• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଟିଆ ଅକ୍ତିଆର କରିବାକୁ ବାରମ୍ବାର ହୀନ ଉଦ୍ୟମ ଚଳାଇଛି ଆନ୍ଧ୍ରପ୍ରଦେଶ । ମାତ୍ର ନିଜ ଗାଁ ଗୁଡିକର ଉନ୍ନତି କଥା ଭୁଲିଯାଇଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳକୁ ଲାଗି ରହିଥିବା ୫ରୁ ୬ଟି ଗାଁକୁ ଅବହେଳିତ ଅବସ୍ଥାରେ ଛାଡିଦେଇଛି ‌ଆନ୍ଧ୍ର । ଏହି ଗାଁ ଗୁଡିକରେ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବାରମ୍ବାର ଅଭିଯୋଗ, ଦାବି ଓ ଗୁହାରି ପ୍ରଶାସନର କାନ ନ ଭେଦିବାରୁ, ଏବେ ମାଲକାନଗିରି ଜିଲ୍ଲା ପ୍ରଶାସନର ଶରଣ ପଶିଛନ୍ତି ଆନ୍ଧ୍ର ବାସିନ୍ଦା । ସମସ୍ୟା ଜଣାଇବା ସହ ଗାଁକୁ ନେଇ ଦେଖାଇଛନ୍ତି ଦୁର୍ଦ୍ଦଶାର ଚିତ୍ର । ସମସ୍ୟାର ସମଧାନ ନହେଲେ ଓଡ଼ିଶା ସହ ମିଶିବାକୁ ମନ ବି ବଳାଇଛନ୍ତି ।

ଓଡ଼ିଶାରେ ମିଶିବାକୁ ମନ ବଳାଇଲେଣି ଆନ୍ଧ୍ରବାସୀ । ବିକାଶର ଗୋଲାପୀ ସ୍ୱପ୍ନ ଦେଖାଇ ଆନ୍ଧ୍ର ସରକାର କୋରାପୁଟର କୋଟିଆକୁ ଅକ୍ତିଆର ପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳକୁ ଲାଗିରହିଥିବା ଆନ୍ଧ୍ରର ସୀମାନ୍ତ ଗାଁ ଗୁଡ଼ିକରେ ସ୍ଥିତି ପୂରା ଅଲଗା । ଏଠି ସରକାରୀ ଯୋଜନା ବାଟବଣା ହୋଇଥିବା ବେଳେ, ଦୁର୍ଦ୍ଦଶାରେ କଟୁଛି ପ୍ରତିଟି ମୁହୂର୍ତ୍ତ ମୌଳିକ ସୁବିଧାରୁ ବଞ୍ଚିତ ୫ରୁ ୬ ଖଣ୍ଡ ଗାଁକୁ ସାମାନ୍ୟତମ ସୁବିଧା ସୁଯୋଗ ବି ଯୋଗାଇ ଦେଇନି ଆନ୍ଧ୍ର ।

ବାରମ୍ବାର ଦାବି କଲେ ମଧ୍ୟ ଆଡ ଆଖିରେ ଚାହୁଁନାହାନ୍ତି ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ନିଜ ରାଜ୍ୟ ସରକାରଙ୍କ ବୈମାତୃକ ଆଚରଣରେ ଅତିଷ୍ଠ ହୋଇ ଏବେ ଧୂଳିପୁଟ ପଞ୍ଚାୟତକୁ ଲାଗିଥିବା ଏହି ୫ରୁ ୬ଟି ଗାଁର ଲୋକେ ଓଡ଼ିଶାରେ ମିଶିବାକୁ ମନ ବଳାଇଛନ୍ତି । ମାଲାକାନଗିରି ଜିଲ୍ଲା ପ୍ରଶାସନ ଆଗରେ ସମସ୍ୟାର ସମଧାନ ପାଇଁ ଗୁହାରି କରିବା ସହ ଗାଁକୁ ଡାକି ଦେଖାଇଛନ୍ତି ଦୁର୍ଦ୍ଦଶାର ଚିତ୍ର ।

ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତକୁ ଲାଗି ରହିଛି ଆନ୍ଧ୍ରର ଗାଡ଼ିବନ୍ଧ, ଡନ୍ତୁରାଇ, କାଣ୍ଡଳପଡୁ, ଶୋଉପଳା ଓ ଗଜେଡ ଗାଁ । ମାଲକାନଗିରି ପ୍ରଶାସନ ପକ୍ଷରୁ ଧୂଳିପୁଟ ପଞ୍ଚାୟତ ଯାଏଁ ରାସ୍ତା ଅଛି ମାତ୍ର ଆନ୍ଧ୍ର ବାସିନ୍ଦାଙ୍କୁ ୨୦ କିଲୋମିଟର ପାହାଡିଆ ରାସ୍ତାରେ ଯିବାକୁ ପଡୁଛି । ଏମାନଙ୍କ ଯାତାୟତ ପାଇଁ ଘୋଡ଼ା ଏକମାତ୍ର ମାଧ୍ୟମ । ଏହାରି ଭିତରେ ଗାଡିବନ୍ଧୁ ଓ ଡନ୍ତୁରାଇ ଗାଁକୁ ଜିଲ୍ଲା ପ୍ରଶାସନ ବିଦ୍ୟୁତ ଯୋଗାଇ ଦେଇଛି । ହେଲେ ଆନ୍ଧ୍ର ସରକାର ଏ ଗାଁ ଗୁଡିକର ବିକାଶ ପ୍ରତି ଚିନ୍ତା କରୁନଥବାରୁ ଓଡ଼ିଶାରେ ମିଶିବାକୁ ଚେତାବନୀ ଦେଇଛନ୍ତି ଆନ୍ଧ୍ରର ଏହି ଗ୍ରାମବାସୀ ।

କୋଟିଆରେ ଗୋଟିଏ ଆଭିମୁଖ୍ୟ ଆଉ ସ୍ୱାଭିମାନ ଅଞ୍ଚଳ ସୀମାନ୍ତରେ ଭିନ୍ନ ଆଭିମୁଖ୍ୟ । ନିଜ ବାସିନ୍ଦାକୁ ପଚାରୁ ନଥିବା ଆନ୍ଧ୍ର, କୋଟିଆ ବାସୀଙ୍କୁ ମିଛ ଦରଦ ଦେଖାଉଥିବା ଚର୍ଚ୍ଚା ହେଉଛି ।

ଜିତେନ୍ଦ୍ର ବେଉରା, ମାଲକାନଗିରି