• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନା ସେ ଥିଲା ଦେଶର କୌଣସି ସୈନିକ । ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ । ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ, ସାବାସୀ ଦେଉଛନ୍ତି ସମସ୍ତେ । ଭୁବନେଶ୍ବରର ୮ ବର୍ଷିୟ ବାଳକ ଶୁଭଜିତ ସାହୁଙ୍କୁ ଗାର୍ଡ ଅଫ୍ ଅନର୍ ଦେଇଛି ଓଡ଼ିଶା ପୋଲିସ । ସାଲ୍ୟୁଟ୍ ମାରିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଆଉ ପରିବାର ପରିଜନଙ୍କ ଉପସ୍ଥିତିରେ ସମସ୍ତ ପ୍ରକ୍ରିୟା ସରିବା ପରେ ଶୁଭଜିତର କରାଯାଇଛି ଶେଷକୃତ୍ୟ । ଏଭଳି ଏକ ପୁଅ ପାଇ ବାପା ବିଶ୍ବଜିତ ଆଜି ଗର୍ବିତ ବୋଲି କହିଛନ୍ତି । 

ଭୁବନେଶ୍ବର କଳ୍ପନା ଅଞ୍ଚଳର ୮ ବର୍ଷିୟ ଶୁଭଜିତ । ଏକ ଘରୋଇ ସ୍କୁଲର ଛାତ୍ର ସିଏ । ବୁଧବାର ଥିଲା ପରୀକ୍ଷା । ବେଶ୍ ଉତ୍ସାହ ଆଉ ଉତ୍କଣ୍ଠାର ସହ ଅନ୍ୟ ପିଲାଙ୍କ ଭଳି ସେ ବି ଆସିଥିଲା ସ୍କୁଲକୁ । ସହପାଠୀଙ୍କ ସହ ବସିଥିବାବେଳେ ଶୁଭଜିତ ହଠାତ୍ ଟଳିପଡ଼ିଥିଲେ ବେଞ୍ଚ ତଳେ । ତୁରନ୍ତ କ୍ଲାସ ଟିଚର୍ ଏବଂ ଅନ୍ୟ କର୍ମଚାରୀ ପହଞ୍ଚି ତାକୁ ଉଠାଇ ମେଡ଼ିକାଲ୍ ନେଇଥିଲେ । କିନ୍ତୁ ମେଡ଼ିକାଲରେ ହିଁ ଶୁଭଜିତର ବ୍ରେନ୍ ଡେଡ୍ ହୋଇଯାଇଥିବା କହିଥିଲେ ଡାକ୍ତର । ଭୂତାଣୁଜନିତ ସଂକ୍ରମଣ ଯୋଗୁ ଶୁଭଜିତ ରେ’ ସିଣ୍ଡ୍ରୋମର ଶିକାର ହୋଇଥିଲେ । 

ଶେଷରେ ନିଜର ସୁନା ଶଙ୍ଖାଳିର ୨ଟି କିଡନୀ ଏବଂ ହୃତପିଣ୍ଡ ଭଳି ଗୁରୁତ୍ବୂପୂର୍ଣ୍ଣ ଅଙ୍ଗ ଦାନ କରିଥିଲେ ବାପା, ମା’। ଏଭଳି ମହତ୍ କାମ କରିଥିବା ଶୁଭଜିତ ଆଜିଠୁ ଅତୀତ । କିନ୍ତୁ ଆଜି ତାକୁ ଖୋଜୁଛି ତା’ ସ୍କୁଲ । ଝୁରୁଛନ୍ତି ତା’ର କୁନି କୁନି ସହପାଠୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ । ସ୍କୁଲ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ତାର ଅମର ଆତ୍ମାର ସଦଗତି କାମନା କରିଛନ୍ତି ସମସ୍ତେ ।

ମଣିଷ ଜୀବନ କ’ଣ, ତାକୁ ବୁଝିବା ଭିତରେ ସବୁକିଛିର ଆଜି ଯବନିକା ପଡ଼ିଗଲା ସତ । କିନ୍ତୁ ସେହି ପୁଅର ଅଙ୍ଗଦାନ କରି ଆଜି ଯେଉଁ ବାର୍ତ୍ତା ଦେଇଛନ୍ତି ତା’ବାପା, ମା’, ମଣିଷ ସମାଜକୁ ପ୍ରେରଣା ଯୋଗାଇବ ନିଶ୍ଚୟ । 

  • Reported by:
  • KAPILENDRA PRADHAN , ARACHANA SATPATHY