• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉଦାହରଣ ସୃଷ୍ଟି କଲେ ମୌସୁମୀ । ସ୍ୱାମୀଙ୍କ ଚିକିତ୍ସା ପାଇଁ ଲୋକଙ୍କଠାରୁ ପାଇଥିବା ଟଙ୍କା ସରକାରଙ୍କୁ ଫେରାଇଦେଲେ । ଆମେ କହୁଛୁ ବହୁ ଚର୍ଚ୍ଚିତ ଅଭିଷେକ ମହାପାତ୍ରଙ୍କ ପତ୍ନୀଙ୍କ କଥା । ଦିନେ ମୌସୁମୀଙ୍କ ସ୍ୱାମୀ ଅଭିଷେକଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା, ଆଉ ତାଙ୍କ ଚିକିତ୍ସା ପାଇଁ ଅନେକ ଟଙ୍କା ଦରକାର ଥିଲା । ସେଥିପାଇଁ ସୋସିଆଲ ମିଡିଆରେ ଏକ କ୍ୟାମ୍ପେନ୍‌ ଆରମ୍ଭ ହୋଇଥିଲା । ଆଉ ସେହି କ୍ୟାମ୍ପେନ୍‌ ଜରିଆରେ ଅନେକ ଲୋକ ଅଭିଷେକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ । ମୌସୁମୀଙ୍କ ପାଖରେ ପହଞ୍ଚିଥିଲା ଲକ୍ଷ ଲକ୍ଷ ଟଙ୍କା ।

ହେଲେ ଦୁର୍ଭାଗ୍ୟବଶତଃ ମୌସୁମୀଙ୍କ ପାଖରେ ଟଙ୍କା ଥିଲା ସତ କିନ୍ତୁ ତାଙ୍କ ସ୍ୱାମୀ ଅଭିଷେକ ବଞ୍ଚିପାରି ନଥିଲେ । ଆଉ ଏହା ପରେ ସେ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ଭଳି ଏକ ବଡ଼ ନିଷ୍ପତ୍ତି ନେଲେ । ଆଉ ତାଙ୍କ ପାଖକୁ ଆସିଥିବା ଲୋକଙ୍କ ୪୦ ଲକ୍ଷ ଟଙ୍କା ସେ ସରକାରଙ୍କୁ ଫେରାଇଦେଲେ । ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରିଥିବା ବେଳେ ବାକି ୧୦ ଲକ୍ଷ ଟଙ୍କା ସେ ଜିଲ୍ଲା ରେଡ୍‌କ୍ରସ୍‌କୁ ପ୍ରଦାନ କରିଛନ୍ତି । ଡ୍ରାଫ୍ଟ ମାଧ୍ୟମରେ ସେ ଏହି ଟଙ୍କା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ର । ଗତବର୍ଷ ମେ’ ମାସରେ ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ତେବେ ତାଙ୍କର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବାରୁ, ତାଙ୍କ ନବ ବିବାହିତା ସ୍ତ୍ରୀ ବିଭିନ୍ନ ଗଣମାଧ୍ୟମ ଜରିଆରେ ଓ ସାମାଜିକ ଗଣମାଧ୍ୟମ ଜରିଆରେ ହାତ ଯୋଡି ଚିକିତ୍ସା ସହାୟତା ପାଇଁ ନିବେଦନ କରିଥିଲେ । ତେଣୁ ଓଡିଶା ସମେତ ବିଭିନ୍ନ ସ୍ଥାନରୁ ବହୁ ବଦାନ୍ୟ ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା କରିଥିଲେ ।

ଫଳରେ ଅଭିଷେକଙ୍କୁ ଏକମୋ ଚିକିତ୍ସା ପାଇଁ କୋଲକତା ଏୟାର ଲିଫ୍ଟିଂ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେପ୍ଟେମ୍ବର ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀର ମୃତ୍ୟୁ ପରେ ସବୁ ହରାଇ, ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ମୌସୁମୀ । କିନ୍ତୁ ତାଙ୍କୁ ଅସୁବିଧା ସମୟରେ ଯେଉଁ ସବୁ ବଦାନ୍ୟ ବ୍ୟକ୍ତି ସହାୟତା କରିଥିଲେ, ତାଙ୍କୁ ସେ ଭୁଲିନଥିଲେ । ତେଣୁ ସ୍ୱାମୀଙ୍କୁ ହରାଇବା ପରେ ଯାହା କିଛି ଅର୍ଥ ନିଜ ପାଖରେ ଥିଲା, ଶେଷରେ ସେହି ସବୁକୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ସମାଜର କଲ୍ୟାଣ ପାଇଁ ୪୦ ଲକ୍ଷ ଟଙ୍କା ପ୍ରଦାନ କଲେ ।

ତେବେ ଏହି ଟଙ୍କାକୁ ଯେଭଳି ତାଙ୍କ ସ୍ୱାମୀର ଅବସ୍ଥା ଜାଣି ଲୋକମାନେ ସହାୟତା କରିଥିଲେ, ସେହିଭଳି ଏହି ଅର୍ଥ ଅନ୍ୟ ମାନଙ୍କ ଚିକିତ୍ସାରେ ସହାୟକ ହୋଇପାରିବ ଅନୁଭବ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଥିବା କହିଛନ୍ତି ମୌସୁମୀ । ମୌସୁମୀଙ୍କ ଏଭଳି ମହତ କାର୍ଯ୍ୟକୁ ଜ଼ିଲ୍ଲାପାଳଙ୍କ ସହ ଅନ୍ୟ ମାନେ ପ୍ରଶଂସା କରିଛନ୍ତି ।