/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690880305.jpg)
Banaka Lagi Of Lord Jagannath
ବହୁ ବାଦ ବିବାଦ ପରେ ଶେଷରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ତେବେ ଅପେକ୍ଷାର ଅନ୍ତ ଘଟିଛି । ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି କରାଯିବ । ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ବିବାଦ କାରଣରୁ ଦିନକୁ ଦିନ ମଳିନ ପଡ଼ିଆସୁଥିବା ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଆସନ୍ତା ବୁଧବାର ହେବ ।
ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି ସତ୍ୟପାଠ । ଶେଷଥର ପାଇଁ ଗତ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକର ହିସାବ କରାଯାଇଥିଲା । ଏଥିରେ ପାଖାପାଖି ଦେଢ଼ କ୍ୱିଣ୍ଟାଲ ସୁନା ଅର୍ଥାତ ୧୪୯ କେଜି ୪୬୦ ଗ୍ରାମ ଏବଂ ୧୮୪ କେଜି ରୂପା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି ।
ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ, ରତ୍ନଭଣ୍ଡାରରେ ମୋଟ ୩ଟି କକ୍ଷ ରହିଛି । ଭିତର ରତ୍ନଭଣ୍ଡାରରରେ ରହିଥିବା ଅଳଙ୍କାର ଗୁଡ଼ିକ କେବେବି ବ୍ୟବହାର କରାଯାଏନାହିଁ । ସେହିପରି ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକ ପର୍ବ ପର୍ବାଣୀରେ ବ୍ୟବହାର କରାଯାଇଥାଏ ।
ତେବେ ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରର ଅଳଙ୍କାର ବ୍ୟବହାର ହୋଇଥାଏ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଅଳଙ୍କାର ଥିବା ବେଳେ ୧୩୪ କେଜି ୫୦ ଗ୍ରାମର ରୂପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ଗ୍ରାମ ସୁନା ଏବଂ ୧୯ କେଜି ୪୮୦ ଗ୍ରାମର ରୂପା ଅଳଙ୍କାର ରହିଥିବା ସତ୍ୟପାଠରେ ଦର୍ଶାଯାଇଛି ।
ସେହିପରି ମହାପ୍ରଭୁଙ୍କ ନିତିଦିନିଆ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୩ କେଜି ୪୮୦ ଗ୍ରାମର ସୁନା ଏବଂ ୩୦ କେଜି ୩୫୦ ଗ୍ରାମର ରୂପା ଅଳଙ୍କାର ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଏପଟେ ଏହା ପୂର୍ବରୁ ରତ୍ନଭଣ୍ଡାର ସ୍ଥିତି ଭଲ ନଥିବାରୁ ଏହାକୁ ଖୋଲିବା ଲାଗି ପୁରୀ ଗଜପତି ମହାରାଜ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଭଳି ପ୍ରମୁଖ ସେବାୟତ ମଧ୍ୟ ଦାବି କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)