• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାରିପଦା (ମାନିକ ଲାଲ୍ ପାଣି) : ଆକାଶରେ ମେଘ ଖେଳିଲେ, ପ୍ରକୃତି ରାଣୀ ତା’ର ସୌନ୍ଦର୍ଯ୍ୟ ଭରା ରୂପକୁ ବିଛେଇ ଦେଉଛି ଡ୍ୟାମ୍ ଉପରେ । ବାରିପଦାର ବାଲିଡିହା ସ୍ଥିତ ଶତାୟୁ ଡ୍ୟାମର ଅପରୂପ ସୌନ୍ଦର୍ଯ୍ୟ ଏବେ ପର୍ଯ୍ୟଟକ ଏବଂ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି । ଏହି ଡ୍ୟାମ୍ ଏବେ ଜଳକ୍ରୀଡା, ସେଲଫି ଜୋନ ଏବଂ ବିଭିନ୍ନ ଆଲବମ୍ ଓ ଫିଲ୍ମ୍ ସୁଟିଂର ଆକର୍ଷଣ ପୋଲଟିଛି ।

ଚାରିଆଡ଼େ ସୁନ୍ଦର ସବୁଜ ବନାନୀ । ଲାଗୁଛି ଯେମିତି ଏଇଠି ମିଶିଛନ୍ତି ଆକାଶ ଏବଂ ପୃଥିବୀ । ଆକାଶ ମାର୍ଗରୁ ଦେଖିଲେ ବି ପ୍ରକୃତିର ଏହି ସୁନ୍ଦର ପରିବେଶକୁ ଉପଭୋଗ ନ କରି ରହି ପାରିବେନି । ଡ୍ରୋନ୍ କେମେରାରେ ଉଠା ଯାଇଥିବା ବାରିପଦା ବାଲିଡିହା ଡ୍ୟାମର ସୌନ୍ଦର୍ଯ୍ୟ ସତରେ ବିମୋହିତ କରୁଛି । ବାରିପଦା ସହର ଠାରୁ ୧୭ କିମି ଅତିକ୍ରମ କଲାପରେ ଏହି ଡ୍ୟାମର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ବର୍ଷର ବାର ମାସରୁ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସରେ ଆକାଶରେ ବର୍ଷା ଉଠିଲେ ବାଳିଡିହା ଡ୍ୟାମକୁ ପ୍ରକୃତି ରାଣୀ ଯେପରି ସୁନ୍ଦର ମୁକୁଟ ପିନ୍ଧାଇ ଦେଇଥାଆନ୍ତି ।

ଶତାୟୁ ବାଲିଡିହା ଡ୍ୟାମକୁ ଶିମିଳିପାଳରୁ ପଥର ଚିରି ପଳପଳା ନଦୀ ବୋହି ଆସିଥାଏ। ଆଉ ଏହି ତିନି ଚାରି ମାସ ଡ୍ୟାମର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲୋକଙ୍କ ସୁଅ ଛୁଟେ । ବାଲିଡିହା ଡ୍ୟାମର ସୌନ୍ଦର୍ଯ୍ୟ ଆଖିରେ ନଦେଖିଲେ ବର୍ଣ୍ଣନା କରିବା ଅସମ୍ଭବ । ବର୍ଷା ଦିନ ଆସିବା ମାତ୍ରେ ଏଠାରେ ଯୁବଗୋଷ୍ଠୀଙ୍କ ଭିଡ଼ ଜମେ । କିଛ ଲୋକ ଡ୍ୟାମରେ ଗାଧୋଇବା ସହ ଆଉ କିଛି ଡ୍ୟାମର ଉପର ମୁଣ୍ଡରେ ଏ ପଟରୁ ସେପଟ ପାର ହୋଇ ମଜା ଉଠାନ୍ତି । ଆଉ କିଛି ପ୍ରକୃତି ରାଣୀର ଏହି ସୌନ୍ଦର୍ଯ୍ୟକୁ ମୋବାଇଲ କ୍ୟାମେରେ କଏଦ କରି ନିଅନ୍ତି ।

ଲକଡାଉନ, ସଟ୍ ଡାଉନର ଅବସାଦ ପରେ ଲୋକେ ଟିକିଏ ମଜା ନେବାପାଇଁ ବାଲିଡିହା ଡେମ ଆଡ଼କୁ ମୁହାଁଇଛନ୍ତି । ଏହି ଡ୍ୟାମ୍ ୧୯୧୨ ମସିହାରେ ମୟୁରଭଞ୍ଜ ଜିଲ୍ଲାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା । ବିଦେଶୀ ଇଂଜିନିୟରିଂ ଡିଜାଇନରେ ମହାରାଜା ଏହି ଡ୍ୟାମର ପରିକଳ୍ପନା କରିଥିଲେ । ଏଇ ଭିତରେ ଶତାୟୁ ପାଲଟିଛି ବାଲିଡିହା ଡ୍ୟାମ୍ । ଡ୍ୟାମ୍ ଚାରିପଟେ ସୁରକ୍ଷା ବାଡ଼, ପିଇବା ପାଣି, ବସିବା ପାଇଁ ସ୍ଥାନ ଏବଂ ଏହାକୁ ପର୍ଯ୍ୟଟନ କେନ୍ଦ୍ର ଘୋଷଣା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।