• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିମନ୍ତ୍ରଣ କରାନଯିବା ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ଡକାଯାଇନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ଆଜି ରାଜଧାନୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରର ସମସ୍ତ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି । ଆହୁରି ଅନେକ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । କିନ୍ତୁ ଭୁବନେଶ୍ୱରର ନିର୍ବାଚନ ସାଂସଦ ହୋଇଥିଲେ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଇନି ।

ନିମନ୍ତ୍ରଣ ପତ୍ରରେ ତାଙ୍କ ନାଁ ନାହିଁ କି ରାଜ୍ୟ ସରକାରଙ୍କ ତରଫରୁ କେହି ତାଙ୍କୁ କିଛି କଥା ମଧ୍ୟ ହୋଇ ନାହାନ୍ତି । ଏହା ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ । ସ୍ଥାନୀୟ ସାଂସଦ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହେବା ତାଙ୍କର ଅଧିକାର । ରାଜନୈତିକ ଆଦର୍ଶ ହୁଏତ ଅଲଗା ଅଲଗା ହୋଇପାରେ, କିନ୍ତୁ ଜନ ପ୍ରତିନିଧିଙ୍କୁ ରାଜ୍ୟ ସରକାର ସର୍ବନିମ୍ନ ସୌଜନ୍ୟତା ଦେଖାଇବା ଉଚିତ । ଅଜାଣତରେ ନୁହେଁ, ବରଂ ଜାଣିଶୁଣି ତାଙ୍କୁ ଡକାଯାଇନଥିବାର ସଂଗୀନ ଅଭିଯୋଗ କରିଛନ୍ତି ଅପରାଜିତା । ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

କାହିଁକି ନିର୍ବାଚିତ ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନାହିଁ ଏବଂ ଏହା ପଛରେ କାହାର ହାତ, ତାହା ଜାଣିବାର ଅଧିକାର ରାଜଧାନୀବାସୀଙ୍କର ଅଛି ବୋଲି ମଧ୍ୟ କହିଛନ୍ତି ସାଂସଦ । ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନଥିବାରୁ ଆଗରୁ ଟ୍ୱିଟ କରି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି କାର୍ଯ୍ୟକ୍ରମ ଆହୁରି ଶୃଙ୍ଖଳିତ ହେବା ଦରକାର । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଲୋକ ସମ୍ପର୍କ ବିଭାଗ ସମସ୍ତଙ୍କୁ ନେଇ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବା କଥା । ନିୟମ ଅନୁସାରେ ସମସ୍ତଙ୍କୁ ନିମନ୍ତ୍ରଣ କରିବା କଥା । ତେବେ ରାଜନୀତିକରଣ କରାଯାଉନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ସେପଟେ ବାଚସ୍ପତି ସୂଯର୍ୟନାରାୟଣ ପାତ୍ର କହିଛନ୍ତି, ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ନିୟମ କରିଛନ୍ତି ଯେ, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ରାଜ୍ୟପାଳ କିମ୍ବା ବାଚସ୍ପତିଙ୍କୁ ଡକାଯିବ । ରାଜ୍ୟପାଳ ବାହାର ରାଜ୍ୟ ଗସ୍ତରେ ଅଛନ୍ତି, ଏଣୁ ତାଙ୍କୁ ଡକା ଯାଇଛି । ତେବେ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଡାକିବା କଥା ବୋଲି ସେ କହିଛନ୍ତି । ସେପଟେ ଆୟୋଜକ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି, ଭୁବନେଶ୍ୱର ବିକାଶରେ ସାଂସଦଙ୍କର ମହତପୂର୍ଣ୍ଣ ଭୂମିକା ରହିଛି । ସାଂସଦ ଅପରାଜିତାଙ୍କ ସହ ଯୋଗାଯୋଗ ହୋଇଥିଲା କି ନାହିଁ ଜାଣିନି. ।