Advertisment

ରାଜ୍ୟରେ ସ୍ୱାସ୍ଥ୍ୟସେବା କଣ ଏମିତି ! ଡାକ୍ତର ଅଭାବ ସାଙ୍ଗକୁ ମିଳୁନି ସର୍ବନିମ୍ନ ମୌଳିକ ସୁବିଧା

ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଦୃଶ୍ୟ। ପ୍ରତିଷ୍ଠାନକୁ ୬ ବର୍ଷ ଚାଲିଲାଣି। ହେଲେ ମେଡିକାଲର ଅବ୍ୟବସ୍ଥା ଆଉ ଅଭିଯୋଗର ଏମିତି ଲମ୍ବିଚାଲୁଛି ତାଲିକା।

author-image
Chandan Shishu
Balasore Medical College struggles

Balasore Medical College struggles

ଗୋଟିଏ ପଟେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବାର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ଆର ପଟେ ଭଗବାନ ଭରସାରେ ଚାଲିଛି ରୋଗୀସେବା। ସରକାରୀ ଡାକ୍ତରଖାନା ଗୁଡ଼ିକରେ ମୌଳିକ ସୁବିଧା ଅଭାବରୁ ହୀନସ୍ତା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଡାକ୍ତର ଅଭାବରୁ ଚିକିତ୍ସା ନପାଇ ରୋଗୀ କଲବଲ ହେବା ତ ଦେହସୁହା ହୋଇଗଲାଣି। ସେଦିଗ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି କି ନାହିଁ, ତାହା ଭଗବାନଙ୍କୁ ଜଣା। ହେଲେ ମେଡ଼ିକାଲ ଗୁଡ଼ିକର ଅବ୍ୟବସ୍ଥା କହିଦେଉଛି, ଚିକିତ୍ସା ସେବା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା କେତେ। 

Advertisment

ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଦୃଶ୍ୟ। ପ୍ରତିଷ୍ଠାନକୁ ୬ ବର୍ଷ ଚାଲିଲାଣି। ହେଲେ ମେଡିକାଲର ଅବ୍ୟବସ୍ଥା ଆଉ ଅଭିଯୋଗର ଏମିତି ଲମ୍ବିଚାଲୁଛି ତାଲିକା। ହେବନି ବା କାହିଁକି। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଶୌଚାଳୟରେ ତାଲା ଝୁଲୁଛି। ଏହି ଫ୍ଲୋରରେ ପାନୀୟ ଜଳ ସୁବିଧା ବି ନାହିଁ। ଶେଷରେ ଖଣ୍ଡିଏ ଖଣ୍ଡିଏ ବୋତଲ ଧରି ବାହାରକୁ ଏମିତି ପାଣି ଆଣିବାକୁ ଯାଆନ୍ତି ରୋଗୀ ଓ ସଂପର୍କୀୟ। କେବଳ ଶୌଚାଳୟ କି ପାନୀୟ ଜଳ କଥା ନୁହଁ, ପ୍ରତିଦିନ ଡାକ୍ତର ଠିକ୍ ସମୟରେ ପରିଦର୍ଶନ ପାଇଁ ଆସୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସମସ୍ତେ। 

ଏଭଳି ମୌଳିକ ସୁବିଧା ସହ ଯୁଝିବାକୁ ପଡୁଥିବାବେଳେ ବ୍ୟବହୃତ ଛୁଞ୍ଚିରେ ଜଣେ ରୋଗୀଙ୍କୁ ନର୍ସ ଜଣକ ସାଲାଇନ୍ ଦେବା ଅଭିଯୋଗକୁ ନେଇ ଗତରାତିରେ ଏଠି ଦେଖାଦେଇଥିଲା ତମ୍ବିତୋଫାନ। ସ୍ଥିତି ଏମିତି ହେଲା ଯେ, ଜିଲ୍ଲାପାଳଙ୍କୁ ଆସିବାକୁ ପଡ଼ିଥିଲା। ଜିଲ୍ଲାପାଳ ଆସି ରାତାରାତି ଅସ୍ଥାୟୀ ଭାବେ ପାନୀୟଜଳର ବି ବ୍ୟବସ୍ଥା କରାଇଥିଲେ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ କିନ୍ତୁ ଚୁପ୍ ଏହି ଘଟଣାରେ।  

Advertisment

ଅବ୍ୟବସ୍ଥାର ଏଭଳି ଅଭାବନୀୟ ଚିତ୍ର ଭାତହାଣ୍ଡିରୁ ଗୋଟାଏ। ଭଦ୍ରକ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ। ଅସରାଏ ବର୍ଷାରେ ଔଷଧ ବିତରଣ କେନ୍ଦ୍ରରେ ପାଣି ପଶିଲାଣି ତ ଆଉ କେଉଁଠି ଅସ୍ବାସ୍ଥ୍ୟକର ପରିବେଶ। ଛାତରୁ କେତେବେଳେ ଚୂନ ଖଣ୍ଡ ଖସିବାର ଆଶଙ୍କା ବି ରହିଛି। ହେଲେ ଶୁଣିଛି କିଏ। ବରଂ 5T ଜରିଆରେ ରୂପାନ୍ତରିତ କାମ ଚାଲିଥିବାରୁ ଏଭଳି ହୋଇଥିବା ଦର୍ଶାଇ ମେଡ଼ିକାଲ କର୍ତ୍ତୃପକ୍ଷ ହାତ ଟେକିଦେଇଛନ୍ତି।   

ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରର ଚକାଚକ୍ କୋଠା ସହ ନୂଆ ନୂଆ ଯନ୍ତ୍ରାଂଶ ବି ଲାଗିଛି। ଏଭଳି ଭିତ୍ତିଭୂମିକୁ ଦେଖି ରୋଗୀଙ୍କ ସଂଖ୍ୟା ବି ବଢୁଛି। ହେଲେ ଦାଉ ସାଧୁଛି ଡାକ୍ତର ଅଭାବ। ଏହି ମେଡ଼ିକାଲକୁ ଦୈନିକ ପ୍ରାୟ ୧୫ ଶହ ରୋଗୀ ଆସୁଛନ୍ତି। କିନ୍ତୁ ୩୦ଟି ଡାକ୍ତର ପଦବୀ ଖାଲି। କେବଳ ଏହି ସ୍ୱାସ୍ଥ୍ୟକେନ୍ଦ୍ର ନୁହେଁ। ସାରା ଜିଲ୍ଲାରେ ୨୧୫ରୁ ପ୍ରାୟ ଶହେଟି ଡାକ୍ତର ପଦବୀ ଶୂନ୍। ପରିଣାମ ସ୍ୱରୂପ, ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ସେବା ନପାଇ କିଏ ପ୍ରାଣ ହରାଉଛନ୍ତି ତ ଆଉ କିଏ ଭାଗ୍ୟକୁ ଆଦରି ପଡ଼ିରହୁଛନ୍ତି। 

Health Department
Advertisment
Advertisment