• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସକାଳ ହେବା ମାତ୍ରେ ନଳକୂଅ ପାଖରେ ଲମ୍ବା ଗହଳି ଲାଗିଛି । ଯିଏ ଯେତେ ଶୀଘ୍ର ଆସିବ ସିଏ ସେତେଶୀଘ୍ର ପାଣି ନେଇକି ଯିବ । ତେଣୁ ସଅଳ ପାଣି ନେବାକୁ ଅନ୍ଧାରିଆରୁ ଆସି ନଳକୂଅ ପାଖରେ ହାଜର ହେଉଛନ୍ତି ଲୋକେ । ଟିକେ ଡେରି ହେଲେ ପାଣି ନମିଳିବାରର ସମ୍ଭାବନା ରହିଛି । ସେଇଥି ପାଇଁ ତ ସଅଳ ଯାଇ ନଳକୂଅ ସାମ୍ନାରେ ଲାଇନ୍‌ ଲଗାଉଛନ୍ତି ଲୋକେ ।

ନିଇତି ସକାଳ ହେଲେ ଗାଁର ମହିଳାମାନେ ଗରାହାଣ୍ଡି ଧରି ଗାଁଠୁ କିଛି ଦୂରରେ ରହିଥିବା ଥିବା ଗୋଟିଏ ମାତ୍ର ନଳକୂପ ପାଖରେ ଭିଡ ଲଗାନ୍ତି । ସ୍ଥିତି ଏମିତି ହେଲାଣି ଯେ ପାଣି ଲାଗି ଝଗଡ଼ା ଲାଗୁଛନ୍ତି ଗାଁର ମହିଳାମାନେ । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଲମତାପୁଟ ବ୍ଲକ ପଇବେଡା ଗାଁରେ । ଗାଁରେ ୨୫ରୁ ୩୦ପରିବାର ରହୁଛନ୍ତି । ହେଲେ ଅଛି ମାତ୍ର ଗୋଟିଏ ନଳକୂଅ । ପାଣି ସମସ୍ୟାକୁ ନେଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଛନ୍ତି ଲୋକେ । ହେଲେ ଏଯାଏଁ ସମସ୍ୟାର ହେଲାନି ସମାଧାନ ।

ଜାଣିଆଶ୍ଚର୍ଯ୍ୟ ହେବେ, ପାଇବେଡା ଗାଁରେ ପାନୀୟ ଜଳର ସମସ୍ୟା ଦୂର କରିବା ଲାଗି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୩ବର୍ଷ ହେଲା ପ୍ରକଳ୍ପ ତିଆରି କାମ ଚାଲିଛି । ଗାଁଠୁ କିଛି ଦୂରରେ ପାଣି ଟାଙ୍କି ତିଆରି ହୋଇଥିଲେ ସୁଦ୍ଧା ଗାଁ ଲୋକଙ୍କ ପାଇଁ ଏହା ଏକ ଆଇନା ସଦୃଶ୍ୟ ରହିଛି । ଆଉ ବିଭିନ୍ନ ବାହାନା କରି କାମକୁ ଅଧାପନ୍ତରିଆ କରି ରଖିଛନ୍ତି ଠିକାଦାର ।

ପାନୀୟ ଜଳର ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ପ୍ରକଳ୍ପ ଯନ୍ତ୍ରୀ, ବିଦ୍ୟୁତ ବିଭାଗ, ବିଡ଼ିଓଙ୍କଠୁ ନେଇ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଅଭିଯୋଗ କରିଛନ୍ତି ଗାଁ ଲୋକେ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ସେପଟେ କିନ୍ତୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ କହୁଛନ୍ତି, ଗାଁ ଲୋକଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ପ୍ରକଳ୍ପ କାମ ସରିଛି, ଖୁବଶୀଘ୍ର ମିଳିବ ପାଣି । ଲୋକଙ୍କୁ ପାଣି ଦେବାକୁ ବସୁଧା ପରି ଯୋଜନା କରିଛନ୍ତି ସରକାର । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନାର ସଫଳ ରୂପାୟନ କେତେ ମାତ୍ରାରେ ହେଉଛି ତାହା ଏଇ ଚିତ୍ରରୁ ହିଁ ସ୍ପଷ୍ଟ ।

(ଲମତାପୁଟରୁ ଜଗତଜୀବନ କାଚିମଙ୍କ ରିପୋର୍ଟ)