Advertisment

କେବେ ସ୍ୱାଭାବିକ ହେବ ସମ୍ବଲପୁର କୋର୍ଟ କାର୍ଯ୍ୟ ?

ହାଇକୋର୍ଟ ବେଞ୍ଚ ଦାବିରେ ୧୨ ତାରିଖର ହଙ୍ଗାମା ପାଇଁ ୨୩ ଓକିଲଙ୍କ ସମେତ ଏପର୍ଯ୍ୟନ୍ତ ୩୨ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

author-image
Chandan Shishu
undefined

Bar Council of India regularizes suspended advocates in Sambalpur court

ସମ୍ବଲପୁର କୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ। ୫୪ ଜଣଙ୍କୁ ଛାଡ଼ି ଅନ୍ୟ ଓକିଲଙ୍କ ଉପରୁ ପ୍ରତ୍ୟାହୃତ ହେଲା ଲାଇସେନ୍ସ। ନିଲମ୍ବନ କଟକଣା
ବାର୍ କାଇନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ସାନି ନିର୍ଦ୍ଦେଶନାମା। ଯେଉଁଥିରେ ଦର୍ଶାଯାଇଛି ଯେ ୧୨ ତାରିଖରେ ସମ୍ବଲପୁର ବାର୍ ଆସୋସିଏସନ୍‌ର ସବୁ ସଦସ୍ୟଙ୍କ ଉପରେ ଲାଗିଥିବା ନିଲମ୍ବନ କଟକଣାକୁ ହଟାଇ ଦିଆଯାଇଛି। ହେଲେ ତିନିଟି ପର୍ଯ୍ୟାୟ ଯଥା, ୧୨(୨୯), ୧୩(୧୪) ଓ ୧୬(୧୧) ତାରିଖରେ ଆନ୍ଦୋଳନକାରୀ ଯେଉଁ ନିର୍ଦ୍ଦିଷ୍ଟ ୫୪ ଆଇନଜୀବୀଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଥିଲା, ତାହା ବଳବତ୍ତର ରହିବ।

Advertisment

ସମ୍ବଲପୁର ବାର୍‌ର ଏଇ ନିଲମ୍ବିତ ସଦସ୍ୟମାନେ ଫେବ୍ରୁଆରୀ ୧୫ ସୁଦ୍ଧା ବିସିଆଇର ସଚିବଙ୍କ ପାଖରେ ନିଜ ପକ୍ଷ ରଖିପାରିବେ। ଅପରପକ୍ଷେ ଜିଲ୍ଲା ଜଜଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ଘଟଣାର କାରଣ ଏବଂ ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି ଜାଣିବା ପାଇଁ ବିସିଆଇ ପକ୍ଷରୁ ଏକ ତିନି ଜଣିଆ ତଥ୍ୟ ଅନୁସନ୍ଧନକାରୀ ଟିମ୍ ଗଠନ କରାଯାଇଛି, ଯେଉଁ କମିଟି ଆସନ୍ତା ଜାନୁଆରୀ ୧୫ ତାରିଖ ଭିତରେ ବିସିଆଇକୁ ରିପୋର୍ଟ ଦେବ।

ଏପଟେ ହାଇକୋର୍ଟ ବେଞ୍ଚ ଦାବିରେ ୧୨ ତାରିଖର ହଙ୍ଗାମା ପାଇଁ ୨୩ ଓକିଲଙ୍କ ସମେତ ଏପର୍ଯ୍ୟନ୍ତ ୩୨ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଜେଲ୍‌ରେ ଥିବା ଓକିଲଙ୍କ ମଧ୍ୟରୁ କୁଚିଣ୍ଡା ଓକିଲ ସଂଘ ପକ୍ଷରୁ ଗତକାଲି ୧୪ ଜଣଙ୍କ ଜାମିନ୍ ପାଇଁ SDJM କୋର୍ଟରେ ଆବେଦନ ହୋଇଥିଲେ ବି ତାହା ଖାରଜ ହୋଇଯାଇଥିଲା। ଆଜି ପୁଣି କୁଚିଣ୍ଡା ଓକିଲ ସଂଘ ସଭାପତି ନିଜେ ସମ୍ବଲପୁର ଆସି ଜିଲ୍ଲା ଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ସେପଟେ ୫୪ ଜଣ ସଦସ୍ୟଙ୍କୁ ଛାଡ଼ି ସମ୍ବଲପୁର ଜିଲ୍ଲା ବାର୍‌ର ସବୁ ସଦସ୍ୟଙ୍କ ଉପରୁ ନିଲମ୍ବନ କଟକଣା ହଟିଥିଲେ ମଧ୍ୟ ଆଜି ବି ବାରର କୌଣସି ଓକିଲ କାର୍ଯ୍ୟ ଆରମ୍ଭ କରି ନଥିବାରୁ କୋର୍ଟ ସ୍ଥିତି ପୂର୍ବବତ୍ ରହିଛି।

Advertisment

କୋର୍ଟ ପରିସରରେ ୧୪୪ ଧାରା ବି ବଳବତ୍ତର ରହିଛି। ଅପରପକ୍ଷେ କୋର୍ଟ କାର୍ଯ୍ୟ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଦିଆଯାଉଥିବା କହି ସହର ସାରା ଡାକବାଜି ଗାଡ଼ି ବୁଲୁଥିଲା ବେଳେ ସମ୍ବଲପୁରରେ ନିଜ ମହକିଲଙ୍କ ପାଇଁ କେଶ୍ ଲଢ଼ିବାକୁ ବରଗ଼ଡ଼ ଜିଲ୍ଲାରୁ ଜଣେ ଓକିଲ ଆସିଥିବା ଦେଖିବାକୁ ମିଳିଥିଲା। ଏସବୁ ଭିତରେ ସମ୍ବଲପୁର କୋର୍ଟ କାର୍ଯ୍ୟ କେବେ ସ୍ବାଭାବିକ ହେଉଛି ତାକୁ ଅପେକ୍ଷା।

(କଟକରୁ ଗୌତମ ପଣ୍ଡା ଓ ସମ୍ବଲପୁରରୁ  ସଂଜୟ କୁମାର ଜେନାଙ୍କ ରିପୋର୍ଟ)

Bar Council Of India
Advertisment
Advertisment