୃଥିବୀର ବିଶାଳ ବିମାନ ମ୍ରିୟା। ଯାହା ଏବେ ଋଷ୍‌ର ମିଶାଇଲ୍‌ ମାଡରେ ଧ୍ୱଂସ ହୋଇ ଯାଇଛି। AN-225 ମ୍ରିୟା ଏୟାର କ୍ରାଫ୍ଟ୍‌ ଯାହା ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ତିଆରି କରାଯାଇଥିଲା। ଥରକେ ୭୧୦ଟନ୍ ଓଜନ ଧାରଣ କରି ଉଡିବାର ଦକ୍ଷତା ରଖିଥିଲା ଏହି ବିମାନ। ହେଲେ ଆଜି ପୂରା ନଷ୍ଟ ହୋଇ ଯାଇଛି ମ୍ରିୟା। 

ରୁଷିଆର ବିମାନ ମାଡରେ ଧ୍ୱଂସ ହୋଇଯିବାକୁ ବସିଛି ପୃଥିବୀର ସବୁଠାରୁ ସୁନ୍ଦର ଦେଶ ୟୁକ୍ରେନ୍‌ । ବାରୁଦର ଗନ୍ଧରେ ହଜିଯାଇଛି ସୂର୍ଯ୍ୟମୂଖିର ବାସ୍ନା। ଧ୍ୱଂସ ସ୍ତୁପ ଭିତରେ ୟୁକ୍ରେନ୍‌ ଖୋଜୁଛି ବଞ୍ଚିବାର ରାହା। ଏବେ ପଶ୍ଟାତ୍ୟ ଦେଶ ସମୁହର ସହଯୋଗ ଖୋଜୁଛନ୍ତି ଜେଲେନ୍‌ସ୍କି। ସମୟତ ସଙ୍କେତ୍‌ ଦେବ ଏ ଯୁଦ୍ଧ ଥମିବାର ହେଲେ ସେତେବେଳକୁ ସବୁଦିନ ପାଇଁ ହରାଇ ସାରିଥିବ ୟୁକ୍ରେନ୍‌ ତାର ସୌନ୍ଦର୍ଯ୍ୟକୁ।