Advertisment

ଆମେ କୌଣସି ଆର୍ଥିକ ସହାୟତା ଲୋଡ଼ୁନାହୁଁ- ଅରିନ୍ଦମଙ୍କ ଉଉଣୀ

ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
Jharana Das Arindam Das Sister

Jharana Das Arindam Das Sister's Tweet

ଭୁବନେଶ୍ୱର: ଦିବଂଗତ ସାମ୍ବାଦିକ ତଥା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କୁ ନେଇ ଚାଲିଥିବା ଅପପ୍ରଚାର ବନ୍ଦ ହେଉ। ଏଭଳି କଠିନ ସମୟରେ ଆମେ ଏପରି ଗୁଜବକୁ ସ୍ୱୀକାର କରିବା ସ୍ଥିତିରେ ନାହୁଁ ବୋଲି ଅରିନ୍ଦମଙ୍କ ସାନ ଭଉଣୀ ଝରଣା ଦାସ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଯେଉଁମାନେ ଗୁଜବ କରୁଛନ୍ତି ସେମାନେ ଭାବନ୍ତୁ ତ ତାଙ୍କ ପରିବାରରେ ଏଭଳି ଘଟଣା ଘଟିଥିଲେ କଣ ହୋଇଥାନ୍ତା ? ଦୟାକରି କାହାରି ଦୁଃଖଦ ଘଟଣାକୁ ନେଇ ମଜା କରିବା ବନ୍ଦ କରନ୍ତୁ ବୋଲି ଟୁଇଟରେ ଅନୁରୋଧ କରିଛନ୍ତି ଅରିନ୍ଦମଙ୍କ ସାନ ଭଉଣୀ। ଏଥିସହ ଅରିନ୍ଦମଙ୍କ ପରିବାର ସାଧାରଣ ଲୋକଙ୍କଠାରୁ ଆର୍ଥିକ ସହାୟତା ଲୋଡୁଛନ୍ତି ବୋଲି ସୋସିଆଲ୍ ମିଡିଆରେ ପ୍ରସାରିତ ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଝରଣା ଲେଖିଛନ୍ତି, ଆମ ପରିବାର ଅରିନ୍ଦମଙ୍କ ଦାୟିତ୍ୱ ଉଠାଇବାକୁ ସମର୍ଥ ବୋଲି ସେ ଲେଖିଛନ୍ତି।

Advertisment

ଭଗବାନଙ୍କ କୃପାରୁ ଏଭଳି କଠିନ ସମୟରେ ଆମ ନିକଟରେ ବହୁ ଶୁଭେଚ୍ଛୁ ରହିଛନ୍ତି। ଆମର ଏକ ଯୌଥ ପରିବାର ଅଛି ଓ ସମସ୍ତେ ନିଜ ନିଜ କ୍ଷେତ୍ରରେ ସମର୍ଥ। ମୋ ବାପା ଜଣେ ସଚ୍ଚୋଟ ବ୍ୟାଙ୍କ ଅଧିକାରୀ ଥିଲେ। ଭାଇ ମଧ୍ୟ ସ୍ୱଚ୍ଛ ହୃଦୟର ବ୍ୟକ୍ତି ଥିଲା। ସେ ଟଙ୍କା ପଛରେ ନ ଗୋଡାଇ ସର୍ବଦା କାମକୁ ଅଧିକ ଗୁରୁତ୍ୱ ଦେଇଆସୁଥିଲେ। ଅରିନ୍ଦମଙ୍କ ପତ୍ନୀ ଓ ପୁଅ ଯେଭଳି ଏକ ସମ୍ମାନଜନକ ଜୀବନ ଯାପନ କରିବେ ସେଥିପାଇଁ ଆମେ ସକ୍ଷମ।

Advertisment

ଏଣୁ ଅରିନ୍ଦମଙ୍କ ପରିବାର ଆର୍ଥିକ ସାହାଯ୍ୟ ଆବଶ୍ୟକ କରୁଥିବା ନେଇ ସୋସିଆଲ ମିଡିଆରେ ଯେଉଁ ମିଥ୍ୟା ବାର୍ତ୍ତା ପ୍ରଚାର ହେଉଅଛି, ତାହାକୁ ଆଦୌ ବିଶ୍ୱାସକୁ ନ ନେବା ଲାଗି ଭଉଣୀ ଝରଣା ନିବେଦନ କରିଛନ୍ତି। ବରଂ ଏଭଳି କଠିନ ସମୟରେ ସେ ସମସ୍ତ ଶୁଭେଚ୍ଛୁଙ୍କଠାରୁ ସମର୍ଥନ ଓ ସ୍ନେହ ଆବଶ୍ୟକ କରନ୍ତି ବୋଲି ଝରଣା ଲେଖିଛନ୍ତି। ଅରିନ୍ଦମଙ୍କ ପରିବାର ସହ ଛିଡ଼ା ହୋଇଥିବା, ବଳ ଦେଇଥିବା ଓ ଅରିନ୍ଦମଙ୍କୁ ଭଲ ପାଇବା ଦେଇଥିବାରୁ ଲୋକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଭାଇ ଅରିନ୍ଦମଙ୍କ ମୃତ୍ୟୁକୁ ଢାଲ କରି ପରିଚିତ ହେବାକୁ ଚାହୁଁଥିବା ଲୋକଙ୍କୁ ବିରତ ରହିବା ସହ ମିଥ୍ୟା ଭିଡିଓ ପ୍ରସାର ନ କରିବାକୁ ସେ ଅନୁରୋଧ କରିଛନ୍ତି। ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା ।

Social Media Arindam Das
Advertisment
Advertisment