• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆମ ରାଜ୍ୟରେ ଏବେ ବି ଏମିତି ଗାଁ ଅଛି, ସେଠାକୁ ଯିବା ପାଇଁ ଯମ ବି ଡରିବ । କାରଣ ରାସ୍ତା ନାହିଁ । ଅନ୍ୟ ଦିନେ ତ ଯେମିତି ହେଲେ ଚଳି ଯାଏ । ବର୍ଷା ଦିନେ କିନ୍ତୁ ଦୁର୍ଦ୍ଦଶାର ସୀମା ନାହିଁ । ଏମିତି ଦୁର୍ଦ୍ଦଶାର ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ । ଝାପି ପଞ୍ଚାୟତ ରାଣୀ ପଦର ଗାଁର ଜଣେ ମହିଳାଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଲୋକେ ଆମ୍ବୁଲାନସକୁ ଡାକିଥିଲେ ।

କିନ୍ତୁ ରାସ୍ତା ନାହିଁ, ଆମ୍ବୁଲାନସ ଆସିବ କେମିତି । ମଝିରେ ରହିଛି ଭରା ନଈ । ଖଟିଆ ଆମ୍ବୁଲାନ୍ସ ହିଁ ଭରସା । ଗାଁ ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଭାର କରି ସେଇ ମହିଳାଙ୍କୁ ଘରୁ ଆଣିଥିଲେ । ବିପଦପୂର୍ଣ୍ଣ ଭାବେ ଭରା ନଈ ମଧ୍ୟ ପାର କରାଇଥିଲେ । ଆଉ କିଛି ଉପାୟ ବି ନାହିଁ । ଗୋଟିଏ ଜୀବନକୁ ବଞ୍ଚାଇବାକୁ ଅନେକ ଜୀବନ ବାଜିରେ ଲାଗିଛି ।

ଏମିତି ଖଟିଆ ଭାରରେ ହିଁ ନଈ ପାର୍ କରାଇ ଶେଷରେ ନଈ ଆରପଟେ ଥିବା ଆମ୍ବୁଲାନସକୁ ମହିଳାଙ୍କୁ ନିଆଯାଇଥିଲା । ମହିଳାଙ୍କୁ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁ ଦିନିଆ ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ କି ଜନ ପ୍ରତିନିଧିଙ୍କୁ ଯେତେ ନେହୁରା ହେଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଲୋକଙ୍କ ଅଭିଯୋଗ ନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • Rajkumar Shingdeo