• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସଂଧ୍ୟା ହେବା ପୂର୍ବରୁ ନିଇତି ଡିବିରି ଆଲୁଅ ପ୍ରସ୍ତୁତ କରଛନ୍ତି ଗାଁ ଲୋକେ । କାରଣ ସଂଜ ନଇଁଲେ ଡିବିରି ଆଲୁଆ ହିଁ ସେମାନଙ୍କର ସାହାଭରସା । ସ୍ୱାଧୀନତାର ୭୫ ବର୍ଷ ପରେ ବି ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ବିଜୁଳି ପହଞ୍ଚିନି । ଆଶ୍ଚର୍ଯ୍ୟ ହୋଇଗଲେ କି?  ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁରେ ପହଞ୍ଚିନି ମୌଳିକ ସୁବିଧା । ତେଣୁ ବାଧ୍ୟ ହୋଇ ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି ପୂରା ଗାଁଟା ଯାକର ଲୋକେ ।

ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବେଡା ପାଞ୍ଚାୟାତର ମାଳୀଗୁଡ଼ା ଗାଁ । ଗାଁରେ ପ୍ରାୟ ୨୦ ପରିବାର ବାସ କରୁଛନ୍ତି । ହେଲେ ସରକାରୀ ସୁବିଧା ସେମାନଙ୍କ ଲାଗି ସାତ ସପନ ସଦୃଶ୍ୟ । ପିଇବା ପାଇଁ ପାଣି ଟୋପାଏ ନାହିଁ କି ଯିବା ଆସିବାକୁ ରାସ୍ତାଟିଏ ନାହିଁ । ଭତ୍ତାଠୁ ଇନ୍ଦିରା ଆବାସ ସେମାନେ କିଛି ଜାଣନ୍ତି ନାହିଁ । ଏମିତି ପରିସ୍ଥିତିରେ ସ୍ୱାସ୍ଥ୍ୟ ଓ ଶିକ୍ଷା କଥାକୁ ପଚାରେ କିଏ?

ନାହିଁନାହିଁର ସେହି ଗାଁରେ କିନ୍ତୁ ପିଲାଙ୍କ ଭିତରେ ପାଠ ପଢିବାକୁ ଭାରି ଆଗ୍ରହ । ସେଇଥି ଲାଗି ତ ଗୋଟିଏ ହାତରେ ଟର୍ଚ୍ଚ ଧରି ବହି ପଢି ପକାଉଛନ୍ତି କୁନିକୁନି ଝିଅ । ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜିକା ସମୟରେ ସେହି ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ବି ମିଳୁନି । ସେଇଥି ଲାଗି ତ ନଈରୁ ପାଣି ଆଣି ପିଇବାଠୁ ରୋଷେଇ ସବୁ କରୁଛନ୍ତି ସେମାନେ । ପଂଚାୟତରେ ସରପଂଚ ଅଛନ୍ତି, ସମିତିସଭ୍ୟ ବି ଅଛନ୍ତି । ସରକାରୀ ଯୋଜନା ପାଇବାକୁ ଏମାନେ ବାରମ୍ବାର ଗୁହାରି ବି କରିଛନ୍ତି । କିନ୍ତୁ କିଛି ଲାଭ ମିଳିନି କି ସେମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିନି । ସେପଟେ ପଂଚାୟତର ସମସ୍ୟା ସଂପର୍କରେ ସରପଂଚ କହୁଛନ୍ତି, ଖୁବଶୀଘ୍ର ଗାଁକୁ ରାସ୍ତା ହେବ, ଆଉ ବସୁଧା ଯୋଜନାରେ ପାଣି ମିଳିବ ।

ବିକାଶର ଡିଡିମ୍ବ ପିଟୁଛନ୍ତି ସରକାର । କହୁଛନ୍ତି, ପ୍ରତିଘରକୁ ପହଞ୍ଚୁଛି ପାଣି...ପହଞ୍ଚୁଛି ସରକାରୀ ଯୋଜନା । ହେଲେ ମାଳୀଗୁଡ଼ା ଅବ୍ୟବସ୍ଥା ସମ୍ପର୍କରେ ସତେ ଯେମିତି ସମସ୍ତେ ଚୁପ୍‌ । ତେବେ ଗାଁର ଅସୁବିଧା ସମ୍ପର୍କରେ ବ୍ଲକ୍‌ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।

(ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)