• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନ ଓ ଚୀନକୁ ବେଲୋଚିସ୍ତୋନ ଲିବରେସନ ଆର୍ମିର ଖୋଲା ଚେତାବନୀ । ତୁରନ୍ତ ବେଲୋଚିସ୍ତାନ ଛାଡ଼, ନଚେତ୍ ଭୋଗିବ ଭୟଙ୍କର ପରିଣତି । କରାଚି ଆତ୍ମଘାତୀ ଆକ୍ରମଣରେ ୩ ଚୀନି ନାଗରିକଙ୍କୁ ହତ୍ୟା କରିବା ପରେ ଏଭଳି ବାର୍ତ୍ତା ଦେଇଛି ବେଲୋଚିସ୍ତାନ ଲିବରେସନ ଆର୍ମି । ବେଲୋଚିସ୍ତାନରେ ନିର୍ମାଣାଧୀନ ସି-ପେକ୍ ପ୍ରକଳ୍ପ ସଂପୂର୍ଣ୍ଣ ବିଫଳ ହେବ ବୋଲି BLA ଦୃଢ଼ତାର ସହ କହିଛି । ତେଣେ ବିଦ୍ରୋହୀଙ୍କ ଆକ୍ରମଣରେ ନିଜ ନାରଗିକଙ୍କ ଜୀବନ ଯିବା ପରେ ଆଭିମୁଖ୍ୟ କଠୋର କରିଛି ଚୀନ୍ । ଚୀନି ନାଗରିକ ଓ ପ୍ରକଳ୍ପକୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ସହ କରାଚି ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଲାଗି ଦାବି କରିଛି ବେଜିଂ ।

ପାକିସ୍ତାନ ସେନାକୁ ବେଲୋଚ୍ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ । ପାହାଡ଼ କି ଅଗମ୍ୟ ଉପତ୍ୟକାରେ ନୁହେଁ... ଏଣିକି ଲାହୋର, କରାଚି ଓ ଇସଲାମାବାଦ୍ରେ ହେବ ମୁକାବିଲା । କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ଆକ୍ରମଣ କରି ନିଜ ଉପସ୍ଥିତି ଜାହିର କରିଛନ୍ତି ବେଲୋଚ୍ ବିଦ୍ରୋହୀ । ସେମାନଙ୍କ କହିବା କଥା ଆଉ ସହିବୁନି ଅନ୍ୟାୟ ଅତ୍ୟାଚାର, ପାକିସ୍ତାନ ସେନା ଗୁଳିରେ ଆଉ ମରିବେନି ନିରୀହ ବେଲୋଚ୍ । ତୁରନ୍ତ ବେଲୋଚିସ୍ତାନ ଛାଡି ଚାଲିଯାଅ, ନଚେତ୍ ଚରମ ପରିଣତି ଭୋଗିବାକୁ ପଡ଼ିବ ।

ଖାସ୍ କରି ବେଲୋଚିସ୍ତାନରେ ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡ଼ର କାମ ଆରମ୍ଭ ହେବା ପର ଠାରୁ କ୍ଷୁବ୍ଧ ହୋଇଛି ବିଦ୍ରୋହୀ ସଂଗଠନ ବେଲୋଚିସ୍ତାନ ଲିବରେସନ ଆର୍ମୀ-BLA । ଏହି ଅଞ୍ଚଳରେ ଅବସ୍ଥିତ ବନ୍ଦରକୁ ଚୀନ୍ ସହାୟତାରେ ବିକଶିତ କରାଯାଉଥିବା ବେଳେ ସିପେକ୍ ଅନ୍ତର୍ଗତ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ତେବେ ଖଣିଜ ସମ୍ପଦରେ ପୂର୍ଣ୍ଣ ବେଲୋଚିସ୍ତାନବାସୀଙ୍କୁ ସବୁଥିରୁ ବଞ୍ଚିତ କରାଯାଉଛି । ବିକାଶ ପ୍ରକଳ୍ପରୁ ସେମାନଙ୍କୁ କୌଣସି ବି ଲାଭ ମିଳୁନି । ସେମାନଙ୍କ ପ୍ରାକୃତିକ ସଂପଦକୁ ଲୁଟିବା ବ୍ୟତିତ, ଚୀନ ଓ ପାକିସ୍ତାନ ସେମାନଙ୍କ ପାଇଁ କିଛି କରୁନଥିବା ଅଭିଯୋଗ କରିଛି BLA ।

