Advertisment

ଶୋଇଥିବା ବେଳେ କାମୁଡ଼ିଲା ସାପ: ସର୍ପ ଦଂଶନରେ ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

ଚିନ୍ତା ବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ। କେନ୍ଦୁଝର ବାରିଆ ଥାନା ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

author-image
Chandan Shishu
snakebite in Odisha's Keonjhar

snakebite in Odisha's Keonjhar

କେନ୍ଦୁଝର ନିଶ୍ଚିନ୍ତପୁରର ଏକ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଲାଗି ନିଶ୍ଚିନ୍ତପୁରକୁ ଟିମ୍ ପଠାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏପଟେ ବିଶେଷଜ୍ଞଙ୍କ କହିବା କଥା, ବର୍ଷା ଦିନେ ସାପ କାମୁଡ଼ା ଘଟଣା ବଢ଼ିଥାଏ। ଏଣୁ ସତର୍କ ରହିବା ସହିତ ସାପ କାମୁଡିଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେବାକୁ ପରାମର୍ଶ 
ଦେଇଛନ୍ତି।

Advertisment

ଚିନ୍ତା ବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ। କେନ୍ଦୁଝର ବାରିଆ ଥାନା ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ୧୨ ବର୍ଷୀୟ ରାଜା ନାଏକ, ୭ ବର୍ଷୀୟା ଏଲିନା ନାଏକ ଓ ୧୦ ବର୍ଷୀୟା ସ୍ନେହାଶ୍ରୀ ନାଏକ। ଘଟଣାରେ ଗୁରୁତର ଥିବା ୧୨ ବର୍ଷୀୟ ଆକାଶ ନାଏକଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ସ୍ଥାନୀୟ ଖଗେଶ୍ବର ମହାନ୍ତଙ୍କ ଆବାସିକ ଘରୋଇ କୋଚିଂ ସେଣ୍ଟରରେ ଗତାକଲି ପିଲାମାନେ ରାତ୍ରି ଭୋଜନ କରିବା ପରେ ହଷ୍ଟେଲ ଚଟାଣରେ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ ଏକ ସାପ ହଷ୍ଟେଲ ଭିତରକୁ ପଶି ପିଲାମାନଙ୍କୁ କାମୁଡ଼ିଥିବା ଅନୁମାନ କରାଯାଉଛି। 

ଭୋର ୫ଟା ବେଳକୁ ଜଣେ ଛାତ୍ର ବାନ୍ତି କରିବା ପରେ ତୁରନ୍ତ ଅସୁସ୍ଥ ୪ ଛାତ୍ରଛାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ସାପ କାମୁଡ଼ା ମୃତ୍ୟୁ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳକୁ ସ୍ଥାନୀୟ ତହସିଲଦାର, ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। 

Advertisment

ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ପ୍ରତିବର୍ଷ ସାପ କାମୁଡ଼ା ଯୋଗୁ ୮ ଶହରୁ ହଜାରେ ଲୋକଙ୍କ ଜୀବନ ଯାଉଛି । ଗତ ୫ ବର୍ଷରେ ସାପ କାମୁଡ଼ାରେ ଯାଇଛି ୪ ହଜାର ୪୭୭ ଜୀବନ। ତେବେ ସାପ ବିଶେଷଜ୍ଞଙ୍କ କହିବା କଥା, ରାଜ୍ୟ ସରକାର ଦେଖାଇଥିବା ମୃତ୍ୟୁ ତୁଳନାରେ ବାସ୍ତବ ସାପ କାମୁଡ଼ା ମୃତ୍ୟୁ ଢେର୍ ଅଧିକ। ଏବେ ବି ଅନେକ ଲୋକ ଗୁଣି ଗାରେଡ଼ି, ଭଗବାନକୁ ଭରସା କରି ଚିକିତ୍ସା ଲାଗି ଡାକ୍ତରଖାନା ଆସୁନାହାନ୍ତି। ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ବର୍ଷା ଦିନେ ସାପ ଅଣ୍ଡାରୁ ଛୁଆ ବାହାରିଥାନ୍ତି ଓ ସାପ ସଂଖ୍ୟା ବଢ଼ିଥାଏ।

  1. ସାପ କାମୁଡ଼ାରୁ ରକ୍ଷା ପାଇବା ଲାଗି ନିଜର ଘର ଚାରିପାଖ ସଫା ରଖନ୍ତୁ।
  2. ଘର କାନ୍ଥ ବା ଝରକାକୁ ଲାଗି ଗଛ ବା ବୁଦା ରହିବାକୁ ଦିଅନ୍ତୁ ନାହିଁ ।
  3. ଘର ପରିସରକୁ ମୁଷା, ବେଙ୍ଗ ମୁକ୍ତ ରଖନ୍ତୁ।
  4. ଯଦି କାହାକୁ ସାପ କାମୁଡ଼ୁଛି, ତାଙ୍କୁ ଶାନ୍ତ ରହିବାକୁ ଦିଅନ୍ତୁ ଓ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଆନ୍ତୁ।
  5. ସାପ କାମୁଡ଼ା ସ୍ଥାନରେ ବରଫ ରଖନ୍ତୁ ନାହିଁ କିମ୍ବା କୌଣସି ଚେରମୂଳି ଲଗାନ୍ତୁ ନାହିଁ।
  6. ସାପ କାମୁଡ଼ା ସ୍ଥାନରୁ ପାଟି ଜରିଆରେ ବିଷ ଶୋଷି ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। 
Snake Bite Death
Advertisment
Advertisment