• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଦଳିପାରେ ବଡ଼ଦାଣ୍ଡର ରଙ୍ଗ । ଫିକା ହଳଦୀ ବଦଳରେ ଫିକା ଗୋଲାପୀ ରଙ୍ଗରେ ସଜେଇ ହୋଇପାରେ ବଡ଼ଦାଣ୍ଡର ସବୁ କୋଠା । ସେ ବ୍ୟାବସାୟିକ ଘର ହେଉ କି ବ୍ୟକ୍ତିଗତ ଘର, ରଙ୍ଗରେ ସମାନତା ଆଣିବାକୁ ଖୁବଶୀଘ୍ର ପୁଣି ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ସରକାର । କୁହାଯାଉଛି, ଗତକାଲି ଫାଇଭ୍ ଟି ଅଧ୍ୟକ୍ଷଙ୍କ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ସମୟରେ ବଡ଼ଦାଣ୍ଡ ପାର୍ଶ୍ୱରେ ଥିବା କୋଠାର ରଙ୍ଗ ବଦଳାଯିବା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି ।

ମାଟିଆ, ଧଳା, ଫିକା ଗୋଲାପି ଆଦି ୧୪ରୁ ଅଧିକ ରଙ୍ଗ ଅନୁଧ୍ୟାନ କରିବା ପରେ ଫିକା ଗୋଲାପି ରଙ୍ଗ ଚୟନ କରାଯାଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଏହା ବି କୁହାଯାଉଛି,ଏନେଇ ଗାଇଡ୍‌ଲାଇନ୍ ଜାରି ପରେ ଲୋକେ ଯଦି ନିଜ ଆଡ଼ୁ ରଙ୍ଗ ନ ବଦଳାନ୍ତି, ତାହେଲେ ପ୍ରଶାସନ ଏହି ରଙ୍ଗ କାମ କରିବ, କିନ୍ତୁ ପରେ ସଂପୃକ୍ତ ବ୍ୟକ୍ତି ରଙ୍ଗ ବାବଦ ଖର୍ଚ୍ଚ ବହନ କରିବ । ହେଲେ ଏନେଇ କିନ୍ତୁ, ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନଥିଲେ ହେଁ ବଡଦାଣ୍ଡର ରଙ୍ଗରେ ସମାନତା ଆଣିବା ପାଇଁ ଉଦ୍ୟମ ହେଉଥିବା କହିଛନ୍ତି ପୁରୀ ଉପଜିଲ୍ଲାପାଳ ।

ନବକଳେବର ସମୟରେ ବଡ଼ଦାଣ୍ଡରେ ଥିବା କୋଠାର ରଙ୍ଗରେ ସମାନତା ଆଣିବା ଉଦ୍ଦେଶ୍ୟରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା । ସବୁ କୋଠାକୁ ସରକାରଙ୍କ ପକ୍ଷରୁ ଫିକା ହଳଦିଆ ରଙ୍ଗରେ ରଙ୍ଗାଯାଇଥିଲା । ସେବେଠୁ ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ଥିବା ଘରୋଇ ଓ ବ୍ୟାବସାୟିକ କୋଠାକୁ ଲୋକେ ଫିକା ହଳଦିଆ ରଙ୍ଗ ଦେଉଛନ୍ତି ।

ଅବଶ୍ୟ ଏହା ଭିତରେ ଭିନ୍ନ ଭିନ୍ନ ରଙ୍ଗର କୋଠା ବି ମୁଣ୍ଡ ଟେକିଲାଣି । ତେବେ ଯେଉଁମାନେ ନିୟମ ଉଲ୍ଲଂଘନ କରି ଭିନ୍ନ ରଙ୍ଗ କରିଛନ୍ତି, ତାଙ୍କୁ ତାଗିଦ୍ ପରିବର୍ତ୍ତେ ମାତ୍ର କେଇଟା ବର୍ଷ ପରେ ଏବେ ପୁଣି ଲୋକଙ୍କୁ ନିଜ ହାତରୁ ରଙ୍ଗ ପରିବର୍ତ୍ତନ ଚର୍ଚ୍ଚାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସରକାର ଯଦି ଚାହୁଁଛନ୍ତି ପୂର୍ବଥର ଭଳି ଏଥର ବି ମାଗଣାରେ ରଙ୍ଗ ବଦଳାନ୍ତୁ, ଆମେ କାହିଁକି ଅଯଥାରେ ଖର୍ଚ୍ଚାନ୍ତ ହେବୁ ବୋଲି ପ୍ରଶ୍ନ କରିଛନ୍ତି, ବ୍ୟବସାୟୀ ଓ ବାସିନ୍ଦା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ପରିବର୍ତ୍ତିତ ରଙ୍ଗ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ଏନେଇ ସରକାରୀ ଭାବେ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ବି, ପୂର୍ବରୁ ଥିବା ଫିକା ହଳଦୀ ରଙ୍ଗକୁ ଏବେ ଫିକା ଗୋଲାପି କରାଯିବାର ଉଦ୍ଦେଶ୍ୟ କଣ ତାକୁ ନେଇ ବି ପ୍ରଶ୍ନ ଉଠିଛି ।

  • Reported by:
  • MADHUSUDAN MISHRA