• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଣ୍ଠୁଏ ଉଚ୍ଚର ପାଣି...କିଏ କାହାକୁ ଧରି ପାଚେରୀ ଉପରକୁ ଉଠାଉଛି ତ ତ ଆଉ କିଏ ନାଳନର୍ଦ୍ଦମା ପାଣିରେ ପଶି ଘରକୁ ଯାଉଛି । ସ୍ଥିତି ଏମିତି ହେଲାଣି ଯେ ରାସ୍ତା କେଉଁଟା, ନାଳ କେଉଁଟା ଜାଣିବା ମୁସ୍କିଲ ହୋଇ ପଡିଛି । ସାମାନ୍ୟ ବର୍ଷାରେ ବେହାଲ ହେଲାଣି ସ୍ଥିତି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ ।

କଳାହାଣ୍ଡି ଭବାନୀପାଟଣା ୧୫ ନମ୍ବର ୱାର୍ଡ ହିଲଟାଉନ ୱେଷ୍ଟଲେନ ନମ୍ବର ୪ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଯେଉଁଠି ଡ୍ରେନ୍‌ ବ୍ୟବସ୍ଥା ଠିକ୍‌ ନଥବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ସହରବାସୀ । ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ତେଣୁ ପରିସ୍ଥିତି ପୂରା ଗମ୍ଭୀର ହେଲାଣି । ବର୍ଷା ହେଲେ ଘରୁ ବାହାରିବା ଗୋଟିଏ ପ୍ରକାର ମୁସ୍କିଲ ହେଲାଣି । ସମସ୍ୟା ସମ୍ପର୍କରେ ପୌରପାଳିକା ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଫଳ ଶୂନ୍‌ ।

କେବଳ ୧୫ ନମ୍ବର ୱାର୍ଡ ନୁହେଁ ବରଂ ଭବାନୀପାଟଣା ପୌରପାଳିକାର ଅଧିକାଂଶ ଅବସ୍ଥା ସମାନ । ଟିକିଏ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି । ପୁରୁଣା ସହର ହେଲେ ବି ଟାଉନମାଷ୍ଟର ପ୍ଲାନ ଠିକ ନ ଥିବାରୁ ଲୋକେ ବର୍ଷା ଦିନରେ ହଇରାଣ ହେଉଛନ୍ତି । ବର୍ଷାଦିନ ଆସିଲେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଯେହେତୁ ରାସ୍ତାରେ ଏତେ ମାତ୍ରାରେ ପାଣି ଜମୁଛି ତେଣୁ ରାସ୍ତାରେ ନୁହେଁ ବରଂ ଏମିତି ପାଚେରୀ ଉପରେ ଚଢି ଘରୁ ବାହାରୁଛନ୍ତି ଲୋକେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଣି ସମସ୍ୟାକୁ ନେଇ ପୌରଅଧ୍ୟକ୍ଷାଙ୍କୁ ବାରମ୍ବାର ଜଣାଇଛନ୍ତି ସହରବାସୀ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି...ହେଲେ ଅଧ୍ୟକ୍ଷା କହୁଛନ୍ତି, ସହରରେ କେମିତି ପାଣି ନଜମିବ ସେନେଇ ବ୍ୟବସ୍ଥା କରାଯାଉଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

 

  • Reported by:
  • Rajkumar Shingdeo