/odishatv-khabar/media/post_attachments/uploadimage/library/16_9/16_9_0/snake_bite_1662958745.jpg)
snake bite
ମୃତ୍ୟୁ ଏମିତି ବି ଆସେ । କବାଟ କଣରେ ଛକି ବସିଥିଲା ମୃତ୍ୟୁ । ଖେଳୁ ଖେଳୁ କୁନି ଝିଅକୁ କାମୁଡି ଦେଲା ବିଷାକ୍ତ ସାପ । ୨୪ ଘଣ୍ଟା ଭିତରେ ଚାଲିଗଲା ନୀରିହ ନିଷ୍ପାପ ଶିଶୁ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ ଗଞ୍ଜାବାହାଲ ଗାଁରେ । ଏକମାତ୍ର ଝିଅକୁ ହରାଇବା ପରେ ବାପାମା’ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ ।
ଗତକାଲି ରାତି ପ୍ରାୟ ଆଠଟା ବେଳେ ଡୋଲାମଣି ସଗରିଆଙ୍କ ତିନି ବର୍ଷର ଝିଅ ରୂପା ଘର ଭିତରେ ଏକା ଏକା ଖେଲୁଥିବା ସମୟରେ ଏହି ଅଘଟଣ ଘଟିଛି । ଛୋଟ ଝିଅ ଜାଣିନଥିଲା, ତା ପାଇଁ କବାଟ କଣରେ ଛକି ବସିଛି ମୃତ୍ୟୁ । କେତେବେଳେ ଯେ, କବାଟ କଣକୁ ଏକ ଛୋଟ ସାପ ଚାଲିଆସିଥିଲା ସେ ବିଷୟରେ କାହାକୁ ଜଣାନଥିଲା । ସାପକୁ ଖେଳଣା ଭାବି ହାତରେ ଧରିବାକୁ ଚେଷ୍ଟା କରୁ କରୁ ହଠାତ କାମୁଡି ଦେଇଥିଲା ବିଷାକ୍ତ ସାପ ।
ତେବେ ପରିବାର ଲୋକେ ଜାଣିବା ପରେ ତୁରନ୍ତ ତାକୁ ଖଡିଆଲ ହସ୍ପିଟାଲ ଏବଂ ପରେ କଣ୍ଟାବାଞ୍ଜି ହସ୍ପିଟାଲ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଝିଅକୁ ବଲାଙ୍ଗିର ରେଫର କରିଥିଲେ । ହେଲେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କୁନି ଝିଅର ଆଜି ସକାଳେ ମୃତ୍ୟୁ ହୋଇଛି । ଏକମାତ୍ର ଝିଅକୁ ହରାଇଥିବା ଡୋଲାମଣିଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେପଟେ ବିଷାକ୍ତ ଚିତି ସାପକୁ ପରିବାର ଲୋକେ ଏକ ପ୍ଲାଷ୍ଟିକ ଡବାରେ ଭର୍ତ୍ତି କରି ରଖିଥିବା ଜଣାପଡିଛି ।
(ରିପୋର୍ଟ- ଘଟେଶ୍ୱର ମିଶ୍ର, ବଲାଙ୍ଗୀର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)