• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ୟାଂପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା । ଛାତ୍ର ତ ଛାତ୍ର, ଅଧ୍ୟାପକ ବି ନିଶା ସେବନ କରିପାରିବେ ନାହିଁ । ହାତ କାଟି ଲେଖିଦେବେ ଯେ, କ୍ୟାଂପସକୁ କୌଣସି ନିଶା ସେବନ କରି ଆସିବେନି କି ନିଶା କାରବାରରେ ଲିପ୍ତ ରହିବେନି । ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ରହିଥିବାବେଳେ ଏବେ ଅଧ୍ୟାପକଙ୍କ ପାଇଁ ଏହି ନିୟମ ଆଣିବାକୁ ସୁପାରିଶ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି ।

ଖାଲି ଛାତ୍ରଛାତ୍ରୀ ନୁହେଁ । ଏଣିକି ଅଧ୍ୟାପକ ଓ କର୍ମଚାରୀ ବି ଦେବେ ଆଣ୍ଟି ଡ୍ରଗ୍ ଘୋଷଣାନାମା । କ୍ୟାମ୍ପସ ହେବ ନିଶାମୁକ୍ତ । ପାନ ଗୁଟଖା ଉପରେ ଲାଗିବ ରୋକ୍ । ନିଶାଶକ୍ତ ଅଧ୍ୟାପକ ହେବେ ସାବାଡ୍ । ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି । ବିଧାନସଭାରେ ବସିଥିବା ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି ।

ଉଦ୍ଦେଶ୍ୟ ହେଲା କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ କରିବା। ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ । ନିଶାମୁକ୍ତ ଅଭିଯାନରେ ସମସ୍ତ ଅଂଶୀଦାରଙ୍କୁ ସାମିଲ୍ କରି କ୍ୟାମ୍ପେନ୍‌କୁ ସଫଳ କରିବା ଲାଗି ଷ୍ଟାଣ୍ଡିଂ କମିଟି ଏହି ସୁପାରିଶ କରିଛି ।

ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ କ୍ୟାମ୍ପସକୁ ଯାଉଛନ୍ତି । ଆଉ ସେଠାରୁ ହିଁ ଅନେକ ନିଶା କବଳରେ ପଡିଯାଉଛନ୍ତି । କାରଣ ନିଶା ମାଫିଆଙ୍କ ଟାର୍ଗେଟରେ ରହୁଛନ୍ତି ଯୁବ ପିଢି । ୟୁନିଭରସିଟି ଓ ଇଞ୍ଜିନିୟରିଂ କଲେଜରେ ନିଶା କାରବାର ବଢୁଛି । ଯେଉଁଥିରେ ରୋକ୍ ଲଗାଇବା ପାଇଁ କିଛି ଦିନ ତଳେ ୟୁଜିସି ଦେଶର ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଛାତ୍ରଛାତ୍ରୀ ଆଡମିଶନ ସମୟରେ ଆଣ୍ଟି ଡ୍ରଗ୍ ଘୋଷଣାନାମା ଦାଖଲ କରିବେ । ଯାହାକୁ ରାଜ୍ୟ ଲାଗୁ ବି କରିଛି ।

ଆଉ ଏବେ ଷ୍ଟାଣ୍ଡିଂ କମିଟି ସୁପାରିଶ ପରେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ମହଲରୁ ଏହାକୁ ସ୍ୱାଗତ କରାଯାଇଛି । ଅନ୍ୟପଟେ ଅଭିଭାବକ ସଂଘ କହିଛି କେବଳ ଘୋଷଣାନାମା ଦେଲେ ହେବ ନାହିଁ, ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ହିଁ ନିଶାମୁକ୍ତ କ୍ୟାମ୍ପସ ଅଭିଯାନ ସଫଳ ହେବ ।

ସବୁ କଟକଣା ସତ୍ତ୍ୱେ ଗଳାବାଟ ଦେଇ ନିଶା ବେପାରୀ କ୍ୟାମ୍ପସରେ ପହଞ୍ଚୁଛନ୍ତି । ଏଭଳି ସ୍ଥିତିରେ ସମସ୍ୟାର ଗମ୍ଭୀରତାକୁ ବୁଝି ସରକାର ବିଧାନସଭା ଷ୍ଟାଣ୍ଡି କମିଟିର ସୁପାରିଶକୁ କେବେ ଲାଗୁ କରୁଛନ୍ତି, ତାକୁ ଅପେକ୍ଷା ।

  • Reported by:
  • T GOURISHANKAR , JAGDISH DAS