• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଘାଏଁ ଘାଏଁ ମେସିନ ଚାଲୁଛି, ସାଏଁ ସାଏଁ ଶାଢୀ ତିଆରି ହେଉଛି । ଭଳିକି ଭଳି ରଙ୍ଗର ସୁନ୍ଦର ସୁନ୍ଦର ସମ୍ବଲପୁରୀ ଶାଢୀ ତିଆରି କରିବାରେ ବ୍ୟସ୍ତ ଅଛନ୍ତି କାରିଗର । ଖାସ୍ କରି ସୂକ୍ଷ୍ମ ଓ ସୁନ୍ଦର ଶାଢୀ କାରିଗର କହିଲେ ମେହେର ବୁଣାକାରଙ୍କୁ ଆଗ ଖୋଜା ପଡେ । ଖାଲି ମେହେର ପରିବାର କାହିଁକି ? ବରଂ ହରିଜନ ପରିବାରର ଲୋକ ବି ଶାଢୀ ବୁଣିବାରେ ବ୍ୟସ୍ତ । ହେଲେ ପ୍ରଶାସନର ଅସହଯୋଗ ପାଇଁ ସେମାନେ ଆଜି ଅବହେଳିତ ।

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଚାଂୟତ ବଡ ନୁଆଁପାଲି ଗାଁରେ ଏବେ କାରିଗରଙ୍କ ସମସ୍ୟା କହିନେ ନସରେ । ଏଠାରେ ସୁକ୍ଷ୍ମ ସୂତାର ନିଖୁଣ କାରିଗରୀରେ ସମ୍ବଲପୁରୀ ଶାଢୀ ଓ ଡ୍ରେସ କପଡା ତିଆରି କରୁଛନ୍ତି ହରିଜନ ସମ୍ପ୍ରଦାୟର ଲୋକେ । କେବଳ ମେହେର ସମ୍ପ୍ରଦାୟର ଲୋକେ ସମ୍ବଲପୁରୀ ବସ୍ତ୍ର ତିଆରି କରୁଥିବା ଆପଣ ଜାଣିଥିବେ । କିନ୍ତୁ ସେଇଠି ହରିଜନ ପରିବାର ସମ୍ବଲପୁରୀ ବସ୍ତ୍ର ତିଆରି କରୁଛନ୍ତି । ଇଏ ଆଜି କି କାଲିର ନୁହେଁ ବରଂ ବର୍ଷବର୍ଷ ଧରି ଏମିତି ଶାଢୀ ତିଆରି କରିବାରେ ସେମାନେ ବ୍ୟସ୍ତ ।

ପିଢିପିଢି ଧରି ସମ୍ବଲପୁରୀ ଶାଢୀ ସେମାନେ ତିଆରି କରୁଛନ୍ତି । ଯାହାକୁ ନେଇ ଦେଶଠୁ ବିଦେଶ ସମସ୍ତେ ଗର୍ବ କରନ୍ତି । ହେଲେ କାରିଗରଙ୍କର ଅବସ୍ଥା ଏବେ ପୂରା ଖରାପ ।ଭଙ୍ଗାଦଦରା ଘର...ଆଉ ତା’ରି ଭିତରେ ଚାଲିଛି କାମ । ଖରା ଆଉ ଶୀତ ଦିନରେ ଯାହା ଯେମିତି ଚଳିଯାଉଛି ହେଲେ ବର୍ଷା ଦିନରେ ସ୍ଥିତି ପୂରା ସଙ୍ଗୀନ ହେଉଛି । ଏମିତିକି ସରକାରୀ ସୁବିଧା କିଛି ମିଳୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ସେମାନେ ।

ସ୍ଥିତି ଏମିତି ହେଲାଣି ଯେ ଆଗାମୀ ଦିନରେ ଯଦି ଏହି ହସ୍ତତନ୍ତ କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ନ ମିଳେ ତେବେ କୌଳିକ ବୃତ୍ତି ବନ୍ଦ ହୋଇଯିବା ନେଇ ସନ୍ଦେହ ପ୍ରକାଶ ପାଇଲାଣି । ସେପଟେ କାରିଗରଙ୍କର ଅସୁବିଧା ନେଇ ଡୁଙ୍ଗୁରିପାଲି ଏବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, କାରିଗର ଶାଢୀ ତିଆରି କରି ଭଲ ରୋଜଗାର କରୁଛନ୍ତି । ଘର ଲାଗି ଅନଲାଇନ୍‌ରେ ଆପ୍ଲାଏ କଲେ ନିଶ୍ଚିୟ ମିଳିବ ।

 

  • Reported by:
  • Rabindra Hota