• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସଂସଦୀୟ କମିଟି । କହିଲେ ବିନା ଡିପିଆର୍‌ରେ ଯାହା କାମ ହେଉଛି ତାହା ଠିକ୍ ହେଉନାହିଁ । ଏଏସ୍‌ଆଇ ସହ ସମନ୍ୱୟ ରଖି ରାଜ୍ୟ ସରକାର କାମ କରିବା ଉଚିତ୍ ବୋଲି ଉକ୍ତ କମିଟି କହିଚି ।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ସଦସ୍ୟ ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିର ପରୀକ୍ରମା ପ୍ରକଳ୍ପର ଅନୁଧ୍ୟାନ କରି ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କମିଟି ସଦସ୍ୟ ଶମ୍ଭାଜୀ ଛତ୍ରପତି କହିଛନ୍ତି ଏଏସ୍‌ଆଇ ସହ ସମନ୍ୱୟ ରଖି ରାଜ୍ୟ ସରକାର କାମ କରିବା ଉଚିତ୍ । ସେହିପରି ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ କିନ୍ତୁ ନିର୍ମାଣାଧୀନ କାମ ପାଇଁ ଏଏସ୍‌ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଟି.ଜି.ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ୨୨ ଜଣିଆ କମିଟି ଆଜି ପୁରୀ ଗସ୍ତରେ ଆସିଥିଲେ । ସେମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସାଥିରେ ଏଏସଆଇ ଏଡିଜି ମଧ୍ୟ ସାମିଲ ଥିଲେ ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ବିଧାନସଭାରେ ଗଠନ ହୋଇଥିବା ଗୃହ କମିଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ କିନ୍ତୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଗୃହ କମିଟି ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବ କି ନାହିଁ ତା ଉପରେ ତର୍ଜମା ଚାଲିଛି ବୋଲି ବାଚସ୍ପତି କହିଛନ୍ତି । ଏନେଇ ବିଧାନସଭାର ଆଇନ ବିଭାଗ ସହ ଆଲୋଚନା ଚାଲିଛି । ଶ୍ରୀମନ୍ଦିର ପ୍ରସଙ୍ଗ ବିଶ୍ୱବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଦିଲ୍ଲୀରୁ ଟିମ୍ ଆସିଛନ୍ତି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟରେ ସମୟ ମାଗିଛନ୍ତି ASI ଅଧିକାରୀ । ରାଜ୍ୟ ସରକାର ଓ ASI ବିଶେଷଜ୍ଞ ଟିମ୍ ମିଳିତ ଭାବେ ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ଏକ ଇଣ୍ଟରଭେନିଂ ପିଟିସନ ମଧ୍ୟ ହାଇକୋର୍ଟରେ ଦାୟର ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୧୬ ତାରିଖରେ ହେବା ନେଇ ଦିନ ଧାର୍ଯ୍ୟ ହୋଇଛି । ଶ୍ରୀମନ୍ଦିର ଚୌହଦୀରେ ବେଆଇନ ଖନନ ନେଇ ଦିଲ୍ଲୀପ ବରାଳ ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଛି ।