• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଅସହ୍ୟ ହେଲାଣି ଜଳକଷ୍ଟ । ଉପକୂଳରୁ ଉପାନ୍ତ ସବୁଠି ଦେଖାଦେଲାଣି ପିଇବା ପାଣିର ସମସ୍ୟା । ଆଗକୁ ଏପ୍ରିଲ ଓ ମେ ମାସ ବାକିଥିବା ବେଳେ ଏବେ ମାର୍ଚ୍ଚ ଆରମ୍ଭରୁ କେଉଁଠି ନଳକୂପର ପାଣି ଆସୁନି, ତ କେଉଁ ମରାମତି ଅଭାବରୁ ବିଶୁଦ୍ଧ ପାଣି ପାଉ ନାହାନ୍ତି ଲୋକେ ।

ଆଉ କେଉଁଠି ପାଣି ଟୋପାଏ ପାଇ ପୋଖରୀ ଓ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି ଲୋକେ । ଦେଖିବା, କେନ୍ଦ୍ରାପଡ଼ା, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରୁ ରିପୋର୍ଟ । ଖରା ଦିନ ଆରମ୍ଭରୁ ଅଥୟ କଲାଣି ଜଳ କଷ୍ଟ । ଗାଁ ଗାଁରେ ପିଇବା ପାଣି ଟୋପେ ପାଇଁ ଏବେଠୁ ହେଲାଣି ସଂଘର୍ଷ ।

ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ କାହ୍ନୁଆ ଗାଁରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର, ହେଲେ ସେମାନଙ୍କ ପିଇବା ପାଇଁ ମାତ୍ର ୪ଟି ନଳକୂପ । ତା ଭିତରୁ ଗୋଟିଏ ନଳକୂପ ମରାମତି ଅଭାବରୁ ପାଣି ତ ଆସୁଛି, କିନ୍ତୁ ଭିଡ଼ କାହିଁରେ କଣ । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା ନକଲେ ବାଲଟିଏ ପାଣି ପାଇବା ମୁସ୍କିଲ ।

ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।

ରାଜ୍ୟର ଆଉ ଏକ ଉପାନ୍ତ ଇଲାକା ରାୟଗଡ଼ା ସଦର ବ୍ଲକର ଲୁହାଖାଲ ଗାଁ । ଏଠାରେ ସୋଲାର ସିଷ୍ଟମରେ ସରକାର ଡିପ୍ ବୋର ୱେଲ ସୁବିଧା କରିଥିଲେ ବି ତାହା ଅଚଳ । ଆଉ ଯେଉଁ ହାତ ନଳକୂପ ରହିଛି, ସେଥିରୁ ଯେଉଁ ପଣି ବାହାରୁଛି ତାହା, ପେଟ ତ ଦୂରର କଥା ପାଟିକୁ ନେବା ବି ବିପଦ । ପାଣି ସହ ଆସୁଛି ପୁଳା ପଥର ଓ ଲୁହା ଗୁଣ୍ଡ । ତେଣୁ ଲୋକେ ବାଲଟି ମାଠିଆ ଧରି ବାଧ୍ୟ ହେଉଛନ୍ତି ଝରଣା ପାଣି ଆଣିବାକୁ । ସେପଟେ ଗୁମ୍ମା ପଞ୍ଚାୟତରେ ବି ଏବେଠୁ ଜଳକଷ୍ଟରେ ଛଟପଟ ଲୋକେ ।

ଗାଁରେ ବସୁଧା ଯୋଜନାରେ ଓଭର ହେଡ୍ ଟ୍ୟାଙ୍କ ରହିଛି । କିନ୍ତୁ ତାହା ଅଚଳ ପଡ଼ିଥିବାରୁ ଗଭୀର ନଳକୂଅରୁ ବାହାରୁଥିବା ଏହି ନାଲି ରଙ୍ଗର ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ସେପଟେ ଅଞ୍ଚଳର ଜଳ ସମସ୍ୟା ନେଇ ସ୍ଥାନୀୟ ବିଡିଓ ଅବଗତ ଥିବା ବେଳେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଚିରାଚରିତ ଢଙ୍ଗରେ କହିଛନ୍ତି।
ପଟ୍ଟମୁଣ୍ଡାଇରୁ ପ୍ରବୀର ନାୟକ, ରାୟଗଡ଼ାରୁ ମାଉଡ଼ି ବାରିକ ଓ ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ, ଓଟିଭି ।