Advertisment

ଏଣିକି ଆଉ ଛାଡ଼ ନାହିଁ ! ଓଡ଼ିଆରେ ନାମଫଳକ ନଲେଖିଲେ ୨୫ ହଜାର ଟଙ୍କା ଯାଏ ଗଣିବେ ଫାଇନ୍‌

ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ କୋର୍ଟ ବି ଦୌଡ଼ିବାକୁ ପଡ଼ିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Action taken on shops for not installing signboards in Odia language

sAction taken on shops for not installing signboards in Odia language

ଏଣିକି ଆଉ ଛାଡ଼ ନାହିଁ । ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ କୋର୍ଟ ବି ଦୌଡ଼ିବାକୁ ପଡ଼ିବ। ଏଭଳି ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ଓଡ଼ିଆ ଭାଷା ପ୍ରତିଷ୍ଠାନ। ଏପରିକି ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଉପରେ ଶ୍ରମ ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଚଢ଼ାଉ ବି ଆରମ୍ଭ ହୋଇସାରିଛି। ଏହାସହ ଓଡ଼ିଆରେ ନାମଫଳକ ଲେଖିନଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍‌ ମଧ୍ୟ ପଠାଯାଉଛି। ଏନେଇ ଗତ ମେ’ ମାସରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇସାରିଛି।

Advertisment

ଓଡିଆରେ ନାମଫଳକ ଲେଖିନଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ସହ ପ୍ରଥମେ ୫ ହଜାର ଟଙ୍କା ଫାଇନ୍ କରାଯାଉଛି। ଏହାପରେ ଯଦି ପୁଣି ଆଇନ ଉଲ୍ଲଂଘନ କରନ୍ତି ତେବେ ୨୫ ହଜାର ଟଙ୍କା ଫାଇନ୍‌ ସହ କୋର୍ଟରେ ମାମଲା ରୁଜୁ କରାଯାଉଛି। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ୮ଟି ବ୍ୟବସାୟିକ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି। ଗତ ୨ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୧୪୮ ବ୍ୟବସାୟିକ ସଂସ୍ଥାକୁ ସୋ କଜ୍ ମଗାଯାଇଛି।

Advertisment

ନୋଟିସ୍‌ ପାଇବା ପରେ ୬୧ଟି ସଂସ୍ଥା ତୁରନ୍ତ ଓଡ଼ିଆରେ ନାମଫଳକ ଲେଖିଛନ୍ତି। ଅନ୍ୟ ୬ ଟି ସଂସ୍ଥା ବାରମ୍ବାର ନୋଟିସ୍‌ ପାଇବା ସତ୍ତ୍ୱେ ନମାନିବାରୁ କୋର୍ଟରେ ମାମଲା ରୁଜୁ ହୋଇଛି। ୨୦୧୮ ମସିହା ଏପ୍ରିଲ ୧ରୁ ନିୟମ ଲାଗୁ କରାଯାଇଥିଲେ ବି ଏ ପର୍ଯ୍ୟନ୍ତ ଅନେକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖୁ ନାହାନ୍ତି। ଦୀର୍ଘଦିନ ଧରି ସଚେତନ କରିବା ପରେ ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥିର କରିଛନ୍ତି ରାଜ୍ୟ ସରକାର।

ସେପଟେ ରାଜ୍ୟରେ ନାହାନ୍ତି ଓଡ଼ିଆ ବିଶାରଦ। ଯେଉଁଥିପାଇଁ ଅନେକ ଓଡ଼ିଆ ବହିରେ ଭୁଲ୍‌ ଓଡ଼ିଆ ଶବ୍ଦ ଛପା ହେଉଛି। ଏବେ ଶୁଦ୍ଧ ଓଡ଼ିଆ ପ୍ରକାଶନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।ସମ୍ପାଦନା, ବନାନ ଶୁଦ୍ଧି ଓ ଭାଷା ସଂଶୋଧନ ପାଇଁ ଦିଆଯାଉଛି ତାଲିମ। ଓଡ଼ିଆ ଶିକ୍ଷକ ଓ ଲେଖକଙ୍କ ସହ ବହୁ ସରକାରୀ କର୍ମଚାରୀ ଏବଂ ଓଡ଼ିଆ ପଢିନଥିବା ଯୁବପିଢି ତାଲିମ ନେଉଛନ୍ତି। 

ଅନ୍ୟପକ୍ଷେ, ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଖୁବ୍‌ଶୀଘ୍ର ଓଡ଼ିଆରେ ପ୍ରକାଶିତ ୫୦ଟି କ୍ଷୁଦ୍ର ଗଳ୍ପକୁ ଇଂରାଜୀ ଓ ସ୍ପାନିଶ ଭାଷାରେ ଅନୁବାଦ କରାଯିବ। 

Advertisment
Advertisment