• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସମୁଦ୍ର ପତ୍ତନଠୁ ୩ ହଜାର ଫୁଟ୍‌ ଉଚ୍ଚ । ରାଜ୍ୟର ପ୍ରଥମ ୬ ଥାକିଆ ଟନେଲର ଚାଲିଛି ନିର୍ମାଣ କାମ । ଜୋରସୋରରେ ତିଆରି ଚାଲିଛି ଟନେଲ । ଆନ୍ଧ୍ର -ଓଡ଼ିଶା ସୀମାନ୍ତ କୋରାପୁଟ ସୀମାରେ ଥିବା ପୂର୍ବଘାଟ ପର୍ବତ ମାଳାର ସୁଙ୍କି ଘାଟିରେ ଆଉ ଭୟ ରହିବନି । କାରଣ ଏହି ଘାଟି ରାସ୍ତାରେ ନିର୍ମାଣ ହେଉଛି ରାଜ୍ୟର ପ୍ରଥମ ଟନେଲ । ତାହା ପୁଣି ୬ ଥାକିୟା ହାଇୱେ । ଓଡ଼ିଶାରୁ –ଆନ୍ଧ୍ର ଓ ଆନ୍ଧ୍ରରୁ ଓଡ଼ିଶା ମଧ୍ୟରେ ତିନିଥାକିଆ ରାସ୍ତା ନିର୍ମାଣ ହେଉଛି । ଯାହାର ଲମ୍ବ ଯଥାକ୍ରମେ ୩.୪୨ କିମି ଓ ୨.୮ କିମି ଭାରତମାଲା ପ୍ରକଳ୍ପ ଅଧିନରେ ନିର୍ମାଣ ହେଉଥିବା ଛତିଶଗଡ଼ - ବିଶାଖାପାଟଣା ରାସ୍ତା ଅଧିନରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି । ଆସନ୍ତା ୨୦୨୫ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବା ନେଇ ସୂଚନା ରହିଛି । 

ସୁଙ୍କି ଘାଟି । ବ୍ରିଟିଶ ଶାସନ ପୂର୍ବରୁ ରାଜାତନ୍ତ୍ର ବେଳେ ପାହାଡ଼କୁ କାଟି ଏହି ଘାଟି ରାସ୍ତା ନିର୍ମାଣ ହୋଇଥିଲା । ସୂଚନା ଅନୁସାରେ ଜର୍ମାନର ଇଞ୍ଜିନିୟର କର୍ଣ୍ଣେଲ ସାଙ୍କେଶ ଏହି ଘାଟି ରାସ୍ତା ନିର୍ମାଣର ଡିଜାଇନ୍ ପ୍ରସ୍ତୁତ କରିଥିଲେ । ତେଣୁ ଏହି ଘାଟି ରାସ୍ତାକୁ ସାଙ୍କେସ ଘାଟି ବୋଲି ଲୋକେ କହୁଥିଲେ । ହେଲେ ଘାଟିରେ ଯିବା ଆସିବା କରିବା ବେଳେ ଲୋକଙ୍କ ମଧ୍ୟରେ ଶଙ୍କା ରହୁଥିବାରୁ ଏହାର ନାଁ ସୁଙ୍କି ଦିଆଯାଇଥିଲା ।

ସମୟ ବଦଳିଛି , ସ୍ଥିତି ବି ବଦଳିଛି । ଦିନେ ଯେଉଁ ଘାଟିରେ ଲୋକମାନେ ଯିବାଆସିବା କରିବାକୁ ଡରୁଥିଲେ ଆଜି ସେହି ଘାଟିରେ ଯିବା ବେଳେ ପ୍ରକୃତିର ମନୋରମ ଦୃଶ୍ୟକୁ ବେଶ୍‌ ଉପଭୋଗ କରୁଛନ୍ତି । ଅନେକ ସମୟରେ ଏହି ଘାଟିରେ ଦୁର୍ଘଟଣା ଘଟେ, ରାସ୍ତାରେ ପଥର ପଡି ରାସ୍ତା ଜାମ୍‌ ହୁଏ । ପୁଣି କେତେବେଳେ ନକ୍ସଲ ମୁଣ୍ଡ ବି ଗଡାନ୍ତି । ହେଲେ ଏ ରାସ୍ତା ଯେତିକି ବିପଦପୂର୍ଣ୍ଣ ସେତିକି ମନୋରମ ମଧ୍ୟ ।

ସୁଙ୍କି ଘାଟିରେ ଟନେଲ ନିର୍ମାଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଭାରତମାଲା ପ୍ରକଳ୍ପରେ ଛତିଶଗଡ଼ ରାୟପୁରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିମି ରାସ୍ତା ନିର୍ମାଣ ହେଉଛି । ଜଙ୍ଗଲ ରାସ୍ତାରେ ୩୫ ମିଟର ଏବଂ ଅଣ ଜଙ୍ଗଲ ରାସ୍ତାରେ ୬୦ ମିଟର ଓସାରିଆ ରାସ୍ତା ନିର୍ମାଣ ହେଉଛି । କୋରାପୁଟ ଜିଲ୍ଲାରେ ୧୨୪ କିମି ନିର୍ମାଣ ହେଉଥିବା ବେଳେ ୪୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ସୁଙ୍କି ଘାଟିରେ ଯିବାକୁ ଆଜିକା ସମୟରେ ବି ଲୋକମାନେ ଭୟ କରନ୍ତି । ହେଲେ ଭାରତମାଲା ଯୋଜନାରେ ଯେମିତି ଭାବରେ ଏଠାରେ ଟନେଲ ପ୍ରସ୍ତୁତ ହେଉଛି ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ନିଶ୍ଚୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବ। ।

 

  • Reported by:
  • Surya Narayan Panda