କରାଚୀ ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ଆକ୍ରମଣ ସେମାନଙ୍କ ପୁଞ୍ଜିଭୁତ ଅସନ୍ତୋଷର ଫଳ ବୋଲି ଚର୍ଚ୍ଚା ହେଉଛି । ତେଣେ ବେଲୋଚିସ୍ତାନରେ ସି-ପେକ୍ ସଂପୂର୍ଣ୍ଣ ଫେଲ ମାରିବ ବୋଲି BLA ପକ୍ଷରୁ ଭିଡିଓ ବାର୍ତ୍ତାରେ କୁହାଯାଇଛି । ପ୍ରଥମ ଥର ଲାଗି ଜଣେ ମହିଳା ଆତ୍ମଘାତୀ ଆକ୍ରମଣ ଘଟାଇଛନ୍ତି ଓ ବେଲୋଚିସ୍ତାନ ମୁକ୍ତି ଆନ୍ଦୋଳନକୁ ଏହା ଆହୁରି ଶକ୍ତିଶାଳୀ କରିବ ବୋଲି ସଂଗଠନର ମୁଖପାତ୍ର କହିଛନ୍ତି । ପାକିସ୍ତାନ ବିରୋଧରେ ଲଢିବା ଲାଗି ସ୍ୱତନ୍ତ୍ର ଭାବେ ଗଠିତ ମାଜିଦ୍ ବ୍ରିଗେଡର ଆତ୍ମଘାତୀ ଆକ୍ରମଣ ଘଟାଇଥିବା ମହିଳାଙ୍କ ନାଁ ଶାରି ବେଲୋଚ୍ ବୋଲି ସେ ଜଣାଇଛନ୍ତି ।

ଗତ ମଙ୍ଗଳବାର ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏଥିରେ ଜଣେ ପାକିସ୍ତାନୀ ଡ୍ରାଇଭରଙ୍କ ସହିତ ୩ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଅନେକ ଆହତ ବି ହୋଇଛନ୍ତି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଚୀନି ଛାତ୍ରଙ୍କୁ ନେଇ ଏକ ଭ୍ୟାନ୍ ବିଶ୍ୱବିଦ୍ୟାଳୟ ଗେଟ୍ ଦେଇ ପ୍ରବେଶ କରୁଛି । ଆଉ ତା ପୂର୍ବରୁ ସେଠି ଛକି ରହିଥିଲେ ବୁର୍ଖା ପିନ୍ଧା ଜଣେ ମହିଳା, ଯାହାଙ୍କ ନାଁ ଶାରୀ ବାଲୋଚ୍ ସାଥିରେ ଏକ ବ୍ୟାଗ୍ ନେଇ ଛିଡ଼ା ହୋଇଛନ୍ତି । ଯେଉଁଥିରେ ବିସ୍ଫୋରକ ଥିବା ଆଶଙ୍କା କରାଯାଉଛି । ଆଉ ଭ୍ୟାନଟି ଗେଟ୍ ପାଖକୁ ଆସିବା ମାତ୍ରେ ମହିଳା ଜଣକ ନିଜକୁ ଉଡ଼ାଇଦେଇଥିଲେ ।

ସେପଟେ ନିଜ ନାଗରିକଙ୍କ ମୃତ୍ୟୁ ପରେ ଚିହିଁକି ଉଠିଛି ଚୀନ୍ । କହିଛି ବୃଥାରେ ବହିବନି ଚୀନ୍ ନାଗରିକଙ୍କ ରକ୍ତ । ଯେଉଁମାନେ ଆକ୍ରମଣ ପାଇଁ ଦାୟୀ ସେମାନଙ୍କୁ ଦିଆଯିବ ଉଚିତ୍ ଦଣ୍ଡ । ବିଭିନ୍ନ ଚୀନି ପ୍ରକଳ୍ପ ଓ ଏଥିରେ କାଯର୍ୟରତ ଚୀନ୍ ନାଗରିକଙ୍କ ଲାଗି ଉତ୍ତମ ସୁରକ୍ଷା ବନ୍ଦୋବସ୍ତ କରିବାକୁ ପାକିସ୍ତାନକୁ କହିଛି ବେଜିଂ ।