• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଷ୍ଟ୍ରବେରୀ ଓ ତେନ୍ତୁଳି ପରେ ଝାଡ଼ୁ । କୋରାପୁଟ କୋଟିଆରେ ବହୁଳ ପରିମାଣରେ ମିଳୁଥିବା ଫୁଲଝାଡୁ ଉପରେ ଏବେ ଆନ୍ଧ୍ର ବ୍ୟବସାୟୀଙ୍କ ନଜର । ଏଠାରେ ଫୁଲଝାଡୁ ଚାଷ ଓ ପ୍ରସ୍ତୁତି ପାଇଁ ଓଡ଼ିଶା ସରକାର ଯୋଗାଇ ଦେଉଛନ୍ତି ପ୍ରୋତ୍ସାହନ। କିନ୍ତୁ ଠିକ୍ ଅମଳ ଓ ପ୍ରସ୍ତୁତି ପରେ ଶସ୍ତାରେ କିଣି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ ।

କୋରାପୁଟ କୋଟିଆର ଷ୍ଟ୍ରବେରୀ ଆଉ ତେନ୍ତୁଳି ପରେ କୋଟିଆ ଝାଡୁ ଉପରେ ଆନ୍ଧ୍ରର ନଜର । ଓଡ଼ିଶାରେ ଉତ୍ପାଦିତ ଓ ପ୍ରସ୍ତୁତ ଏ ଲଘୁ ବନଜାତ ସାମଗ୍ରୀକୁ ଶସ୍ତାରେ କିଣି ମାଲେମାଲ ପଡ଼ୋଶୀ ରାଜ୍ୟର ବ୍ୟବସାୟୀ । ମହୁ, ଅଁଳା, ଓ ବାହାଡ଼ା ଭଳି ବିଭିନ୍ନ ବନଜାତ ସାମଗ୍ରୀ ପାଇଁ ନାଁ କମାଇଥିବା କୋଟିଆରୁ ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଛି ଏଇ ଫୁଲଝାଡୁ । କୋଟିଆର ଉର୍ବର ଓ ଉପଯୋଗୀ ମାଟିରେ ଖୁବ ଅମଳ ହେଉଥିବା ବେଳେ ବଜାରରେ ଏହାର ଚାହିଦା ମଧ୍ୟ ଢେର ବେଶୀ ।

କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଏ ଝାଡୁ କିଣିବାକୁ ସରକାରୀ ସ୍ତରରେ ସେମିତି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । କେବଳ ଓରମାସକୁ ଛାଡ଼ିଦେଲେ ଆଉ କିଣିବାକୁ କେହି ନାହିଁ । ଫଳରେ ଅମଳ ସିଜିନରେ ଲୋକଙ୍କଠାରୁ ଟନ୍ ଟନ୍ ଓଜନର ଝାଡୁ କିଣି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ସ୍ଥାନୀୟ ଲୋକଙ୍କଠାରୁ ଆନ୍ଧ୍ର ବ୍ୟବସାୟୀମାନେ ଝାଡୁ ପିଛା ୨୫ରୁ ୩୫ ଟଙ୍କାରେ କିଣି ୬୦ରୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଆଉ ଏପଟେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଝାଡୁ ଅମଳ ଓ ପ୍ରସ୍ତୁତକାରୀ ।

କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର । ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଝାଡୁ ପ୍ରସ୍ତୁତି ସହ ଓରମାସ ସହାୟତାରେ ଝାଡୁ କିଣିବା ଲାଗି ବ୍ୟବସ୍ଥା ବି ହୋଇଛି । କିନ୍ତୁ ତା ସତ୍ତ୍ୱେ ଏଠୁ ଶସ୍ତାରୁ ଝାଡୁ କିଣି ମାଲେମାଲ ହେଉଛନ୍ତି ଆନ୍ଧ୍ର ବ୍ୟବସାୟୀ ।

ସେମାନେ ଘରକୁ ଘର ବୁଲି ଲୋକଙ୍କଠାରୁ ଝାଡୁ ସଂଗ୍ରହ କରି ପଡ଼ୋଶୀ ରାଜ୍ୟକୁ ବୋହି ନେବାରେ ସଫଳ ହେଉଛନ୍ତି । ସରକାରୀ ସେବା ହେଉ କି ଅନ୍ୟ ସୁବିଧା, ଯେକୌଣସି ପ୍ରକାର କୋଟିଆବାସୀଙ୍କୁ ପ୍ରଭାବିତ ଓ ଆକର୍ଷିତ କରିବାକୁ ସବୁବେଳେ ଉଦ୍ୟମ କରି ଆସୁଛି ଆନ୍ଧ୍ର । ପୂର୍ବରୁ ଏଠାରୁ ଉତ୍ପାଦିତ ତେନ୍ତୁଳି ଓ ଷ୍ଟ୍ରବେରୀ ଉପରେ ଲୋଲୁପ ଦୃଷ୍ଟି ପକାଇ ଚର୍ଚ୍ଚାରେ ଥିଲା । ଆଉ ଏବେ ଝାଡୁ ଉପରେ ନଜର ।

 

  • Reported by:
  • Surya Narayan Panda