/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634661572.jpg)
auto driver
ଭୁବନେଶ୍ୱର: ଏ ହେଉଛନ୍ତି ଖୋର୍ଦ୍ଧା ରଣପୁରର ଭାଗିରଥୀ ନାୟକ । ଗଲା ୨୦ ବର୍ଷ ହେବ ଭୁବନେଶ୍ୱରରେ ଅଟୋ ଚଳାଇ ପରିବାର ପୋଷୁଛନ୍ତି । ଦିନ ସାରା ଅଟୋ ଚଳାଇଲେ ଯେଉଁ ୬୦୦ରୁ ୭୦୦ ଟଙ୍କା ମିଳେ, ସେଥିରୁ କିଛି ତେଲ ଖର୍ଚ୍ଚରେ ଯାଏ, ଆଉ ବଳକା ଅର୍ଥରେ ହସଖୁସିରେ ଚଳିଯାଏ ତାଙ୍କ ୪ ଜଣିଆ ପରିବାର । ହେଲେ ୨୦୨୦ ମସିହା ପରଠୁ ସତେ ଯେମିତି କିଏ ତାଙ୍କ ଖୁସିରେ ନଜର ପକାଇ ଦେଇଛି । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଲକଡାଉନ୍, ସଟଡାଉଟ୍ ଯୋଗୁଁ ଢେର୍ ଦିନ ବେପାର ବନ୍ଦ ରହିଲା । ଯାହା କିଛି ସଞ୍ଚିଥିଲେ ସେଥିରେ କଷ୍ଟେ ମଷ୍ଟେ ପରିବାର ଚଳିଯାଇଥିଲା । ଭାବିଥିଲେ ମହାମାରୀ ସ୍ଥିତି ସ୍ୱାଭାବିକ ହେଲେ, ସବୁ ଠିକ୍ ହୋଇଯିବ । ହେଲେ ତେଲର ମହଙ୍ଗା ମାଡ଼ ଏବେ ତାଙ୍କୁ କଲବଲ କରିଦେଇଛି ।
ଏ ସ୍ଥିତି କେବଳ ଭାଗିରଥୀଙ୍କର ନୁହେଁ, ରାଜ୍ୟରେ ଅଟୋ ଉପରେ ନିର୍ଭର କରୁଥିବା ସବୁ ଅଟୋ ଚାଳକଙ୍କର । ସେମାନଙ୍କ କହିବା କଥା, କରୋନା ପରଠାରୁ ତ ଏମିତିରେ ବହୁତ କମ୍ ଲୋକ ଅଟୋରେ ବସୁଥିଲେ, କିନ୍ତୁ ଗଲା ଦେଢ଼ ବର୍ଷ ଭିତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୫ରୁ ୩୦ ଟଙ୍କା ବଢ଼ିଯାଇଛି । ଏହି ଦରବୃଦ୍ଧି ଯୋଗୁଁ ସେମାନେ ଦର ବଢ଼ାଇଥିବାରୁ, ଯାତ୍ରୀ ଅଧିକ ପଇସା ଦେବାକୁ ଅମଙ୍ଗ ହେଉଛନ୍ତି । ଫଳରେ ପରିବାର ଚଳାଇବା କଷ୍ଟକର ହେଉଥିବା କହିଛନ୍ତି ଅଟୋ ଚାଳକ ।
ଏପଟେ ଅଟୋ ଯାତ୍ରୀଙ୍କ କହିବା କଥା, ଭୁବନେଶ୍ୱର ଭିତରେ ଅଟୋରେ ଯାତାୟାତ ବହୁତ ସୁବିଧାଜନକ ଥିଲା । କିନ୍ତୁ କିଛିଦିନ ହେଲା ସେମାନେ ତେଲ ଦର ବଢ଼ିବାର ବାହାନା କରି ଅଟୋ ଭଡ଼ା ଦୁଇରୁ ତିନିଗୁଣା ବଢ଼ାଇ ଦେଲେଣି । ଏଣୁ ଅଟୋରେ ଯିବାକୁ ଡର ଲାଗୁଛି । ତେଣୁ ବାଧ୍ୟହୋଇ ଲୋକମାନେ ମୋ ବସ୍ରେ ଯାତାୟାତ କରୁଥିବା କହିଛନ୍ତି । କିନ୍ତୁ ଏଥିପାଇଁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଛି । କେବଳ ଜରୁରୀକାଳୀନ ସ୍ଥିତିରେ ଅଟୋରେ ଅଧିକ ଭଡ଼ା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି । ଗୋଟେ ପଟେ କରୋନା କଟକଣା ଏବଂ ଅନ୍ୟପଟେ ମହଙ୍ଗା ପେଟ୍ରୋଲ ଡିଜେଲ୍ ଅଟୋ ଚାଳକଙ୍କୁ ଅତିଷ୍ଠ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)