/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679240970.jpg)
Ayurvedic Hospital
ସେମିଳିଗୁଡ଼ା ଆୟୁର୍ବେଦ ଚିକିତ୍ସାଳୟରେ ତାଲା ଝୁଲୁଛି । ମହାଦେଇପୁଟ ଚିକିତ୍ସାଳୟରେ କାଉ କୋଇଲିର ବି ଦେଖାନାହିଁ । ଆଉ ହାଟଗୁଡ଼ା ଚିକିତ୍ସାଳୟରେ ଭୂତକୋଠିର ଭ୍ରମ । ଭାତହାଣ୍ଡିରୁ ଗୋଟିଏ ବାଛିଲା ଭଳି ଏ ସବୁ ହେଉଛି କୋରାପୁଟ ଜିଲ୍ଲାରେ କୋମାରେ ପଡ଼ିଥିବା ଆୟୁର୍ବେଦିକ ମେଡିକାଲର ଅବସ୍ଥା । ନା ଏଠାରେ ଡାକ୍ତର ଅଛନ୍ତି ନା ଅଛି ଆବଶ୍ୟକ ଭିତ୍ତିଭୂମି । ଫଳରେ ମାଟିରେ ମିଶିବାକୁ ଗଲାଣି ଏହି ସବୁ ପ୍ରତିଷ୍ଠାନ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଥିବା ଏହି ମେଡିକାଲ ୧୯୭୨ ମସିହାରୁ ସେବା ଯୋଗାଇ ଆସୁଥିଲା । ଏବେ କିନ୍ତୁ ଏହା ପୂରାପୁରି ଅକ୍ଷମ ।
ସେପଟେ ସଦର ମହକୁମାରୁ ମାତ୍ର ୬କିଲୋମିଟର ଦୂରରେ ମହାଦେଇପୁଟ ଠାରେ ଥିବା ଆୟୁର୍ବେଦିକ ମେଡିକାଲର ବି ସମାନ ସ୍ଥିତି । ୧୯୮୯ ମସିହାରୁ ସେବା ଯୋଗାଉଥିବା ଏହି ମେଡିକାଲ ଏବେ ବ୍ୟବହୃତ ନହୋଇ ଖତ ଖାଉଛି ।
ସୀମାନ୍ତ ନନ୍ଦପୁର ବ୍ଲକ ପାନ୍ତଲୁମ ପଂଚାୟତର ହାଟଗୁଡାରେ ଥିବା ମେଡିକାଲର ବି ସମାନ ସ୍ଥିତି । ୧୯୮୯ ମସିହାର ଭଙ୍ଗାଦଦରା ଆଜବେଷ୍ଟ ଘର ଓ ଛପର ଭାଙ୍ଗି ଭିତର ପଟୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି । ତେବେ ଚିକିତ୍ସାଳୟ ଜରାଜିର୍ଣ୍ଣ ଅବସ୍ଥା ଯୋଗୁଁ ନାଁ ଅଛନ୍ତି ଡାକ୍ତର ନା ସେବା ପାଉଛନ୍ତି ଅଞ୍ଚଳବାସୀ ।
କୋରାପୁଟ ଭଳି ବଣପାହାଡ ଘେରା ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳରେ ସରକାରୀ ଉଦ୍ୟମରେ ଖୋଲାଯାଇଥିବା ଏହି ଅନୁଷ୍ଠାନ କାହିଁକି ଚାଲିପାରୁନି ତାକୁ ନେଇ କିନ୍ତୁ ଉଠୁଛି ପ୍ରତିବାଦର ସ୍ୱର ।
(ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)