• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଏବେ ବି ଅନେକ ହଜାର ହଜାର ବାଳିକା- ବାଳକ ନିଖୋଜ୍ । ଟେର୍ ପାଉନି ପୋଲିସ । କୁଆଡ଼େ ଗଲେ ସେମାନେ । ଉଭାନ୍‌ ହୋଇଗଲେ ନା କିଏ ରାଜ୍ୟ ବାହାରକୁ ନେଇ ପଳାଇଲା । ସେନେଇ ମଧ୍ୟ କୌଣସି ତଥ୍ୟ ନାହିଁ ରାଜ୍ୟ ପୋଲିସ ପାଖରେ ।

ଗତ ୩ ବର୍ଷ ମଧ୍ୟରେ ୭୬୦୩ ବାଳିକା ନିଖୋଜ ହୋଇଥିବା ବିଧାନସଭାରେ ଖୋଦ୍‌ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୫୮୭୨ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୭୩୧ ନିଖୋଜ ଥିବା ତଥ୍ୟ କହୁଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଆଜି ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ସେହିପରି ଗତ ୩ ବର୍ଷରେ  ୧୧୧୧ ବାଳକ ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୦୭ ବାଳକ ଉଦ୍ଧାର ହୋଇଛଥିବା ବେଳେ ୨୦୪ ବାଳକ ଏବେ ବି ନିଖୋଜ ଅଛନ୍ତି ।

ଠିକ୍‌ ସେମିତି ଗତ ୩ ବର୍ଷ ଭିତରେ ୨୫୯୭୩ ମହିଳା ନିଖୋଜ ହୋଇଛନ୍ତି । ସେଥିରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ।

ରାଜ୍ୟରେ ଚିନ୍ତାଜନକ ଭାବେ ବଢୁଛି ଦୁଷ୍କର୍ମ ମାମଲା। ୩ ବର୍ଷରେ ୧୫,୦୦୦ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ସେହିପରି ୫, ୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ମଧ୍ୟ ସାମ୍ନାକୁ ଆସିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି।

ଅନ୍ୟପଟେ ୨୦୧୯ରେ ୨,୯୫୦ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୨୦ରେ ୨,୯୮୪ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସେହିପରି ୨୦୨୧ରେ ୩,୩୨୭ ଏବଂ ୨୦୨୨ରେ ୮୬୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସେହିପରି ୨୦୧୯ରେ ୧,୬୩୫ଟି ନାବାଳିକା ଦୁଷ୍କର୍ମ ମାମଲା, ୨୦୨୦ରେ ୧,୬୪୬ଟି କେସ୍, ୨୦୨୧ରେ ୧,୮୭୧ଟି କେସ୍‌ ଏବଂ ୨୦୨୨ରେ ୪୩୨ଟି ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଦୁଷ୍କର୍ମ ମାମଲାରେ ପୁରୀ, ଭୁବନେଶ୍ୱର, ଯାଜପୁର ଆଗରେ ରହିଛି।