• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମିଡିଆ ଉପରେ ଖପ୍ପା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ନିଜ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼କୁ ନେଇ ଆଜି ଏକ ଭିଡିଓ ପୋଷ୍ଟ କରିବା ସହିତ ଗଣମାଧ୍ୟମ ଉପରେ ବର୍ଷିଛନ୍ତି । ମନରେ ଥିବା କ୍ଷୋଭ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ମିଡିଆରେ ପ୍ରଚାର ହେଉଥିବା ଖବରକୁ ଖଣ୍ଡନ କରିବା ସହ ଅଭିଶାପ ଦେଇଛନ୍ତି । ଗଣମାଧ୍ୟମରେ କାମ କରୁଥିବା ଭାଇଭଉଣୀମାନେ ମୋ ଠାରୁ ଅଧିକ ଯନ୍ତ୍ରଣା ଭୋଗନ୍ତୁ ବୋଲି ଭଗବାନଙ୍କ ପାଖରେ ସେ ମନାସୁଥିବା କହିଛନ୍ତି ।

ତାଙ୍କ କହିବା ଅନୁସାରେ ଭଲ ପାଇବାର ମାନେ ଖୁସି । ଭଲ ପାଇଁ ମଣିଷ ଥାନା ଦଉଡ଼ିଲେ କି କୋର୍ଟ ଦଉଡ଼ିଲେ, କ’ଣ ଲାଭ । ଏମିତି କଥା କେଉଁଠି ଲେଖା ହୋଇଛି । ସ୍ତ୍ରୀ ବର୍ଷାଙ୍କୁ ଇଙ୍ଗିତ କରି ଜଣେ ମହିଳା କ’ଣ ସବୁବେଳେ ଠିକ୍‌ ବୋଲି ସେ ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମ ଯାହା ଦେଖାଉଛନ୍ତି, ତାହା କ’ଣ ସବୁବେଳେ ସତ ? ପ୍ରକୃତ କଥା ଭୋଗିବା ଲୋକ ଜାଣିଛି । କେତେ କଷ୍ଟ ହେଉଛି, କ’ଣ ଭୋଗିବାକୁ ପଡ଼ୁଛି, ସେକଥା କେହି ଅନୁଭବ କରିପାରିବେ ନାହିଁ ।

ସେ ଆହୁରି କହିଛନ୍ତି, ଗତ ୧୪ ବର୍ଷ ହେବ ସେ ଭୋଗୁଥିବା ଯନ୍ତ୍ରଣା ବାବଦରେ ଗଣମାଧ୍ୟମ କାଣିଚାଏ ଜାଣିନାହିଁ କି ଏଥି ପାଇଁ କେତେ କଷ୍ଟ ମିଳୁଛି, ସେଇଟା  ଜାଣି ପାରିବନି । ଗଣମାଧ୍ୟମରେ କାମ କରୁଥିବା ଅନେକ ଭାଇଭଉଣୀମାନେ ସବୁ କଥା ଜାଣିପାରୁଛନ୍ତି । କିନ୍ତୁ ତାଙ୍କ ହାତରେ କିଛି ନାହିଁ । ଏକ ବଡ଼ ଶକ୍ତି ମୋତେ ବଦନାମ କରିବା ପାଇଁ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ଅନୁଭବ । ବହୁ କଷ୍ଟରେ ସେମାନେ ନ୍ୟୁଜ କଭର୍‌ କରୁଛନ୍ତି । ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଅନେକ କିଛି ଲେଖିବାକୁ ପଡ଼ୁଛି ।

ତେବେ ଅନ୍ୟ କିଛି ମିଡିଆ ଭାଇଭଉଣୀମାନେ ମୋ ସ୍ଥିତିର ମଜା ନେଉଛନ୍ତି । ଏସବୁ କହିବା ସମୟରେ ତାଙ୍କ କଣ୍ଠରୋଧ ହୋଇପଡ଼ୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ପୋଷ୍ଟ କରିବା ସହ ସେ ଏକ ବଡ଼ କଥା କହିଛନ୍ତି । ମୁଁ କେବେ ଶତ୍ରୁର ବି ଖରାପ ମନାସେ ନାହିଁ । ହେଲେ ଭଗବାନ କରନ୍ତୁ, ମୋ ପଛରେ ଷଡ଼ଯନ୍ତ୍ର କରୁଥିବା ଲୋକେ ଏଭଳି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ । କିମ୍ବା ତାଙ୍କ ପ୍ରିୟଜନ ଏଭଳି କଷ୍ଟରେ ଘାଣ୍ଟି ହୁଅନ୍ତୁ । ଏହିପରି କଷ୍ଟ ସହ୍ୟ କରିବା ପରେ ହିଁ ସେମାନେ ଜଣଙ୍କ ପରିବାରର ଦୁଃଖ ଓ କଷ୍ଟକୁ ବୋଧହୁଏ ଅନୁଭବ କରିପାରିବେ ।