• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶିଙ୍କୁଳିରେ ବନ୍ଧା ଜୀବନ । ଯେଉଁ ବୟସରେ ଭେଣ୍ଡିଆ ପୁଅ ଅନ୍ୟମାନଙ୍କ ପାଇଁ ସହାୟକ ହେବା କଥା ସେହି ବୟସରେ ସେ ପରିବାର ପାଇଁ ବୋଝ ପାଲିଟିଛି । ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକଳା ଗ୍ରାମର ହୀରାଧର ଶବରଙ୍କ ପୁଅ ସୁମନ୍ତଙ୍କ ଦୀର୍ଘ ୧୮ବର୍ଷ ହେଲା ଶିଙ୍କୁଳିରେ ବିତୁଛି ଜୀବନ । ଅବସ୍ଥା ଏପରି ଯେ ଘରେ ସମ୍ଭାଳିବା ମୁସ୍କିଲ ଏବଂ ବାହାରେ ଛାଡିବା ମଧ୍ୟ ମୁସ୍କିଲ ।

ସୁମନ୍ତ ଶବର, ୮ ଅଷ୍ଟମ ଶ୍ରେଣୀ ପାଠ ପଢିଲା ବେଳୁ ମାନସିକ ରୋଗରେ ଆକ୍ରାନ୍ତ । ତା‘ପରେ ପାଠ ପଢ଼ାରେ ବନ୍ଧା ହେଲା ଡୋରି, ସବୁବେଳେ ଘରୁ ବାହାରିଲେ କୁଆଡେ ଚାଲିଯାଆନ୍ତି ଯେ, ଆଉ ଘରକୁ ଫେରନ୍ତି ନାହି । ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରି ଘରକୁ ଆଣିଥାନ୍ତି । ଫଳରେ ତାଙ୍କୁ ପରିବାର ଲୋକେ ଗୋଡ଼ରେ ଶିଙ୍କୁଳି ବାନ୍ଧି ଦୀର୍ଘ ୧୬ ବର୍ଷ ହେବ ରଖିଛନ୍ତି ।

ପୁଅକୁ ବଣାଇ, କଟକ, ଭୁବନେଶ୍ୱର ପ୍ରଭୁତି ଡାକ୍ତରଖାନା ନେଇ ଦେଖାଇଲେ, କିନ୍ତୁ ଅର୍ଥ ଅନାଟନରୁ କୌଣସି ଡାକ୍ତର କିମ୍ବା ମାନସିକ ବିଶେଷଜ୍ଞଙ୍କୁ ପୁଅକୁ ଦେଖେଇ ନପାରି ଘରେ ଏକ ରୁମରେ କବାଟ ବନ୍ଦ କରି ରଖିଥାନ୍ତି । ବାପା ଜଣେ ଅକର୍ମଣ୍ୟ । ଏଣେ ତେଣେ କୁଲି ମଜୁରୀ କରି ଯାହା ରୋଜଗାର କରନ୍ତି ଦୁଃଖ କଷ୍ଟରେ ତାଙ୍କ ପରିବାର ଚଳେ । ପୁଅର ଏମିତି ଅବସ୍ଥା ଦେଖି ବାପା, ମାଁ ଭାଙ୍ଗି ପଡିଥିବା ବେଳେ ଖାଇବା ଓ ଘର ଚଳାଇବା ପାଇଁ ହନ୍ତସନ୍ତ ହୋଇ ପଡୁଛନ୍ତି ।

ଘୋର ଅଭାବ ଅନଟନ ମଧ୍ୟରେ ପୁଅର ଚିକିତ୍ସା ପାଇଁ ଏତେ ଅର୍ଥ ଆସିବ କେଉଁଠୁ ? ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପୁଅକୁ ଭତା ମିଳୁ ନଥିବା ବେଳେ ଚିକିତ୍ସା ପାଇଁ କିଛି ସରକାରୀ ସହାୟତା ପାଇନଥିବା କହିଛନ୍ତି ପରିବାର ଲୋକେ । ସୁମନ୍ତ ଶବରଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଲେ ସେ ନିଶ୍ଚିତ ଭାବରେ ଭଲ ହୋଇଯିବେ ବୋଲି ପଡୋଶୀ କହିଥିବା ବେଳେ ବାପା, ପୁଅକୁ ଚିକିତ୍ସା ଯୋଗାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ଏହି ଘଟଣାକୁ ନେଇ ଆମେ ବଣାଇ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି ସୁମନ୍ତ କିପରି ସାହାଯ୍ୟ ପାଇବେ ଏବଂ ତାଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଅଧିକାରୀଙ୍କ ସାଙ୍ଗରେ କଥା ହୋଇ ପଦକ୍ଷେପ ନେବୁ ।

ଆଶା କରୁଛୁ ବିଡିଓ ମହାଶୟ ତାଙ୍କ ପ୍ରତିଶୃତି ରକ୍ଷା କରିବେ । ତେବେ ଖାଲି ସରକାର କାହିଁକି ? ଆପଣମାନେ ମଧ୍ୟ ଚାଁହିଲେ ସୁମନ୍ତଙ୍କୁ ସାହାଯ୍ୟ କରିପାରିବେ । ସୁମନ୍ତଙ୍କୁ ସାହାଯ୍ୟ କରିବା ପାଇଁ ଲେଖିରଖନ୍ତୁ ତାଙ୍କ ଠିକଣା ।

ନାମ- ସୁମନ୍ତ ଶବର, ପିତା- ହୀରାଧର ଶବର

ଗ୍ରାମ- ଜକେଇକଳା, ପୋଷ୍ଟ-ଜକେଇକଳା, ଭାୟା-ବଣେଇଗଡ, ଜିଲ୍ଲା- ସୁନ୍ଦରଗଡ

ପଡୋଶୀଙ୍କ ମୋବାଇଲ ନମ୍ବର- ୯୪୩୭୩୪୩୬୩୯ ।